ଲକ୍ଷ୍ମଣନାଥ: ଜଳେଶ୍ୱର ବ୍ଲକ, ଗୋବରଘଟା ପଞ୍ଚାୟତର କୃଷ୍ଣନଗରଠାରେ ଥିବା ଇସ୍କନ ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜଳେଶ୍ୱରରେ ଆତଙ୍କ ଖେଳିଯାଇଛି। ଏହି ଦମ୍ପତି ସବୁବେଳେ ସମାଜସେବାରେ ନିୟୋଜିତ ଥିବାରୁ ବହୁ ଲୋକଙ୍କ ସଂଷ୍ପର୍ଶ ଆସିଥାନ୍ତି। ଏଥି ସହିତ ମୁଖ୍ୟ ସେବକଙ୍କର ରାଜପୁର ପଞ୍ଚାୟତରେ ଏକ ବ୍ୟବସାୟିକ ସଂସ୍ଥା ରହିଛି। ବିଭିନ୍ନ ସମୟରେ ସେଠାକୁ ବହୁ ଗ୍ରାହକ ଆସିଥାନ୍ତି। ଗତ ୧୨ ତାରିଖରେ ଦେଉଳି ପଞ୍ଚୁଘଣ୍ଟା ଅଞ୍ଚଳରେ ରହୁଥିବା ଜଣେ ପୌର କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ସେହିଦିନ ଅପରାହ୍ଣରେ ୧୦୦ ଜଣଙ୍କର ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ବୁଧବାର ସେମାନଙ୍କ ରିପୋର୍ଟ ପହଞ୍ଚିବା ପରେ ଏହି ଦମ୍ପତିଙ୍କ ସମେତ ଆଉ ୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୧୨ ତାରିଖରେ ପଜିଟିଭ ଚିହ୍ନଟ ହୋଇଥିବା ଝାଡ଼େଶ୍ୱରପୁର ଅଞ୍ଚଳର ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଶଶୁର ବୋଲି ଜଣାଯାଇଛି।
ବୁଧବାର ଚିହ୍ନଟ ହୋଇଥିବା ୧୧ ଜଣଙ୍କୁ ମିଶାଇ ଜଲେଶ୍ୱର ବ୍ଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଏଥିରେ ଉଦ୍ବେଗ ପ୍ରକାଶ କରି ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବୁଧବାର ସନ୍ଧ୍ୟା ୭ଟାରେ ଭିଡିଓ କନଫରେନ୍ସ ଯୋଗେ ଜଳେଶ୍ୱର ବିଡିଓ ଦୀପ୍ତିରଞ୍ଜନ ସେଠୀ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ପ୍ରଭାସଚନ୍ଦ୍ର ନାୟକ, ସିଡିପିଓ ଦୀପ୍ତିମୟୀ ପୋଥାଳ, ଆଇଆଇସି ଧନେଶ୍ୱର ସାହୁ ପ୍ରମୁଖଙ୍କ ସହିତ ସମ୍ଭାବ୍ୟ ପରିସ୍ଥିତି ଓ ଭବିଷ୍ୟତ କାର୍ୟ୍ୟପନ୍ଥା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।



