ଜାମ୍ମୁ କାଶ୍ମୀରରେ ହିଂସା ବଢଉଛନ୍ତି ୭୯ ହ୍ୱାଟସ୍‍ଆପ୍‍ ଗ୍ରୁପ୍‍, ହଜାରେ ନମ୍ବର ବାହାର ଦେଶର

0

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ୭୯ଟି ହ୍ୱାଟସ୍‍ଆପ୍‍ ଗ୍ରୁପ୍‍ ଯୁବକଙ୍କୁ ଉତ୍ତେଜିତ କରିବା ସହ ଘୃଣା ଏବଂ ହିଂସା ବଢାଇବାର କାର୍ଯ୍ୟ କରୁଛନ୍ତି। ଏହି ୭୯ ହ୍ୱାଟସ୍‍ଆପ୍‍ ଗ୍ରୁପ୍‍ରେ ୬ ହଜାର ୩୮୬ଟି ଫୋନ୍‍ ନମ୍ବର ସଂଯୁକ୍ତ ଅଛନ୍ତି। ଏହା ମଧ୍ୟରୁ ପ୍ରାୟ ହଜାରେ ନମ୍ବର ପାକିସ୍ତାନ ଏବଂ ମଧ୍ୟପ୍ରାଚ୍ୟରେ ସକ୍ରିୟ ଅଛନ୍ତି। ଏହି ହ୍ୱାଟସ୍‍ଆପ୍‍ ଗ୍ରୁପ୍‍ଗୁଡ଼ିକ ଯୁବକଙ୍କୁ ପଥର ଫିଙ୍ଗିବାକୁ ଏକାଠି କରିବା ପାଇଁ କାର୍ଯ୍ୟ କରୁଛନ୍ତି। ୨୦୧୭ରେ ଜାମ୍ମୁ କାଶ୍ମୀରରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ସମୟରେ ଜାତୀୟ ତଦନ୍ତକାରୀ ଦଂସ୍ଥା (ଏନ୍‍ଆଇଏ) ଏହା ଜାଣବାକୁ ପାଇଛି। ଅବଜରଭେସନ୍‍ ଫାଉଣ୍ଡେସନ୍‍ ଫାଉଣ୍ଡେସନ୍‍ ପକ୍ଷରୁ ନିକଟରେ ପ୍ରକାଶିତ ରିପୋର୍ଟରେ ଲେଖାଯାଇଛି ଯେ ପୂର୍ବରୁ ଜାମ୍ମୁ କାଶ୍ମୀରରେ ମସଜିଦ୍‍ର ଡାକବାଜୀ ଯନ୍ତ୍ର ଦ୍ୱାରା ଲୋକଙ୍କୁ ଉତ୍ତେଜିତ କରାଯାଉଥିଲା। ଏହାପରେ ଘରକୁ ଘର ବାର୍ତ୍ତାପତ୍ର ବଣ୍ଟନ କରି ଏହି କାମ କରାଗଲା। ଏବେ ଏହି କାର୍ଯ୍ୟ ସାମାଜିକ ଗଣମାଧ୍ୟମ ଦ୍ୱାରା କରାଯାଉଛି। ସୁରକ୍ଷା ବଳ ଏବଂ ତଦନ୍ତକାରୀ ସଂସ୍ଥାଙ୍କ ପାଇଁ ସାଇବର ଜିହାଦର ମୁକାବିଲା କରିବା ଏକ ଆହ୍ୱାନ ହୋଇ ରହିଛି। ତଦନ୍ତରୁ ଜାଣିବାକୁ ମିଳିଛି ଅଧିକାଂଶ ହ୍ୱାଟସ୍‍ଆପ୍‍ ଗ୍ରୁପ୍‍ର ଆଡମିନ୍‍ ପାକିସ୍ତାନରେ ଅଛନ୍ତି। ୨୦୧୭ରେ ପଥର ଫିଙ୍ଗାଳିଙ୍କୁ ଏକାଠି କରିବା, ଆତଙ୍କବାଦୀ ଗତିବିଧିକୁ ରୂପ ଦେବା ପାଇଁ ୩୦୦ରୁ ଅଧିକ ହ୍ୱାଟସ୍‍ଆପ୍‍ ଗ୍ରୁପ୍‍ର ବ୍ୟବହାର କରାଯାଇଥିଲା। ଦୁଇ ବର୍ଷ ତଳେ ଆତଙ୍କବାଦୀ ବୁରହାନ ୱାନି ଏନକାଉଣ୍ଟର ସମୟରେ ଆତଙ୍କବାଦୀମାନେ ସାମାଜିକ ଗଣମାଧ୍ୟମକୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ। ଏହାପରେ ସାମାଜିକ ଗଣମାଧ୍ୟମର ବ୍ୟବହାର ବଢିବାରେ ଲାଗିଛି। ବନ୍ଧୁକ ଧରିଥିବା ଆତଙ୍କବାଦୀ, ଆତଙ୍କବାଦୀ ହେବାର ପ୍ରଶିକ୍ଷଣ ନେଉଥିବା ଯୁବକ, ଗୁଳି ବିନିମୟରେ ନିହତ ଆତଙ୍କବାଦୀଙ୍କ ଫଟୋ ଏବଂ ଭିଡ଼ିଓ ବହୁଳ ମାତ୍ରାରେ ପୋଷ୍ଟ କରାଯାଉଛି। କାଶ୍ମୀରରେ ୨୦୧୦ ପର୍ଯ୍ୟନ୍ତ ମାତ୍ର ୨୫% ଯୁବକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବାବେଳେ ୨୦୧୭ରେ ଏହା ବୃଦ୍ଧି ପାଇ ୭୦%ରେ ପହଞ୍ଚିଥିଲା। ଅର୍ଥାତ ୮ ବର୍ଷ ମଧ୍ୟରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ସଂଖ୍ୟାରେ ୧୮୦% ବୃଦ୍ଧି ଘଟିଛି। ସେହିପରି ୯ ବର୍ଷ ମଧ୍ୟରେ ୫୨୩ ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛନ୍ତି। ଏହା ମଧ୍ୟରୁ କେବଳ ଗତ ୩ ବର୍ଷ ମଧ୍ୟରେ ୩୦୦ ଯୁବକ ଆତଙ୍କବାଦୀ ହୋଇଛନ୍ତି। ଏହି କ୍ରମରେ ୨୦୧୦ରେ ୫୪ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବାବେଳେ ୨୦୧୧ରେ ୨୩, ୨୦୧୨ରେ ୨୧, ୨୦୧୩ରେ ୬, ୨୦୧୪ରେ ୫୩, ୨୦୧୫ରେ ୬୬, ୨୦୧୬ରେ ୯୦, ୨୦୧୭ରେ ୧୨୦, ୨୦୧୮ରେ ୯୦ ଜଣ ଯୁବକ ଆତଙ୍କବାଦୀ ହୋଇଛନ୍ତି।

Leave A Reply