bjd  ek lkhya koti banner

ଆସୁଛି ଜଳ ପ୍ରଳୟ; ସାଟେଲାଇଟ୍‌‌ ଫଟୋରୁ ବଡ଼ ରହସ୍ୟ ଖୋଲିଲା ଇସ୍ରୋ

mission shakti banner

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ବର୍ଷ ଧରି ହିମାଳୟ ଭାରତର ମୁକୁଟ ହୋଇ ରହିଛି। ଏହା ଭାରତର ପ୍ରାକୃତିକ ପ୍ରହରୀ ଓ ଜଳବାୟୁ ବିଭାଜନକାରୀ ମଧ୍ୟ। ସାଇବେରିଆରୁ ଆସୁଥିବା ଶୀତଳ ପବନକୁ ରୋକିବା ସହ ଭାରତରେ ଏକ ସ୍ୱତନ୍ତ୍ର ଜଳବାୟୁ ପ୍ରଣାଳୀ ସୃଷ୍ଟି କରିଥାଏ। କିନ୍ତୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ନୂଆ ରିପୋର୍ଟରୁ ଜଣାପଡ଼ିଛି ଯେ, ଖୁବଶୀଘ୍ର ଉତ୍ତରର ଏହି ମୁକୁଟ ତଥା ପ୍ରହରୀ ଦେଶରେ ପ୍ରଳୟ ସୃଷ୍ଟି କରିପାରେ। ବଡ଼ ବଡ଼ ଗ୍ଲେସିୟର୍‌‌ ଓ ବିଶାଳ ବରଫ କୁଦମାନ ପାଇଁ ହିମାଳୟକୁ ତୃତୀୟ ମେରୁ ମଧ୍ୟ କୁହାଯାଏ। ଇସ୍ରୋ ଚେତାବନୀ ଦେଇଛି ଯେ, ବିଶ୍ୱ ତାପନ କାରଣରୁ ହିମାଳୟର ଏହି ଗ୍ଲେସିୟର ବା ହିମପିଣ୍ଡଗୁଡ଼ିକ ଦ୍ରୁତ ଗତିରେ ତରଳି ଯାଉଛି। ସୋମବାର ଇସ୍ରୋ କହିଛି ଯେ, ଦଶନ୍ଧିର ସାଟେଲାଇଟ୍‌‌ ଚିତ୍ରକୁ ବିଶ୍ଳେଷଣ କରୁଥିବା ନୂତନ ଗବେଷଣାରୁ ଜଣାପଡ଼ିଛି ଯେ, ଭାରତୀୟ ହିମାଳୟ ଅଞ୍ଚଳରେ ଗ୍ଲେସିୟରଗୁଡ଼ିକ ଭୟଙ୍କର ବେଗରେ ତରଳୁଛି, ଯଦ୍ୱାରା ହିମାଳୟ ଅଞ୍ଚଳରେ ଥିବା ବରଫ ହ୍ରଦଗୁଡ଼ିକର ବିସ୍ତାର ଘଟୁଛି। ଏଠାରେ ସୂଚନାଯୋଗ୍ୟ, ଏହି ହିମପିଣ୍ଡ ଓ ବରଫ ହ୍ରଦ ଉତ୍ତର ଭାରତର ସମସ୍ତ ପ୍ରମୁଖ ନଦୀଗୁଡ଼ିକର ଜଳ ଉତ୍ସ ହୋଇଥାଏ।

ସମଗ୍ର ବିଶ୍ୱରେ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ, ଅଷ୍ଟାଦଶ ଶତାବ୍ଦୀର ଶିଳ୍ପାୟନ ପରଠାରୁ ପୃଥିବୀର ଉଚ୍ଚ ପାହାଡ଼-ପର୍ବତଗୁଡ଼ିକ ଉପରେ ଥିବା ହିମପିଣ୍ଡ ଦ୍ରୁତ ଗତିରେ ତରଳୁଛି ଏବଂ ସେମାନେ ନିଜ ସ୍ଥାନରୁ ପଛକୁ ଯାଉଛନ୍ତି। ଗ୍ଲେସିୟରଗୁଡ଼ିକ ପଛକୁ ହଟିବା ଦ୍ୱାରା ସେଠାରେ ହ୍ରଦ ସୃଷ୍ଟି ହୋଇଥାଏ। ଇସ୍ରୋ ରିପୋର୍ଟରେ କୁହାଯାଇଛି ଯେ, ଏହି ହ୍ରଦଗୁଡ଼ିକ ଅନେକ ଥର ବଡ଼ ବିପଦ ସୃଷ୍ଟି କରିଥାଏ। ଅନେକ ସମୟରେ ବରଫ ହ୍ରଦ ଫାଟିଯାଏ, ଯଦ୍ୱାରା ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ, ଯାହା ଜନ ସମାଜ ପାଇଁ ଭୟଙ୍କର ପରିଣାମ ଆଣିଥାଏ।
ଇସ୍ରୋ ରିପୋର୍ଟରେ କୁହାଯାଇଛି ଯେ, ୧୯୮୪ରୁ ୨୦୨୩ ପର୍ଯ୍ୟନ୍ତ ଗ୍ଲେସିୟରର ସାଟେଲାଇଟ୍‌‌ ତଥ୍ୟ ଆସିଛି, ଯେଉଁଥିରୁ ଜଣାପଡ଼ିଛି ଯେ ୨୦୧୬-୧୭ରେ ନଦୀ ଉପତ୍ୟକାରେ ୧୦ ହେକ୍ଟରରୁ ଅଧିକ ମୋଟ୍‌‌ ୨୪୩୧ ବରଫ ହ୍ରଦ ଥିଲା। ୧୯୮୪ ପରଠାରୁ ଏହି ଅଞ୍ଚଳରେ ଆଶ୍ଚର୍ଯ୍ୟଜନକ ଭାବେ ୬୭୬ ହ୍ରଦ ବିକଶିତ ହୋଇଛି। ସେଥି ମଧ୍ୟରୁ ୧୩୦ଟି ହ୍ରଦ ଭାରତ ଭିତରେ ଅଛି। ସେଥିରେ ୬୫ଟି ସିନ୍ଧୁ ଉପତ୍ୟକାରେ, ୭ଟି ଗାଙ୍ଗେୟ ଉପତ୍ୟକା ଏବଂ ୫୮ଟି ବ୍ରହ୍ମପୁତ୍ର ଉପତ୍ୟକାରେ ଅଛି।

ଇସ୍ରୋର ଗବେଷଣା ରିପୋର୍ଟରେ କୁହାଯାଇଛି ଯେ, ଏହି ହ୍ରଦଗୁଡ଼ିକ ଆଶ୍ଚର୍ଯ୍ୟଜନକ ଭାବେ ବିସ୍ତାରିତ ହେଉଛି। ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଅନେକ ହ୍ରଦ ହିମାଳୟର ବହୁ ଉଚ୍ଚରେ ଅବସ୍ଥିତ। ରିପୋର୍ଟରେ କୁହାଯାଇଛି ଯେ, ଗ୍ଲେସିୟରଗୁଡ଼ିକ ଦ୍ରୁତ ଗତିରେ ତରଳିବା ସହିତ ଏଥିରୁ ସୃଷ୍ଟି ହୋଇଥିବା ହ୍ରଦଗୁଡ଼ିକର ଆକାର ଦ୍ରୁତ ଗତିରେ ବଢ଼ିବାକୁ ଲାଗେ, ଯାହା ବ୍ୟାପକ ପରିବେଶ ପରିବର୍ତ୍ତନର ସଙ୍କେତ ଦେଇଥାଏ।

 

Comments are closed.