BJD Bijuli 480×75 Mob

ଯୁଦ୍ଧ ବନ୍ଦ କଲେ ପଣବନ୍ଦୀଙ୍କୁ ଛାଡ଼ିବୁ

ମଧ୍ୟସ୍ଥ କତାରକୁ ଜଣାଇଲା ହମାସ୍‌

BJD Bijuli 480×75 Mob

ତେଲ୍‌ ଆବିଭ୍‌ : ଇସ୍ରାଏଲ ସେନା ଶୁକ୍ରବାରଠାରୁ ଗାଜାରେ ଆରମ୍ଭ କରିଥିବା ଭୂପୃଷ୍ଠ ଆକ୍ରମଣ ବ୍ୟାପକ କରିଛି। ଏହାର ଟ୍ୟାଙ୍କଗୁଡ଼ିକ ଗାଜା ସହରର ପ୍ରମୁଖ ରାସ୍ତାରେ ଦୌଡ଼ୁଛି। ଗାଜାର ଉତ୍ତରାଞ୍ଚଳ ପ୍ରମୁଖ ଯୁଦ୍ଧ କ୍ଷେତ୍ର ପାଲଟିଥିଲେ ମଧ୍ୟ ଦକ୍ଷିଣରେ ଅବସ୍ଥିତ ଜେତୁନ୍‌ ନଗରୀର ରାସ୍ତାଗୁଡ଼ିକୁ କାଟି ଦିଆଯାଇଛି; ଫଳରେ ଉତ୍ତର ଓ ଦକ୍ଷିଣ ଗାଜା ମଧ୍ୟରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଶନିବାର ହମାସ୍‌ର ୪୫୦ ଆଡ୍ଡାକୁ ଇସ୍ରାଏଲ ସେନା ଧ୍ବଂସ କରିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଅଧିକ ୬୦୦ ଆଡ୍ଡା ଧ୍ବଂସ କରିଥିବା ଜଣାପଡ଼ିଛି। ଇସ୍ରାଏଲ ବିମାନ ଆକ୍ରମଣରେ ଗୋଟିଏ କୋଠାରେ ଲୁଚିଥିବା ୨୦ ହମାସ୍‌ ସଦସ୍ୟ ପ୍ରାଣ ହରାଇଛନ୍ତି। ଉତ୍ତର ଗାଜାରେ ଘମାଗୋଟ ଯୁଦ୍ଧ ଲାଗିଛି ଓ ଏଥିରେ ଏହାର ବହୁ ସଦସ୍ୟ ପ୍ରାଣ ହରାଇଥିବା ହମାସ୍‌ ସ୍ବୀକାର କରିଛି। ଇସ୍ରାଏଲର ଧମକ ପରେ ଉତ୍ତର ଗାଜାରୁ ପ୍ରାୟ ୧୧ଲକ୍ଷ ଲୋକ ଦକ୍ଷିଣ ଆଡ଼କୁ ମୁହାଁଇଥିବାବେଳେ ସେଠାରେ ମଧ୍ୟ ନିସ୍ତାର ପାଉ ନାହାନ୍ତି। ଇତିମଧ୍ୟରେ କେବଳ ଗାଜାରେ ମୃତ୍ୟୁ ସଂଖ୍ୟା ୮୩୦୦ରେ ପହଞ୍ଚିଥିବାବେଳେ ଶିଶୁଙ୍କ ସଂଖ୍ୟା ୩୩୪୦ ବୋଲି ଜଣାପଡ଼ିଛି। ମୋଟ ମୃତ୍ୟୁ ସଂଖ୍ୟା ୧୦ହଜାର ଛୁଇଁବାକୁ ଯାଉଥିବା ପ୍ରକାଶ। ଏଭଳି ସ୍ଥିତିରେ ଇସ୍ରାଏଲ ପକ୍ଷରୁ ପାଲେଷ୍ଟିନୀୟଙ୍କୁ ୱେଷ୍ଟବ୍ୟାଙ୍କର ସୀମାନ୍ତ ଗ୍ରାମରୁ ପଳାଇଯିବା ପାଇଁ ନିର୍ଦେଶ ଦିଆଯାଇଛି। ସେଠାରେ ଆଶ୍ରୟ ନେଇଥିବା କିଛି ଲୋକ ସେନା ଓ ପୁଲିସ ପୋଷାକରେ ସ୍ଥାନୀୟ ଜନତାଙ୍କୁ ଶୋଷଣ କରୁଥିବା ଅଭିଯୋଗ ପରେ ଏହି ନିର୍ଦେଶ ଦିଆଯାଇଛି। ଅପରପକ୍ଷରେ ଇସ୍ରାଏଲ ପକ୍ଷରୁ ଉତ୍ତରାଞ୍ଚଳରୁ ଲେବାନନ୍‌ରେ ଥିବା ହେଜ୍‌ବୋଲ୍ଲା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଘନଘନ ବୋମାମାଡ଼ ଓ ରକେଟ ଆକ୍ରମଣ ଜାରି ରହିଛି। ସେହିପରି ସିରିଆରେ ଥିବା ଆଡ୍ଡା ଉପରେ ମଧ୍ୟ ଇସ୍ରାଏଲ ପ୍ରବଳ ରକେଟ ମାଡ଼ କରିଛି। ସେଠାରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଓ ସାମରିକ ଘାଟିକୁ ନିଶାଣ କରାଯାଉଛି। ଇସ୍ରାଏଲ ସେନା ଆଇଡିଏଫ୍‌ ଏହି ଆକ୍ରମଣର ଭିଡିଓ ଜାରି କରିଛି। ରବିବାର ସିରିଆ ସୀମାରୁ ଇସ୍ରାଏଲ ଉପରେ ଆକ୍ରମଣର ଏହା ଜବାବ ବୋଲି ଆଇଡିଏଫ୍‌ ଦର୍ଶାଇଛି।
ଅଦ୍ୟାବଧି ମୁହଁ ତୋଡ଼ ଦେଖାଇ ଆସୁଥିବା ହମାସ୍‌ ଅନ୍ୟୂନ ୫ ଦିନ ଯୁଦ୍ଧ ବିରତି ଚାହୁଁଥିବା ଜଣାପଡ଼ିଛି। କତାର ପକ୍ଷରୁ ଯୁଦ୍ଧ ବିରତି ପାଇଁ ଇସ୍ରାଏଲ ଓ ହମାସ୍‌ ସହିତ ଆଲୋଚନା ଆରମ୍ଭ ହୋଇଥିବାବେଳେ ହମାସ୍‌ ଏଭଳି ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି। ଗାଜାକୁ ମାନବୀୟ ସହାୟତା ଓ ବିଶେଷକରି ଇନ୍ଧନ ପହଞ୍ଚାଇବା ଉଦ୍ଦେଶ୍ୟରେ ହମାସ୍‌ ଏଭଳି ପ୍ରସ୍ତାବ ଦେଇଥିବା ପ୍ରକାଶ। ଏହା ବଦଳରେ ପଣବନ୍ଦୀ ଥିବା ସମସ୍ତ ସାଧାରଣ ନାଗରିକଙ୍କୁ ମୁକ୍ତ କରିବ ବୋଲି ହମାସ୍‌ ସର୍ତ୍ତ ରଖିଥିବା ଜଣାପଡ଼ିଛି। ଯୁଦ୍ଧରେ ବହୁ ସଂଖ୍ୟକ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟୁଥିବାରୁ ସେମାନଙ୍କ ସୁରକ୍ଷା କ୍ଷେତ୍ରରେ ଆନ୍ତର୍ଜାତିକ ଆଇନ ପ୍ରତି ଧ୍ୟାନ ଦେବା ପାଇଁ ଇସ୍ରାଏଲକୁ ଆମେରିକା ପରାମର୍ଶ ଦେଇଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଫୋନ୍‌ କରି ଏହି ପରାମର୍ଶ ଦେଇଛନ୍ତି। ଏଥିସହିତ ମଧ୍ୟପ୍ରାଚ୍ୟର ନେତାମାନେ ଯୁଦ୍ଧର ଅନ୍ତ ଘଟାଇବା ସହ ଦୁଇ ରାଷ୍ଟ୍ର ନୀତିରେ ସମାଧାନ ଉଦ୍ୟମ କରିବା ଆବଶ୍ୟକ ବୋଲି ବାଇଡେନ୍‌ କହିଛନ୍ତି। ଅପରପକ୍ଷରେ ଯୁଦ୍ଧ ବିନା ସମସ୍ୟାର ସମାଧାନ ସମ୍ଭବ ନୁହେଁ ବୋଲି କହିଛନ୍ତି ନେତାନ୍ୟାହୁ। ଆନ୍ତର୍ଜାତିକ ଅଦାଲତ (ଆଇସିଜେ)ର ମୁଖ୍ୟ ଆଇନଜୀବୀ କରିମ ଖାଁ କହିଛନ୍ତି ଯେ ଯୁଦ୍ଧରେ ନିହତ ଓ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ମିଳିବା ଉଚିତ। ପୁନଶ୍ଚ ଗାଜାକୁ ସହାୟତା ପଠାଇବାରେ ବାଧକ ସାଜିବା ଆନ୍ତର୍ଜାତିକ ଆଇନାନୁଯାୟୀ ଅପରାଧ ବୋଲି ସେ ମତ ଦେଇଛନ୍ତି।

Comments are closed.