ତୁଳସୀ ଦୁଇପତ୍ରରୁ ବାସିଲା ପରି ଛାତ୍ରାବାସରୁ ଜାନକୀବଲ୍ଲଭଙ୍କ ଭିତରେ ନେତୃତ୍ବ ନେବାର ଇଚ୍ଛାଶକ୍ତି ଓ ସାରସ୍ବତ ପ୍ରତିଭା ବିକଶିତ ହୋଇଥିଲା। ଖୋର୍ଦ୍ଧା ହାଇସ୍କୁଲ, ରେଭେନ୍ସା କଲେଜ ଦେଇ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ରାଜନୀତି-ବିଜ୍ଞାନରେ ଉଚ୍ଚଶିକ୍ଷା ଗ୍ରହଣ କରିବା ପରେ କୌଣସି ସରକାରୀ ଚାକିରି ପ୍ରତି ମୋହ ନ ରଖି ସେ ସାଧାରଣ ଜୀବନରେ କାର୍ଯ୍ୟ କରିବାକୁ ଦୃଢ଼ ନିଷ୍ପତ୍ତି ଗ୍ରହଣ କରିଥିଲେ । ୧୯୪୯ ମସିହାରେ ସେ ଯୋଗଦେଇଥିଲେ ଡକ୍ଟର ମହତାବଙ୍କ ପ୍ରତିଷ୍ଠିତ ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ରେ । ଏଇଠି ପ୍ରଜାତନ୍ତ୍ର ଓ ଇଂରାଜୀ ଇଷ୍ଣର୍ଣ୍ଣ ଟାଇମ୍ସର ସଂପାଦକ ଭାବରେ ସେ ନିଜ ସଫଳ ରାଜନୀତିକ ଜୀବନର ସୁଦୃଢ଼ ମୂଳଦୁଆ ଗଠନ କରିଥିଲେ ା ପ୍ରକୃତରେ ଏହିଠାରେ ହିଁ ବିକଶିତ ହୋଇଥିଲା ତାଙ୍କ ରାଜନୀତିକ-ବିଚାରର ଦିଗ୍ବଳୟ ।
୧୯୭୧ରେ କଟକରୁ ନିର୍ବାଚନ ଜିଣି ସେ ଲୋକସଭାକୁ ଯାଇଥିଲେ । ଲୋକସଭାର ସାଂସଦ ଭାବରେ ଜାନକୀବଲ୍ଲଭଙ୍କ ପାରଦର୍ଶିତାକୁ ଲକ୍ଷ୍ୟକରି ଇନ୍ଦିରା ଗାନ୍ଧୀ ତାଙ୍କୁ ୧୯୭୩ରେ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ । ୧୯୮୦ରେ କେନ୍ଦ୍ର କ୍ୟାବିନେଟରୁ ମନ୍ତ୍ରିପଦ ଛାଡ଼ି ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ । ପୂର୍ବରୁ ଓଡ଼ିଶାରେ କୌଣସି ସରକାର ପାଞ୍ଚ ବର୍ଷିଆ ପୂର୍ଣ୍ଣ ଅବଧି ପୂରଣ କରିନଥିଲେ ା ପ୍ରଥମକରି ତାଙ୍କ ଶାସନକାଳରେ ସେହି ପରମ୍ପରା ଭାଙ୍ଗିଲା ଓ ପ୍ରଥମ ଦଫାରେ ୧୯୮୦ରୁ ୧୯୯୦ ଓ ପରେ ୧୯୯୫ରୁ ୧୯୯୯ ମଧ୍ୟରେ ନିଜର ୧୪ ବର୍ଷର ଶାସନ କାଳରେ ସେ ଓଡ଼ିଶାକୁ ବିକାଶର ଏକ ନୂଆରୂପ ଦେବାକୁ ଯୋଜନାବର୍ଷ ଭାବରେ ପ୍ରୟାସ କରିଥିଲେ ।
ସେ ସମୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଶିଳ୍ପ ସମେତ କୃଷିର ବିକାଶ ପାଇଁ ଅଧିକ ଗୁରୁତ୍ବ ଦିଆଯାଇଥିଲା । ତାଙ୍କ ଶାସନ କାଳରେ ପ୍ରଥମ କରି କୃଷିକୁ ଶିଳ୍ପର ମାନ୍ୟତା ଦିଆଯାଇଥିଲା । କୃଷିର ବିକାଶ ପାଇଁ ‘ଆପିକଲ୍’ ଓ ଶିଳ୍ପର ବିକାଶ ପାଇଁ ‘ଇପିକଲ’ ପ୍ରତିଷ୍ଠା ହୋଇଥିଲା ।
