www.samajalive.in
Monday, December 8, 2025
14.1 C
Bhubaneswar

ବିସ୍ଫୋରକ ମୋଡ଼ରେ ଇସ୍ରାଏଲ-ହମାସ୍‌ ଯୁଦ୍ଧ

ନିଜ ନାଗରିକଙ୍କୁ କହିଲା ଇସ୍ରାଏଲ ସୀମା ଖାଲି କର, ଗାଜା ଛାଡ଼ିବାକୁ ଅଧିକ ମହଲତ ଦେଲା ଇସ୍ରାଏଲ

ୱାଶିଂଟନ/ତେଲ ଆବିଭ୍‌ : ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ରବିବାର ୯ମ ଦିନରେ ପହଞ୍ଚିଛି। ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଉଭୟ ପକ୍ଷରୁ ପ୍ରାୟ ୪୦୦୦ଜଣ ପ୍ରାଣ ହରାଇଲେଣି। ଏଥିରେ ଇସ୍ରାଏଲର ୨୭୯ଜଣ ସୈନିକ ଓ ସାଧାରଣ ନାଗରିକଙ୍କ ସମେତ ୧୫୦୦ରୁ ଅଧିକ ପ୍ରାଣ ହରାଇଲେଣି। ଯୁଦ୍ଧରେ ଇସ୍ରାଏଲ ୩୦୦୦ ନାଗରିକ ଆହତ ହେଲେଣି। ସେହିପରି ହମାସ ଆତଙ୍କବାଦୀକୁ ଟାର୍ଗେଟ କରି ଇସ୍ରାଏଲ ଗାଜା ଉପରେ କରିଥିବା ଆକ୍ରମଣ ଯୋଗୁଁ ଏଠାରେ ଆତଙ୍କବାଦୀ ଓ ସାଧାରଣ ନାଗରିକଙ୍କ ସମେତ ୨୫୦୦ରୁ ଅଧିକ ପ୍ରାଣ ହରାଇଲେଣି। ଇସ୍ରାଏଲ ଆକ୍ରମଣରେ ଗାଜାରେ ୮୦୦୦ ଆହତ ହେଲେଣି। ଉଭୟଙ୍କ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଉଗ୍ର ହେବାକୁ ଯାଉଥିବାବେଳେ ଏହା ଆଗକୁ ବିସ୍ଫୋରକ ରୂପ ଧାରଣ କରିବାର ଆଶଙ୍କା ପ୍ରକାଶ ପାଇଛି। ଏହି ଯୁଦ୍ଧରେ ଅନ୍ୟ କେତେକ ପକ୍ଷ ନିଜକୁ ସାମିଲ କରିଛନ୍ତି। ଲେବାନନ ଓ ସିରିୟାର ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ଏଥିରେ ସାମିଲ ହୋଇଛନ୍ତି। ସେହିପରି ଗାଜା ଉପରେ ଇସ୍ରାଏଲ ସେନା ସ୍ଥଳପଥରେ ଆକ୍ରମଣ କରିବାକୁ ଯୋଜନା କରିଛି। ଆକ୍ରମଣ ଆରମ୍ଭ ଲାଗି ରବିବାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କ୍ୟାବିନେଟର ଜରୁରୀ ବୈଠକ ଡକାଇଛନ୍ତି। ଏହା ପୂର୍ବରୁ ଇସ୍ରାଏଲ ସେନା ଗାଜା ଛାଡି ପଳାଇବା ଲାଗି ଏଠାକାର ସାଧାରଣ ନାଗରିକଙ୍କୁ କହିଛି। ଗାଜା ଛାଡି ପଳାଇବା ଲାଗି ଇସ୍ରାଏଲ ସେନା ରବିବାର ଏହାର ଧାର୍ଯ୍ୟ ମହଲତକୁ ବୃଦ୍ଧି କରିଛି। ଗାଜା ଖାଲି କରିବା ଲାଗି ଇସ୍ରାଏଲ ଏଠାକାର ନାଗରିକଙ୍କୁ ରବିବାର ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଅତିରିକ୍ତ ସମୟ ଦେଇଛି। ଗାଜା ଖାଲିକରି ସାଧାରଣ ନାଗରିକଙ୍କୁ ଦକ୍ଷିଣସ୍ଥ ୱାଡି ଗାଜାକୁ ପଳାଇବା ଲାଗି ସାଧାରଣ ଲୋକଙ୍କୁ କୁହାଯାଇଛି। ଇସ୍ରାଏଲର ଏପରି ଆହ୍ବାନ ପରେ ଲକ୍ଷ ଲକ୍ଷ ଗାଜାବାସୀ ଘରଦ୍ବାର ଛାଡି ପଳାଇଲେଣି। ଅନ୍ୟପଟେ ଇସ୍ରାଏଲ ଉପରେ ଆକ୍ରମଣ ବୃଦ୍ଧି ପାଇଥିବାବେଳେ ସୀମାନ୍ତ ଅଞ୍ଚଳରୁ ଏହା ନାଗରିକଙ୍କୁ ସ୍ଥାନାନ୍ତର କରିଛି। ଲେବାନନସ୍ଥିତ ହେଜବୋଲ୍ଲା ସଂଗଠନର ଆକ୍ରମଣରେ ଇସ୍ରାଏଲ ସେନାର ତିନିଜଣ ସୈନିକ ଆହତ ହୋଇଥିବାବେଳେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ହେଜବୋଲ୍ଲାର ଏପରି ଆକ୍ରମଣ ପରେ ଇସ୍ରାଏଲ ଏହାର ନାଗରିକଙ୍କୁ ସୀମାନ୍ତ ଅଞ୍ଚଳ ଠାରୁ ୪କିମି ଦୂର ପର୍ଯ୍ୟନ୍ତ ଖାଲି କରିବାକୁ କହିଛି। ହେଜବୋଲ୍ଲା ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ଲୋବାନନ ସୀମାରେ ମଧ୍ୟ ଇସ୍ରାଏଲ ସ୍ଥଳପଥରେ ଆକ୍ରମଣ କରିବ ବୋଲି କହିଛି।
