ଜାମ୍ମୁ କାଶ୍ମୀରରେ ୩୦ଟି ଚ୍ୟାନେଲର ପ୍ରସାରଣ ବନ୍ଦ ପାଇଁ ନିର୍ଦେଶ

0

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ହିଂସାର ପ୍ରସାର କରୁଥିବା ଓ ଅରାଜକତା ସୃଷ୍ଟି କରୁଥିବା ଇସଲାମିକ ଏବଂ ପାକିସ୍ତାନରେ ଅବସ୍ଥିତ ୩୦ଟି ଚ୍ୟାନେଲର ପ୍ରସାରଣ ବନ୍ଦ ପାଇଁ ଜାମ୍ମୁ କାଶ୍ମୀର ରାଜ୍ୟପାଳ ଏନ୍‍ଏନ୍‍ ଭୋରା ବୁଧବାର ନିର୍ଦେଶ ଦେଇଛନ୍ତି। ଆସନ୍ତା ୩ ଦିନ ମଧ୍ୟରେ ସୂଚୀରେ ଥିବା ସମସ୍ତ ଚ୍ୟାନେଲର ପ୍ରସାରଣ ବନ୍ଦ କରିବାକୁ କେବୁଲ ଅପରେଟରଙ୍କୁ କୁହାଯାଇଛି। ପ୍ରତିବନ୍ଧକ ଲଗାଯାଇଥିବା ଚ୍ୟାନେଲ ମଧ୍ୟରେ ବିବାଦୀୟ ଇସଲାମୀୟ ଧର୍ମ ପ୍ରଚାରକ ଜାକିର ନାଏକଙ୍କ ପିସ୍‍ ଇଂଲିଶ ଏବଂ ପିସ୍‍ ଉର୍ଦ୍ଧୁ ଚ୍ୟାନେଲ, ପାକିସ୍ତାନର ଜିଓ, ଏଆରୱାଇ, କ୍ୟୁଟିଭି ଏବଂ ପୈଗାମ ଟିଭି ଅନ୍ତର୍ଭୁକ୍ତ ରହିଛନ୍ତି। ବିଶେଷ କରି କେତେକ ଧାର୍ମିକ ଚ୍ୟାନେଲ, ନ୍ୟୁଜ୍‍ ଚ୍ୟାନେଲ, ଖେଳ ଏବଂ ଗୀତ ଚ୍ୟାନେଲରେ ପ୍ରତିବନ୍ଧକ ଲଗାଯାଇଛି। ଜାମ୍ମୁ କାଶ୍ମୀରରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଏପରି ଟିଭି ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି କୁହାଯାଇଛି। ଉଲ୍ଲେଖ ଯେ ଏହା ପୂର୍ବରୁ ଜାମ୍ମୁ କାଶ୍ମୀରରେ ୨୨ଟି ସାମାଜିକ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ସାମାଜିକ ଗଣମାଧ୍ୟମରେ ଉତ୍ତେଜକ ବାର୍ତ୍ତା, ଗୁଜବ ଏବଂ ମିଥ୍ୟା ଖବର ପ୍ରଚାର କରାଯାଇଥିବା ଜାଣିବାକୁ ମିଳିଥିଲା। ଫଳରେ ୨୨ଟି ସାମାଜିକ ଗଣମାଧ୍ୟମ ସାଇଟ ଉପରେ ପ୍ରତିବନ୍ଧକ ଳଗାଯାଇଛି। ନିର୍ଦେଶରେ ସମସ୍ତ ଜିଲାର ଡେପୁଟି କମିଶନରଙ୍କୁ କୁହାଯାଇଛି ଯେ ସୂଚୀରେ ଥିବା ସମସ୍ତ ଟିଭି ଚ୍ୟାନେଲର ପ୍ରସାରଣ ବନ୍ଦକୁ ସୁନିଶ୍ଚିତ କରାନ୍ତୁ। ଏନେଇ ଜାମ୍ମୁ କାଶ୍ମରର ପ୍ରମୁଖ ସଚିବ ଆରକେ ଗୋଏଲ ସମସ୍ତ ଜିଲା ଡେପୁଟି କମିଶନରଙ୍କୁ ନିର୍ଦେଶ ଜାରି କରିଛନ୍ତି। ଏହାସହ ପ୍ରସାରଣ ବନ୍ଦ ପାଇଁ କେଉଁ ପଦକ୍ଷେପ ସବୁ ନିଆଯାଉଛି ସେ ନେଇ ରିପୋର୍ଟ ଦେବାକୁ କୁହାଯାଇଛି।

Leave A Reply