୧୯୮୦ରେ ତାଙ୍କର ସ୍ଳୋଗାନ ଥିଲା ‘ହଜାର ଦିନରେ ହଜାର କୋଟି ଟଙ୍କାରେ ହଜାର ଶିଳ୍ପ’ । ଏହି ସ୍ଳୋଗାନକୁ ପୁଞ୍ଜିକରି ବହୁ ଉଚ୍ଚଶିକ୍ଷିତ ଯୁବକ ନିଜକୁ ଆତ୍ମନିର୍ଭରଶୀଳକରି ଗଢ଼ିବା ଲକ୍ଷ୍ୟରେ ଶିଳ୍ପ କ୍ଷେତ୍ରରେ ପାଦ ଥାପିଥିଲେ । ରାଜ୍ୟରେ ପର୍ଯ୍ୟଟନର ବିକାଶକୁ ଆଖିରେ ରଖି ସେ ହୋଟେଲ ନିର୍ମାଣକୁ ଶିଳ୍ପର ମାନ୍ୟତା ଦେଇଥିଲେ। ଅଧୁନା ଓଡ଼ିଶାର ପ୍ରତିଷ୍ଠିତ ହୋଟେଲଗୁଡ଼ିକ ମଧ୍ୟରୁ ସିଂହଭାଗ ହେଉଛି ଜାନକୀ ବଲ୍ଲଭଙ୍କ ଶାସନ କାଳର । ଜାନକୀବଲ୍ଲଭ ହିଁ ପ୍ରକୃତରେ ହେଉଛନ୍ତି ଓଡ଼ିଶାର ଶ୍ବେତବିପ୍ଳବର ଜନକ । ଜଳସେଚନ ପରି ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ସେ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ ଓ ପ୍ରଥମକରି ଆମ ରାଜ୍ୟ ବିଦ୍ୟୁତ୍ କ୍ଷେତ୍ରରେ ବଳକା ରାଜ୍ୟର ମାନ୍ୟତା ପାଇଥିଲା।
ଆଜି ମହାମାରୀ ‘କରୋନା’ ସାରା ବିଶ୍ବକୁ ଆତଙ୍କିତ କରି ରଖିଛି । ଆମ ରାଜ୍ୟରେ ଏହି ରୋଗର ଭୂତାଣୁ ପରୀକ୍ଷା ପାଇଁ ବ୍ୟବହୃତ ହେଉଥିବା ରିଜିଓନାଲ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟର (RMRC) ଜାନୀକୀବଲ୍ଲଭଙ୍କ ଶାସନ କାଳର ଅନ୍ୟଏକ ସଫଳ କୃତିତ୍ବ । ୧୯୮୧ ମସିହାରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରି ସେ ଏହି ପ୍ରତିଷ୍ଠାନକୁ ଭୁବନେଶ୍ବର ଆଣିଥିଲେ । ତାଙ୍କ ଶାସନ ଅବଧିରେ ଶିକ୍ଷା କ୍ଷେତ୍ରରେ ଗ୍ରାମାଞ୍ଚଳର ସାଧାରଣ ଘରର ପିଲାଙ୍କ ଶିକ୍ଷା ସୁବିଧା ପାଇଁ ପ୍ରତି ବ୍ଲକରେ କଲେଜ ପ୍ରତିଷ୍ଠା, ପ୍ରତି ଗ୍ରାମପଞ୍ଚାୟର ହାଇସ୍କୁଲ ପ୍ରତିଷ୍ଠା ଓ ବିଶେଷ ଭାବରେ ନାରୀ ଶିକ୍ଷାର ବିକାଶ ପାଇଁ ଅନେକ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିଲା ।
ଜାନକୀ ବଲ୍ଲଭ ଥିଲେ ଶ୍ରୀ ଜଗନ୍ନାଥଙ୍କ ଅନ୍ୟତମ ପରମଭକ୍ତ। ତାଙ୍କରି ସମୟରେ ମନ୍ଦିରର ଆୟ ବୃଦ୍ଧି ପାଇଁ ‘ହୁଣ୍ଡି’ର ପ୍ରଚଳନ ହୋଇଥିଲା । ୧୯୯୬ ମସିହାରେ ଠାକୁରଙ୍କ ନବକଳେବରର ଐତିହାସିକ ସଫଳତା ତାଙ୍କ ଜଗନ୍ନାଥ -ଅନୁରକ୍ତିର ପ୍ରମାଣ ବହନ କରିଥାଏ ା ତାଙ୍କରି ଶାସନ କାଳରେ ପୁରୀଠାରେ ପ୍ରତିଷ୍ଠା ହୋଇଛି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ । ୧୯୬୭ମସିହାରେ ପବିତ୍ର ରଥଯାତ୍ରା ଅବସରରେ ସେ ତାଙ୍କ ‘ପୌରୁଷ’ ପତ୍ରିକାର ଶୁଭାରମ୍ଭ କରିଥିଲେ ।
ଆଜକୁ ୫୩ ବର୍ଷ ଧରି ଓଡ଼ିଶାରେ ପ୍ରକାଶ ପାଇଥିବା ଏହି ସଂଭ୍ରାନ୍ତ ପତ୍ରିକାର ପ୍ରଥମ ପୃଷ୍ଠାରେ ଜାନକୀ ବଲ୍ଲଭ ଉଲ୍ଲେଖ କରିଛନ୍ତି ମହାଭାରତର ମହାବୀର କର୍ଣ୍ଣଙ୍କ କଣ୍ଠର ଏକ ଉଦ୍ଘୋଷଣ । କର୍ଣ୍ଣ କହିଥିଲେ, ‘‘ ଉଚ୍ଚ କୁଳରେ ଜାତ ହେବା ଦୈବର ଅଧୀନ, ପୁରୁଷାକାର ମୋର ଅଧୀନ’’ । ପ୍ରତ୍ୟେକ ବ୍ୟକ୍ତି ନିଜକୁ ନିଜେ ସମର୍ଥ କରି ଗଢ଼ି ତୋଳିବା ପାଇଁ ଏହି ବାଣୀ ମଧ୍ୟରେ ପ୍ରେରଣା ଭରି ରହିଛି । ରାଜନୀତିକୁ ଜାନକୀବଲ୍ଲଭ ଶ୍ରେଷ୍ଠନୀତି ଭାବରେ ବିଚାର କରୁଥିଲେ ଏବଂ ରାଷ୍ଟ୍ରର ମଙ୍ଗଳ ପାଇଁ ଉଚ୍ଚ ଶିକ୍ଷିତ ଯୁବକମାନଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ ପାଇଁ ସେ ଉତ୍ସାହିତ କରୁଥିଲେ । ଆସାମର ରାଜ୍ୟପାଳ ଭାବରେ ସେହି ରାଜ୍ୟର ବିିକାଶ ସହିତ ଓଡ଼ିଶା ଓ ଆସାମ ମଧ୍ୟରେ ସାରସ୍ବତ ଓ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବାରେ ସେ ସଫଳ ଭୂମିକା ନିର୍ବାହ କରିଥିଲେ । ଆସାମର ଦିବ୍ରୁଗଡ଼ଠାରେ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ତାଙ୍କର ଅନ୍ୟ ଏକ ସଫଳ କୃତିତ୍ବ ।
ମାନନୀୟ ଜାନକୀ ବଲ୍ଲଭଙ୍କ ସହିତ ଆମ ପରିବାରର ଘନିଷ୍ଠ ସଂପର୍କ ଥିଲା । ୨୦୧୩ ମସିହାରେ ତାଙ୍କରି ପରାମର୍ଶରେ ମୁଁ ବିଦେଶରୁ ସଫ୍ଟୱେୟାର ବୃତ୍ତି ତ୍ୟାଗ କରି ସାଧାରଣ ଜୀବନରେ କାମ କରିବା ଆରମ୍ଭ କରିଛି ଏବଂ ଜନଗଣଙ୍କର ସୁଖ-ଦୁଃଖରେ ଭାଗୀଦାର ହେବାର ସୁଯୋଗ ଲାଭ କରୁଛି । ସେହି ପ୍ରଜ୍ଞାପୁରୁଷଙ୍କ ୫ମ ପୁଣ୍ୟତିଥିରେ ତାଙ୍କ ପାଇଁ ମୋର କୋଟି ପ୍ରଣାମ ।
ଇଂ. ଆକାଶ ଭୂୟାଁ
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ



