ନୂଆଦିଲ୍ଲୀ : ଅସ୍ତ୍ରୋପଚାର ଜରିଆରେ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏବେ ବି ବାପା ଭୁୟାଁ କହଁର ଚିନ୍ତିତ। କାରଣ ବଳିଆ ସୁସ୍ଥ ଥିଲେ ମଧ୍ୟ ସାନପୁଅ କାଳିଆକୁ ଦୀର୍ଘ ଏକ ମାସ ହେଲା ଛାଡୁନି ଜ୍ବର। ଡାକ୍ତରୀଦଳ ପରୀକ୍ଷା ନିରୀକ୍ଷା ଜାରି ରଖିଥିଲେ ମଧ୍ୟ ଜ୍ୱର ଭଲ ହେଉନାହିଁ। ସାନ ପୁଅ କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଅବନତି କହଁର ପରିବାର ମନୋବଳ ଦୁର୍ବଳ କରିବା ସହ ବିଚଳିତ କରିଦେଇଛି। ଅନ୍ୟପଟେ କହଁର ପରିବାର ଏବେ ଓଡ଼ିଶା ଫେରିଯିବାକୁ ଚାହୁଁଛନ୍ତି। ଏକବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞନା ସଂସ୍ଥାନ (ଏମ୍ସ)ରେ ଊଭୟ ଶିଶୁଙ୍କ ଚିକିତ୍ସା କରିବା ପରେ ଏବେ ଭୂୟାଁ କହଁରଙ୍କୁ ଆଉ ଦିଲ୍ଲୀ ଭଲ ଲାଗୁନାହିଁ। ତାଙ୍କର ଖାଲି ପକେଟ ତାଙ୍କୁ ଫେରିଯିବା ପାଇଁ ବାଧ୍ୟ କରୁଛି।
ଏକବର୍ଷ ପରେ ତାଙ୍କୁ ପୂର୍ବରୁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଯେଉଁ ସୁବିଧା ପ୍ରଦାନ କରାଯାଉଥିଲା ତାହା ଧୀରେ ଧୀରେ ପ୍ରତ୍ୟାହାର କରିନିଆଯାଉଛି। ରହଣି ଏବଂ ଚିକିତ୍ସା ବାବଦକୁ ସହୟତା ବାଦ୍ ପୂର୍ବରୁ ରାଜ୍ୟ ସରକାର ଏନଜିଓ ଜରିଆରେ ଦୈନନ୍ଦିନ ଖର୍ଚ୍ଚ ବ୍ୟବସ୍ଥା କରୁଥିଲେ। ଜଣେ ତତ୍ତ୍ବାବଧାରକ (କେୟାରଟେକର) ଏମ୍ସରେ ଉପସ୍ଥିତ ରହି କହଁର ପରିବାରକୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଥିଲେ। ଏବେ ଏକମାସରୁ ଊର୍ଦ୍ଧ୍ବ ସମୟ ଧରି ଆଉ କୌଣସି କେୟାରଟେକରଙ୍କୁ ଦିଲ୍ଲୀରେ ଦେଖିବାକୁ ମିଳୁନାହିିଁ। ସଂପୃକ୍ତ ଏନଜିଓ ଏବେ ସହାୟତାର ହାତ ଫେରାଇ ନେଇଥିବାର ଜଣାପଡ଼ିଛି। ଦିଲ୍ଲୀ ଏମସ ଭଳି ଜାଗାରେ ବିନା ସହଯୋଗରେ ଏକାକୀ ଉଭୟ ଶିଶୁଙ୍କ ପ୍ରତି ଧ୍ୟାନ ରଖିବା ଏବଂ ଡାକ୍ତରୀ ଦଳ ସହ ଯୋଗାଯୋଗରେ ରହିବା ଭୂୟାଁ କହଁରଙ୍କ ପାଇଁ କାଠିକର ପାଠ ହୋଇପଡ଼ୁଛି। ଏନଜିଓ କେୟାରଟେକର ଜଣକୁ ପ୍ରଶାସନ ତରଫରୁ ପ୍ରତ୍ୟାହାର କରିନେବା ପରେ କହଁର ପରିବାର ଦିଲ୍ଲୀରେ ଦିଗହରା ହୋଇପଡ଼ିଛନ୍ତି। ଏନଜିଓ କେୟାରଟେକର ପାଇଁ ମଧ୍ୟ ରାଜ୍ୟ ସରକାର ସ୍ଥାନୀୟ ଓଡ଼ିଶା ନିବାସରେ ମାଗଣା ରହଣି. ଖାଇବା ଏବଂ ଯାତାୟତ ବ୍ୟବସ୍ଥା କରିଛନ୍ତି। ଦିଲ୍ଲୀ ଭଳି ସହରରେ ନିୟମିତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଭୂୟାଁ କହଁରଙ୍କୁ କନ୍ଧମାଳ ଫିରିଙ୍ଗିଆ ଅଞ୍ଚଳ ଘରେ ଏକାକୀ ଥିବା ବୁଢ଼ା ବାପା ଏବଂ ଅନ୍ୟ ଦୁଇ ଶିଶୁ ସବୁବେଳେ ମନେପଡ଼ୁଛନ୍ତି। ଦିଲ୍ଲୀ ବଦଳରେ ଭୁବନେଶ୍ୱର ଏମସରେ ଚିକିତ୍ସା ସୁବିଧା ଦିଆଗଲେ ଉଭୟ ଘର ଏବଂ ଚିକିତ୍ସା ବିଷୟକୁ ସହଜରେ ସମ୍ଭାଳି ପାରିବେ। ଗତ ଦେଢ଼ ବର୍ଷ ଧରି ଦିଆଯାଇଥିବା ସହାୟତା ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ କହଁର ପରିବାରକୁ ଭୁବନେଶ୍ୱର ଫେରାଇ ଆଣିବା ପାଇଁ ଭୂୟାଁ କହଁର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ପ୍ରକାଶ ଯେ ଉଭୟ ଶିଶୁଙ୍କୁ ସଂପୂର୍ଣ୍ଣ ଆରୋଗ୍ୟ ପାଇଁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି ଜାତୀୟ ଅନସୂଚିତ ଆୟୋଗଙ୍କୁ ଏମସ କର୍ତ୍ତୃପକ୍ଷ ଗତ ଅଗଷ୍ଟ ଶେଷ ସପ୍ତାହରେ ଜଣାଇଥିଲେ। ଏଣିକି ଓଡ଼ିଶାର କୌଣସି ଚିକିତ୍ସାଳୟରେ ଉଭୟ ଶିଶୁଙ୍କୁ ଚିକିତ୍ସା କରାଯାଇପାରିବ ବୋଲି ରିପୋର୍ଟରେ ଦର୍ଶାଇଥିଲେ।
କାଳିଆକୁ ମାସେ ହେଲା ଛାଡ଼ୁନି ଜ୍ୱର
Popular Categories



