ଯାଜପୁର : ଦିଲ୍ଲୀ ନିଜାମୁଦ୍ଧିନ ଲିଙ୍କ୍ ଯାଜପୁର ଜିଲାରୁ ମିଳିବା ପରେ କରୋନା କଟକଣାକୁ ଆହୁରି କଡାକଡି କରାଯାଇଛି। ଜିଲାର ସୀମାକୁ ବନ୍ଦ କରାଯିବା ସହ ପଡୋଶୀ ଜିଲା ଭଦ୍ରକ ଉପରେ କଡା ନଜର କରାଯାଇଛି।
ପୂର୍ବରୁ ବିଭିନ୍ନ ଛକ ବଜାରରେ ବିଭିନ୍ନ ଚେକିଂ କରାଯାଉଥିବା ବେଳେ ଏବେ ଜିଲାର ସୀମାକୁ ବନ୍ଦ କରାଯାଇଛି। ଜିଲାର ପ୍ରତ୍ୟେକ ସୀମାକୁ ସିଲ କରାଯାଇ ସେଠାରେ ପୁଲିସ ଚବିଶ ଘଂଟିଆ ପ୍ରହରା ଦେଉଛି। ଯାଜପୁରର ପଡୋଶୀ ଜିଲା ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର, କଟକ ପଟୁ ଯାଜପୁର ଜିଲାର ସମସ୍ତ ପ୍ରବେଶ ପଥକୁ ବନ୍ଦ କରାଯାଇଛି। ଜିଲା ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଆସିବା ଏବଂ ଯିବା ଉପରେ କଟକଣା ଜାରି କରାଯାଇଛି। ପଡୋଶୀ ଜିଲା ଭଦ୍ରକରେ ୪ର୍ଥ କରୋନା ରୋଗୀ ଚିହ୍ନଟ ହେବା ପରେ ଏଭଳି କଟକଣା ଜାରି ରହିଲେ କୋରୋନା ପରିସ୍ଥିତିକୁ ନିୟନ୍ତ୍ରଣ କରିହେବ। ଏହି କଟକଣାକୁ ନେଇ ଯାଜପୁରବାସୀ ନିଜର ଖୁସି ବ୍ୟକ୍ତ କରିବା ସହ ପ୍ରଶାସନକୁ ସହେଯାଗ କରୁଥିବା ଜଣାପଡୁଛି।



