www.samajalive.in
Saturday, December 6, 2025
15.1 C
Bhubaneswar

ସଂକ୍ରମଣ-ବିଚାର ଭୟଭୀତ ହେବା ଅନାବଶ୍ୟକ

ମହାମାରୀ ସଂକ୍ରମଣ କାଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଓ ହ୍ରାସ ଉପରେ ଜନସାଧାରଣଙ୍କ ନଜର ଅଧିକ ରହେ। ସଂଖ୍ୟାବୃଦ୍ଧି ଭୟସଂଚାର କରେ ଏବଂ ନୂଆ ସଂକ୍ରମଣ ଘଟଣା ନ’ଘଟିଲେ ଲୋକେ ଆଶ୍ବସ୍ତ ହୋଇଥାନ୍ତି। କରୋନା ମହାମାରୀ ସଂକ୍ରମଣ କ୍ଷଣରେ ଠିକ୍‌ ସେପରି ବିଚାର ସର୍ବତ୍ର ପରିଲକ୍ଷିତ ହେଉଛି। ଓଡ଼ିଶାରେ କ୍ରମାଗତ ତିନିଚାରିଦିନ ନୂଆ ସଂକ୍ରମିତ ଚିହ୍ନଟ ହୋଇନଥିବାବେଳେ ସୋମବାର ପ୍ରତ୍ୟୁଷରୁ ଆଉ ସାତଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବାର ଖବର ସରକାରୀ ଭାବେ ମିଳିଥିଲାବେଳେ ପରେ ଏହା ବୃଦ୍ଧିପାଇ ୧୩ଜଣରେ ପହଞ୍ଚିଛି। ୧୩ଜଣଙ୍କ ମଧ୍ୟରୁ ପାଞ୍ଚଜଣ ଭଦ୍ରକ, ପାଞ୍ଚଜଣ ଯାଜପୁର, ଦୁଇଜଣ ବାଲେଶ୍ବର ଓ ଜଣେ ସୁନ୍ଦରଗଡ଼ ଜିଲାର। ଓଡ଼ିଶାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି ଏବଂ ସାଧାରଣରେ ଭୟ ଓ ହତାଶାର ଭାବନା ପରିଲକ୍ଷିତ ହେଉଛି। ଆମ ବିଚାରରେ ଏହି ଘଟଣା ନେଇ ଆତଙ୍କିତ ହେବାର ବିଶେଷ କିଛି କାରଣ ନାହିଁ ଏବଂ ଯାହା ଫଳାଫଳ ଆସୁଛି ତାହାକୁ ଭିତ୍ତିକରି ଆମକୁ କରୋନା ବିରୋଧୀ ରଣନୀତି ବଦଳାଇବାକୁ ପଡ଼ିବ। ପ୍ରଥମ କଥାଟି ହେଲା ଅଧିକରୁ ଅଧିକ ସନ୍ଦିଗ୍ଧ ଲୋକଙ୍କ ‘ସ୍ବାବ୍‌’ ପରୀକ୍ଷା ହେଉଥିବାରୁ ସଂଖ୍ୟା ବଢ଼ିବ ଏବଂ ଏହା ଆହୁରି ଅଧିକ ହୋଇପାରେ। ଆମକୁ ମନେରଖିବାକୁ ହେବ ଯେ ସାରା ବିଶ୍ବ ଯେତେବେଳେ କରୋନା ପ୍ରଭାବିତ ଆମେ ଓଡ଼ିଶାକୁ ଏଥିରୁ ସମ୍ପୂର୍ଣ୍ଣ ମୁକ୍ତ ରଖିପାରିବା ନାହିଁ। ମାନବିକ ସମ୍ପର୍କ, ବ୍ୟବହାର, ସଂସର୍ଗ, ସ୍ପର୍ଶ ଓ ଉପସ୍ଥିତି ସଂକ୍ରମଣ ବଢ଼ାଇବ ଏବଂ ଏହାକୁ ସମୂଳେ ରୋକିବା ସହଜ ନୁହେଁ। ଆମକୁ ଆହୁରି ମନେରଖିବାକୁ ହେବ ଯେ କରୋନା ଭୂତାଣୁର ସଂକ୍ରମଣ କାଳ ସରିନାହିଁ ଏବଂ ଏହି ଚତୁର ଭୂତାଣୁ ଆମ ହୁସିଆରି ଓ ସାବଧାନତା ସତ୍ତ୍ବେ ଲୁଚିଛପି ଆମକୁ ସଂକ୍ରମିତ କରିବାକୁ ଏବେ ମଧ୍ୟ ସକ୍ଷମ।
ତେଣୁ ଏହି ଲମ୍ବା ଲଢ଼େଇରେ ଶତ୍ରୁକୁ ହରାଇବାର ପ୍ରମୁଖ ଲକ୍ଷ୍ୟ ନେଇ ଆମେ ଚାଲିଥିବାବେଳେ ସମ୍ପୂର୍ଣ୍ଣ ଭାବେ ଯେ ନିରାପଦ ଓ ଅପ୍ରଭାବିତ ହୋଇ ରହିପାରିବା ତାହା ବିଚାର କରିବା ଠିକ୍‌ ନୁହେଁ। ତେଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଗଲେ ସେଥିରେ ହତୋତ୍ସାହିତ ନ’ହୋଇ ଆମକୁ ବୁଝିବିଚାରି ନୂଆ ରଣନୀତି ଆପଣାଇବାକୁ ହେବ। ଏହି ସ୍ତମ୍ଭରେ ଆମେ ଏକାଧିକବାର କହିଆସୁଛୁ ଯେ କରୋନା ଅପରାଜେୟ ନୁହେଁ କିମ୍ବା ଏହା ମଣିଷ ସମାଜକୁ ସମୂଳେ ନିଃଶେଷ କରିପାରିବ ନାହିଁ। ଏହା ଏକ ନୂଆ ପ୍ରକାରର ଭୂତାଣୁ ଯାହାର ପ୍ରତିଷେଧକ ବାହାରି ନାହିଁ। ଆଶ୍ବାସନାର ବିଷୟ ହେଉଛି ଯେ ସାମାଜିକ ବ୍ୟବଧାନ ରକ୍ଷା, ଘରେ ସୁରକ୍ଷିତ ରହିବା, ସଂକ୍ରମଣ ରୋକିବାକୁ ଲୋକ ଗହଳି ଭାଙ୍ଗିବା ଆଦି ଅନେକାଂଶରେ ସହାୟକ ହେଉଛି। ଆହୁରି ମଧ୍ୟ ଏହାର ଚିକିତ୍ସା ପାଇଁ ଯେଉଁ କିଛି ଉପାୟ ଅବଲମ୍ବନ କରାଯାଉଛି ତାହା ଅନେକାଂଶରେ ସଫଳ ହେଉଛି। ଏହି ବ୍ୟାଧିରେ ମୃତ୍ୟୁହାର ଅତି ଅଧିକ ନଥିବା ପ୍ରମାଣିତ ହୋଇଛି। ସର୍ବୋପରି ନୂଆ ଔଷଧ, ଚିକିତ୍ସା ବ୍ୟବସ୍ଥା ଓ ପ୍ରତିଷେଧକ ବାହାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ବିଶ୍ବସ୍ତରରେ ଯେଉଁ ମିଳିତ ପ୍ରୟାସ ଚାଲିଛି ତାହା ମଧ୍ୟ ଉତ୍ସାହଜନକ ଫଳାଫଳ ଦେଉଛି। ବଡ଼ ବିପତ୍ତିର ମୁକାବିଲାବେଳେ ଛୋଟଛୋଟ ସମସ୍ୟାମାନ ଆସିବ ଓ ମଣିଷକୁ ଅନେକ ଅସୁବିଧା ସହିବାକୁ ହେବ। ସେଥିପାଇଁ ଧୈର୍ଯ୍ୟ, ସଂଯମ, ତ୍ୟାଗ ସ୍ବୀକାର କରିବାକୁ ହେବ।
ଏଭଳି ସମୟରେ ଓଡ଼ିଶା ସରକାର କେତେକ କ୍ଷେତ୍ରରେ ଲକ୍‌ଡାଉନ୍‌ ନିୟମକୁ କୋହଳ କରିଛନ୍ତି। ଏହିସବୁ କ୍ଷେତ୍ରଗୁଡ଼ିକ ବ୍ୟାଧି ସଂକ୍ରମଣ ଦୃଷ୍ଟିରୁ ବିଶେଷ ସଂବେଦନଶୀଳ ନୁହେଁ; କିନ୍ତୁ ଅର୍ଥନୈତିକ ଦୃଷ୍ଟିରୁ ଅତି ଗୁରୁତ୍ବପୂର୍ଣ୍ଣ। ତେଣୁ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ ନ୍ୟାୟରେ ବିରୋଧ କରାଯିବା ଅନୁଚିତ। ଆମକୁ କେତେକ କ୍ଷେତ୍ରରେ ଏଭଳି ପରୀକ୍ଷାମୂଳକ ନୀତି ଆପଣାଇବାକୁ ପଡ଼ିବ। ତା’ଛଡ଼ା ଅନ୍ୟ ପଥ ନାହିଁ। ତେଣୁ ଏବେ ନୂଆ ବ୍ୟବସାୟ, ରଣନୀତି ଓ ଜୀବନଯାପନ ପ୍ରଣାଳୀ ବିଷୟରେ ଚିନ୍ତା କରିବା ଏବଂ ତା’କୁ କାମରେ ଲଗାଇବାର ସମୟ ଆସିଛି। କରୋନା ଭୟରେ ଘର କବାଟ ବନ୍ଦକରି ବସିଲେ ଚଳିବ ନାହିଁ। ସାହସର ସହିତ ନୂଆ ପରୀକ୍ଷାନିରୀକ୍ଷା ଓ ବିକଳ୍ପର ସନ୍ଧାନ କରିବାକୁ ହେବ। ମନେରଖିବାକୁ ପଡ଼ିବ ସଂକଟକାଳରେ ବିକଳ୍ପ ବିଚାର ଓ ପରୀକ୍ଷାନିରୀକ୍ଷା ବଂଚିବାର ନୂଆ ବାଟ ବାହାର କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories