ଜାଡେଜା ବିଶ୍ବର ୧ ନମ୍ବର ଟେଷ୍ଟ ଅଲ୍‌ରାଉଣ୍ଡର

୫ମ ସ୍ଥାନକୁ ଉଠିଲେ କୋହଲି, ଖସିଲେ ରୋହିତ

ଦୁବାଇ : ଭାରତୀୟ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ବିଶ୍ବର ଏକ ନମ୍ବର ଟେଷ୍ଟ ଅଲ୍‌ରାଉଣ୍ଡର ମାନ୍ୟତା ହାସଲ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ(ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ଅଲ୍‌ରାଉଣ୍ଡର ମାନ୍ୟତାରେ ଜାଡେଜା ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ମୋହାଲିରେ ଶେଷ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେ​‌ଷ୍ଟ ମ୍ୟାଚରେ ଜାଡେଜାଙ୍କ ଅଲ୍‌ରାଉଣ୍ଡର ପ୍ରଦର୍ଶନ ବଳରେ ଭାରତ ମ୍ୟାଚକୁ ମାତ୍ର ୩ ଦିନିରେ ଇନିଂସ ୨୨୨ରନରେ ଜିତି ନେଇଥିଲା। ଜାଡେଜା ସପ୍ତମ ୱିକେଟରେ ବ୍ୟାଟିଂ କରିବାକୁ ଆସି ୨୨୮ଟି ବଲରୁ ଅପରାଜିତ ୧୭୫ରନର ଇନିଂସ ଖେଳିଥିଲେ। ସେହିପରି ଜାଡ଼େଜା ପ୍ରଥମ ଇନିଂସରେ ୫ଟି ଓ ଦ୍ବିତୀୟ ଇନିଂସରେ ୪ଟି ସହ ମୋଟ ୯ଟି ୱିକେଟ ନେଇଥିଲେ।
ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ ଟେଷ୍ଟ ଅଧିନାୟକ ଜାସନ ହୋଲ୍‌ଡର ଟେଷ୍ଟ ମାନ୍ୟତାର ୧ ନମ୍ବର ଅଲ୍‌ରାଉଣ୍ଡର ରହିଥିବାବେଳେ ଜାଡେଜା ୩ ନମ୍ବର ସ୍ଥାନରେ ରହିଥିଲେ। ଜାଡେଜା ଦ୍ବିତୀୟ ଥର ପାଇଁ ଟେଷ୍ଟ ଅଲ୍‌ରାଉଣ୍ଡର ମାନ୍ୟତାର ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ପୂର୍ବରୁ ଜାଡେଜା ୨୦୧୭ରେ ଏକ ସପ୍ତାହ ଲାଗି ଏକ ନମ୍ବର ଟେଷ୍ଟ ଅଲ୍‌ରାଉଣ୍ଡର ହେବାର ସୌଭାଗ୍ୟ ପାଇଥିଲେ। ସେହିପରି ପୂର୍ବରୁ ଦୁଇ ନମ୍ବର ସ୍ଥାନରେ ରହିଥିବା ଭାରତୀୟ ସ୍ପିନ ଅଲ୍‌ରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ୩ୟ ସ୍ଥାନକୁ ଖସି ଆସିଛନ୍ତି। ଜାଡେଜା ୪୦୬ ପଏଣ୍ଟ ପାଇଥିବା ବେଳେ ହୋଲ୍‌ଡର ୩୮୨ ଓ ଅଶ୍ବିନ ୩୪୭ ପଏଣ୍ଟ ପାଇଛନ୍ତି। ୪ର୍ଥ ସ୍ଥାନରେ ବାଂଲାଦେଶର ସାକିବ୍‌ ଅଲ୍‌ ହାସନ, ୫ରେ ବେନ ଷ୍ଟୋକ୍‌ସ, ୬ରେ ମିଚେଲ ଷ୍ଟାର୍କ ରହିଛନ୍ତି। ନିକଟରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ସଫଳତା ପଛରେ ଜାଡେଜାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ଯାହା ଫଳରେ ସେ ଆଇସିସି ପୁରୁଷ ଟେଷ୍ଟ ଅଲ୍‌ରାଉଣ୍ଡରଙ୍କ ମାନ୍ୟତାରେ ୧ ନମ୍ବର ସ୍ଥାନ ହାସଲ କରିଛନ୍ତି। ସେହିପରି ବ୍ୟାଟିଂ ମାନ୍ୟତାକୁ ଦେଖିଲେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି ବିରାଟ କୋହଲି। ବିରାଟ ୨ଟି ସ୍ଥାନ ଉପରକୁ ଉଠି ୫ମ ସ୍ଥାନରେ ପହଞ୍ଚିଛନ୍ତି। ବିରାଟ ପୂର୍ବରୁ ସପ୍ତମ ସ୍ଥାନରେ ରହିଥିବାବେଳେ ରୋହିତ ୫ମ ସ୍ଥାନରେ ଥିଲେ। ରୋହିତ ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ମାର୍ନୁସ ଲାବୁସାନେ ୧ ନମ୍ବର ସ୍ଥାନରେ ରହିଥିବାବେଳେ ଇଂଲଣ୍ଡର ଜୋ ରୁଟ୍‌ ୨ୟ, ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ୩ୟ, ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମସନ ୪ର୍ଥ ସ୍ଥାନରେ ରହିଛନ୍ତି। ବୋଲିଂ ମାନ୍ୟତାରେ କିଛି ପରିବର୍ତ୍ତନ ଘଟିନାହିଁ। ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ପ୍ୟାଟ୍‌ କମିନ୍ସ ଏକ ନମ୍ବର ସ୍ଥାନ ବଜାୟ ରଖିଥିବାବେ​‌େ​‌ଳ ରବିଚନ୍ଦ୍ରନ ଅଶ୍ବିନ ୨ୟ, ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ୩ୟ ଓ ଯଶପ୍ରୀତ ବୁମ୍‌ରା ୧୦ତମ ସ୍ଥାନରେ ରହିଛନ୍ତି।

Comments are closed.