ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ଆବୁଧାବିରେ ପ୍ରଥମ ମ୍ୟାଚ କିଙ୍ଗ୍ସ ଏକାଦଶ ପଞ୍ଜାବ – କଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବାବେଳେ ଦୁବାଇରେ ଦ୍ବିତୀୟ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍ସ -ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ।
ଦିନେଶ କାର୍ତ୍ତିକଙ୍କ ନେତୃତ୍ବାଧୀନ କଲକାତା ନାଇଟ୍ ରାଇଡର୍ସ ୫ଟି ମ୍ୟାଚରୁ ୩ଟି ବିଜୟ ଓ ୨ଟି ପରାଜୟ ସହ ୬ ପଏଣ୍ଟ ପାଇଛି। ଲଗାତାର ୨ଟି ପରାଜୟ ପରେ ଦଳ ଶେଷ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍ସକୁ ପରାସ୍ତ କରିବାରେ ସଫଳ ହୋଇଥିଲା। ଚେନ୍ନଇ ବିପକ୍ଷରେ ରାହୁଲ ତ୍ରିପାଠୀଙ୍କ ଦର୍ଶନୀୟ ଇନିଂସ ଦଳର ଆତ୍ମବିଶ୍ବାସ ବଢାଇଛି। ଅନ୍ୟପକ୍ଷରେ ଆଣ୍ଡ୍ୟୁ ରସେଲ, ଅଧିନାୟକ କାର୍ତ୍ତିକ, ଇୟାନ ମୋର୍ଗାନ ଏପର୍ୟ୍ୟନ୍ତ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ବୋଲିଂରେ କମଳେଶ ନାଗରକୋଟି, ଶୁଭମ ମାଭି ଓ ପ୍ୟାଟ୍ କମିନ୍ସ ଭଲ ପ୍ରଦର୍ଶନ କରୁଛନ୍ତି। ଦଳ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ବିଜୟ ଧାରାକୁ ବଜାୟ ଲାଗି ଉଦ୍ୟମ କରିବ।
ଅନ୍ୟପକ୍ଷରେ ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ଥିବା ଲୋକେଶ ରାହୁଲଙ୍କ ନେତୃତ୍ବାଧୀନ କିଙ୍ଗ୍ସ ଏକାଦଶ ପଞ୍ଜାବ ପ୍ଲେ ଅଫ ଦୌଡ଼ରେ ରହିବା ଲାଗି ନିଶ୍ଚିତ ବିଜୟ ଆବଶ୍ୟକତା ରହିଛି। କାରଣ ଦଳ ୬ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ବିଜୟ ଓ ୫ଟି ପରାଜୟ ସହ ୨ ପଏଣ୍ଟ ପାଇଛି। ରାହୁଲ ଓ ମୟଙ୍କ ଅଗ୍ରୱାଲ ଓପନିଂ ଯୋଡ଼ି ଭଲ ପ୍ରଦର୍ଶନ କରୁଥିବାବେଳେ ଶେଷ ମ୍ୟାଚରେ ନିକୋଲାସ ପୁରଣ ଦର୍ଶନୀୟ ଇନିଂସ ଖେଳିଥିଲେ। ମ୍ୟାକ୍ସୱେଲ, ମନଦୀପ୍ ସିଂହ ବ୍ୟାଟିଂରେ ବିଫଳ ହେଉଛନ୍ତି। କେକେଆର ବିପକ୍ଷରେ କ୍ରିସ୍ ଗେଲ ଖେଳିବାର ସମ୍ଭାବନା ରହିଛି।
ସେହିପରି ଦୁବାଇରେ ଦ୍ବିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ- ଚେନ୍ନଇ ସୁପରକିଙ୍ଗ୍ସ୍କୁ ଭେଟିବ। ବିରାଟ କୋହଲିଙ୍କ ନେତୃତ୍ବାଧିନ ବେଙ୍ଗାଲୁରୁ ୫ଟି ମ୍ୟାଚରୁ ୩ଟି ବିଜୟ ଓ ୨ଟି ପରାଜୟ ସହ ୬ ପଏଣ୍ଟ ପାଇଛି। ସେହିପରି ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପରକିଙ୍ଗ୍ସ ୫ଟି ମ୍ୟାଚରୁ ୨ଟି ବିଜୟ ଓ ୩ଟି ପରାଜୟ ସହ ୪ ପଏଣ୍ଟ ପାଇଛି। ଆରସିବିରେ ବିରାଟଙ୍କ ସମେତ ଦେବଦତ୍ତ ପାଡ଼ିକଲ, ଏ.ବି ଡିଭିଲିୟର୍ସ, ଆରୋନ ଫିଞ୍ଚଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି।



