ଯାଜପୁର: ଧର୍ମଶାଳା ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ)ଙ୍କ ବିରୋଧରେ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ ଓ ସେମାନଙ୍କ ସମର୍ଥକମାନଙ୍କୁ ନେଇ ବ୍ଲକ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଗତ କିଛିଦିନ ତଳେ ନିର୍ବାଚିତ ପ୍ରତିନିଧିମାନେ କିଛି ଦାବିପତ୍ର ନେଇ ବିଡିଓଙ୍କୁ ଦେଖା କରିବାକୁ ଯାଇଥିଲେ, କିନ୍ତୁ ସେଠାରେ ସେମାନେ ବହୁ ସମୟ ଅପେକ୍ଷା କରିବାପରେ ବିଡିଓ ଆସିଥିଲେ। ହେଲେ ସେଠାରେ ଶାସକ ଦଳର କେତେକ ବ୍ୟକ୍ତି ବିଡିଓଙ୍କ ଉପସ୍ଥିତିରେ ଏହି ପ୍ରତିନିଧିମାନଙ୍କୁ ଅସଦାଚରଣ, ଗାଳି ଗୁଲଜ କରିବା ସହିତ ମାଡ ମାରିଥିଲେ। ଏହି ଘଟଣାକୁ ନେଇ ସେମାନେ ଯାଜପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କୁ ଭେଟି ସେମାନଙ୍କୁ ଅଭିଯୋଗ ଜଣାଇଥିଲେ। ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ ଏହାର ତଦନ୍ତ କରି ନ୍ୟାୟ ଦେବାପାଇଁ ୩ ଦିନ ସମୟ ନେଇଥିଲେ କିନ୍ତୁ ସେହି ସମୟ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନ ନେବାରୁ ଆଜି ସେମାନେ ଗଣଧାରଣାକୁ ଓହ୍ଲାଇଥିଲେ।
ଏହି ଗଣଧାରଣାରେ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ବିଜୁ ଜନତା ଦଳର ନେତୃ ମଣ୍ଡଳୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ରାଜ୍ୟ ଛାତ୍ର ଜନତା ଦଳ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ରସୁଲପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଜିଲ୍ଲା ଛାତ୍ର ସଭାପତି ସୌମ୍ୟପ୍ରକାଶ ବିଶ୍ୱାଳ, ବ୍ଲକ ଛାତ୍ର ସଭାପତି ଜଗଦାନନ୍ଦ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିଲେ ଡ. ପ୍ରିୟନାଥ ମହାପାତ୍ର। ଶେଷରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।