ଯୁଦ୍ଧ ଦିନକୁ ଦିନ ଉଗ୍ର ହେଉଥିବାବେଳେ ଏଥିରେ ଅନ୍ୟ ଦେଶ ସାମିଲ ହେବା ପୂର୍ବକ ବ୍ୟାପକ ରୂପ ଧାରଣ କରିବା ନେଇ ଆମେରିକା ଆଶଙ୍କା ବ୍ୟକ୍ତ କରିଛି। ରବିବାର ଆମେରିକା କହିଛି ଯେ ଏହି ଯୁଦ୍ଧରେ ଇରାନ ପ୍ରତ୍ୟକ୍ଷ ଭାବେ ସାମିଲ ହେବାର ଆଶଙ୍କା ରହିଛି। ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସୁଲିଭାନ କହିଛନ୍ତି ଯେ ଆଗାମୀ ଦିନରେ ଇସ୍ରାଏଲ-ଲେବାନନ ସୀମାରେ ନୂଆ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। ସେହିପରି ଯୁଦ୍ଧରେ ହମାସର ପକ୍ଷ ନେଇ ଇରାନ ଯୁଦ୍ଧରେ ସାମିଲ ହେବାକୁ ନିଷ୍ପତ୍ତି ନେବ। ତେଣୁ ଆମେରିକା ଏପରିସ୍ଥିତିର ସମସ୍ତ ଆଶଙ୍କାକୁ ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା ଦରକାର ବୋଲି ସୁଲିଭାନ କହିଛନ୍ତି। ଇରାନ ଦୀର୍ଘ ଦିନ ହେଲା ହମାସ ଆତଙ୍କବାଦୀ ଓ ଲେବାନନର ହେଜବୁଲ୍ଲା ଆତଙ୍କବାଦୀଙ୍କୁ ସାହାଯ୍ୟ କରିଆସୁଛି। ଯୁଦ୍ଧରେ ଇରାନର ସମ୍ପୃକ୍ତି ପ୍ରଥମରୁ ଆଶଙ୍କା କରାଯାଇଥିଲା। ତେଣୁ ରାଷ୍ଟ୍ରପତି ଜୋ ବାଇଡେନ ତୁରନ୍ତ ଯୁଦ୍ଧବିମାନବାହୀ ଯୁଦ୍ଧପୋତକୁ ପୂର୍ବ ଭୂମଧ୍ୟ ସାଗରକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଲଏଡ ଅଷ୍ଟିନ କହିଛନ୍ତି ଯେ ଇସ୍ରାଏଲ ଉପକୂଳକୁ ଦ୍ବିତୀୟ ଯୁଦ୍ଧବିମାନବାହୀ ଯୁଦ୍ଧପୋତ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି।
ସେହିପରି ସିରିୟା ମଧ୍ୟ ଏହି ଯୁଦ୍ଧରେ ନିଜକୁ ସାମିଲ କରିଥିବା ଜଣାଯାଇଛି। ରବିବାର ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ଦାବି କରିଛି ଯେ ସିରିୟା ପଟରୁ ଉତ୍ତର ଇସ୍ରାଏଲ ଅଞ୍ଚଳକୁ ରକେଟ୍‌ ମାଡ କରାଯାଇଛି। ସେହିପରି ଲେବାନନ ସୀମାରେ ମଧ୍ୟରେ ରକେଟ୍ ମାଡର ସାଇରନ ଶୁଣାଯାଇଛି। ସିରିୟା ଆକ୍ରମଣରେ ଇସ୍ରାଏଲର କୌଣସି ଧନ ଜୀବନ ହାନି ହୋଇ ନାହିଁ। ତେବେ ଏହି ଆକ୍ରମଣର ଜବାବ ଦେବା ଲାଗି ଇସ୍ରାଏଲ ଏହାର କ୍ଷେପଣାସ୍ତ୍ରକୁ ଉପଯୋଗ କରିଛି। ଯୁଦ୍ଧ ବ୍ୟାପକ ହେଉଥିବା ଜାଣିବା ପରେ ଏହାକୁ ପ୍ରଶମିତ କରିବା ଲାଗି ଆମେରିକା ପଦକ୍ଷେପ ନେଇଛି। ଯୁଦ୍ଧ ବନ୍ଦ ଲାଗି ଇଜିପ୍ଟ, ଜୋର୍ଡାନ, ଚୀନ ସହିତ ଆମେରିକା କଥାବାର୍ତ୍ତା କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories