ଆଜି ଚେନ୍ନଇ-ଗୁଜରାଟ ଆଇପିଏଲ୍‌ ଫାଇନାଲ

ଅହମ୍ମଦାବାଦ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟ୍ରଫି ଲଢ଼େଇ ବା ଫାଇନାଲ ପାଇଁ ମଞ୍ଚ ପ୍ରସ୍ତୁତ। ରବିବାର ବିଶ୍ବର ସର୍ବବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଟି୨୦ କ୍ରିକେଟ୍‌ର ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗ୍‌ସ ଓ ଚଳିତ ସଂସ୍କରଣର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ ଶୁବ୍‌ମାନ ଗିଲ୍‌ଙ୍କ ଗୁଜରାଟ ଟାଇଟାନ୍‌ସ ମଧ୍ୟରେ ଫାଇନାଲ ଖେଳାଯିବ। ୪୨ତମ ଜନ୍ମଦିନ ପାଳନ କରିବାକୁ ଯାଉଥିବା ଧୋନି ଏକ ସ୍ମରଣୀୟ ବିଦାୟ ଲକ୍ଷ୍ୟରେ ରହିଛନ୍ତି। ଅନ୍ୟପକ୍ଷରେ ଗିଲ୍‌ ବଳରେ ବଳିୟାନ୍ ଗୁଜରାଟ ଦଳ ଧୋନିଙ୍କୁ ୫ମ ଆଇପିଏଲ୍‌ ଟାଇଟଲରୁ ବଞ୍ଚିତ କରିବାକୁ ବଦ୍ଧ ପରିକର। ୧,୩୨,୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଷ୍ଟାଡିୟମ୍‌ରେ ଶେଷଥର ହଳଦିଆ ଜର୍ସିରେ ସିଏସ୍‌କେକୁ ଚମ୍ପିଆନ୍‌ କରାଇବା ପାଇଁ ଧୋନି ଲକ୍ଷ୍ୟ ରଖିଛନ୍ତି। ଏପରି ହେଲେ ମୁମ୍ବଇ ଇଣ୍ଡିଆନ୍‌ସର ୫ଟି ଆଇପିଏଲ୍‌ ଟ୍ରଫି ସହ ସିଏସ୍‌କେ ସମକକ୍ଷ ହୋଇପାରିବ। ଅନ୍ୟପକ୍ଷ​ରେ ଗତବର୍ଷର ଚମ୍ପିଆନ୍‌ ତଥା ଚଳିତ ବର୍ଷ ସର୍ବାଧିକ ମ୍ୟାଚ୍‌ ଜିତିଥିବା ଗୁଜରାଟ ଟାଇଟଲ ବଜାୟ ରଖିବାକୁ ଉଦ୍ୟମ କରିବ। ଗୁଜରାଟର ସୌଭାଗ୍ୟ ଯେ ଫାଇନାଲ ମ୍ୟାଚ୍‌ ଘରୋଇ ପଡ଼ିଆରେ ଖେଳିବ; ଯେଉଁଠା​ରେ ଏହାକୁ ଲକ୍ଷାଧିକ ଦର୍ଶକଙ୍କ ସମର୍ଥନ ମିଳିବ।

ଉଭୟ ଗୁଜରାଟ ଓ ସିଏସ୍‌କେ ମାର୍ଚ୍ଚ ୩୧ରେ ଏଠାରେ ଉଦ୍‌ଘାଟନୀ ମୁକାବିଲା ଖେଳିଥିଲେ। ଏହାକୁ ଗୁଜରାଟ ୫ ୱିକେଟରେ ଜିତିଥିଲା। ସିଏସ୍‌କେ ଓପ୍‌ନର ଋତୁରାଜ ଗାଏକ୍‌ୱାଡ୍‌ ବିସ୍ଫୋରକ ୯୨ ରନ୍‌ କରିଥିବା ବେଳେ ଶୁବ୍‌ମାନ ଗିଲ୍‌ ଓ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ରସିଦ୍‌ ଖାଁଙ୍କ ସଫଳତା ବଳରେ ଗୁଜରାଟ ଜିତିଥିଲା। ଗତ ୨୩ରେ ପ୍ରଥମ କ୍ବାଲିଫାୟରରେ ଋତୁରାଜଙ୍କ ୬୦ ଓ ସ୍ପିନରଙ୍କ ଭଲ ପ୍ରଦର୍ଶନ ବଳରେ ଗୁଜରାଟକୁ ୧୫ ରନ୍‌ରେ ହରାଇ ସିଏସ୍‌କେ ଫାଇନାଲରେ ପହଞ୍ଚିଛି। ଗିଲ୍‌ଙ୍କ ବିସ୍ଫୋରକ ଶତକ ବଳରେ କ୍ବାଲିଫାୟର-୨ରେ ମୁମ୍ବଇ ଇଣ୍ଡିଆନ୍‌କୁ ୬୨ ରନ୍‌ରେ ହରାଇ ଗୁଜରାଟ କ୍ରମାଗତ ୨ୟ ଫାଇନାଲରେ ପହଞ୍ଚିଛି। ଆଇପିଏଲ୍‌ରେ ଅଦ୍ୟାବଧି ଉଭୟ ଦଳଙ୍କ ମଧ୍ୟରେ ୪ଟି ମ୍ୟାଚ୍‌ ହୋଇଥିବା ବେଳେ ଗୁଜରାଟ ୩ଟି ଓ ସିଏସ୍‌କେ ଗୋଟିଏ ଜିତିଛି। ସିଏସ୍‌କେ ୫ଟି ମ୍ୟାଚ୍‌ରେ ୨୦୦ କିମ୍ବା ଅଧିକ ରନ୍‌ କରିଛି। ଦୁଇ ଓପ୍‌ନର ଋତୁରାଜ ଗାଏକ୍‌ୱାଡ୍‌ ଓ ଡେଭନ୍ କନ୍‌ୱେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନ୍ୟୁଜିଲାଣ୍ଡର କନ୍‌ୱେ ୬ଟି ଅର୍ଦ୍ଧଶତକ ସହ ୬୨୫ ଓ ଋତୁରାଜ ୪ଟି ଅର୍ଦ୍ଧଶତକ ସହ ୫୬୪ ରନ୍‌ କରିଛନ୍ତି। କ୍ଲାଲିଫାୟର-୧ରେ ଋତୁରାଜ-କନ୍‌ୱେ ୮୭ ରନ୍‌ର ଓପ୍‌ନିଂ ଭାଗିଦାରୀ କରିଥିଲେ। ଶିବମ୍ ଦୁବେ ବିସ୍ଫୋରକ ବ୍ୟାଟିଂକରି ୩ଟି ଅର୍ଦ୍ଧଶତକ ଓ ୩୩ଟି ଛକା ସହ ୩୮୬ ରନ୍‌ କରିଛନ୍ତି। ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଚମ୍ପିଆନ୍‌ଙ୍କ ପରି ପ୍ରଦର୍ଶନ କରିଛନ୍ତି। ସ୍ପିନର ମାହିଶ୍‌ ତୀକ୍ଷଣ ଭଲ ବୋଲିଂ କରୁଛନ୍ତି। ଦୀପକ ଚହର ନୂଆ ବଲ୍‌ରେ ଚମତ୍କାର ବୋଲିଂ କରୁଛନ୍ତି। ମାଥିଶା ପାଥିରାନା ଓ ତୁଷାର ଦେଶପାଣ୍ଡେଙ୍କ ପ୍ରଦର୍ଶନ ଭଲ ରହିଛି। ଭଲ ବୋଲିଂ କରୁଛନ୍ତି।

ଗୁଜରାଟ ସମସ୍ତ ବିଭାଗରେ ଶକ୍ତିଶାଳୀ ରହିଛି। ମ୍ୟାଚ୍‌ ବିଜେତା ଦଳ ହେବା ପାଇଁ ଯାହା ଆବଶ୍ୟକ; ତାହା ଗୁଜରାଟ ପାଖରେ ରହିଛି। ଶ୍ରେଷ୍ଠ ଓପ୍‌ନିଂ ବ୍ୟାଟର ଶୁବ୍‌ମାନ ଗିଲ୍‌. ଶ୍ରେଷ୍ଠ ଓପ୍‌ନିଂ ବୋଲର ମହମ୍ମଦ ସାମି ଓ ଶ୍ରେଷ୍ଠ ସ୍ପିନର ରସିଦ୍‌ ଖାଁ ଗୁଜରାଟ ଦଳରେ ଅଛନ୍ତି। ଫିନିସର ଭାବେ ରହିଛନ୍ତି ଡେଭିଡ୍‌ ମିଲର ଓ ରାହୁଲ ତିୱତିଆ। ମଧ୍ୟକ୍ରମରେ ସାଇ ସୁଦର୍ଶନ ଭଲ ବ୍ୟାଟିଂ କରିଛନ୍ତି। ଅଭିଜ୍ଞ ମୋହିତ ଶର୍ମା ୧୩ଟି ମ୍ୟାଚ୍‌ରୁ ୨୪ଟି ୱିକେଟ ନେଇଛନ୍ତି। ଫଳରେ ୩ ସର୍ବାଧିକ ୱିକେଟ ହାସଲକାରୀ ଗୁଜରାଟର। ତେବେ ୧୬ଟି ମ୍ୟାଚ୍‌ରୁ ୩ଟି ଶତକ ଓ ୪ଟି ଅର୍ଦ୍ଧଶତକ କ୍ବଚିତ ଦେଖାଯାଏ। ଶୁବ୍‌ମାନ ଗିଲ୍‌ ଜୀବନର ଶ୍ରେଷ୍ଠ ବ୍ୟାଟିଂ ଫର୍ମରେ ଅଛନ୍ତି। ଗତ ୪ଟି ମ୍ୟାଚ୍‌ରୁ ଗିଲ୍‌ ୩ଟି ଶତକ ମାରିଛନ୍ତି। ଫାଇନାଲରେ ତାଙ୍କଠାରୁ ଅନୁରୂପ ପ୍ରଦର୍ଶନର ଆଶାରଖିଛି ଗୁଜରାଟ। ଅନ୍ୟପକ୍ଷରେ ଗିଲ୍‌ଙ୍କୁ ରୋକିବା ପାଇଁ ଧୋନି ସ୍ବତନ୍ତ୍ର ଯୋଜନା କରିଥିବେ। ଦୀପକ ଚହରଙ୍କ ମୁକାବିଲା ଗିଲ୍‌ କିପରି କରୁଛନ୍ତି; ତାହା ଦେଖିବାର କଥା। ପିଚ୍‌ ବ୍ୟାଟିଂ ସହାୟକ ହେବ ଏବଂ ବ୍ୟାଟ୍‌ସମ୍ୟାନ ଛୋଟ ବାଉଣ୍ଡରୀର ଫାଇଦା ଉଠାଇବାକୁ ଚାହିଁବେ। ମୋଟଉପରେ କହିବାକୁ ଗଲେ ୭୩ଟି ମ୍ୟାଚ୍‌ ପରେ ଚଳିତ ସଂସ୍କରଣର ଦୁଇ ଶ୍ରେଷ୍ଠ ଦଳ ଫାଇନାଲ ଖେଳିବାକୁ ଯାଉଛନ୍ତି। ତେଣୁ କୌଣସି ଦଳକୁ ଫେଭରିଟ୍‌ ମାନିବା ଭୁଲ୍‌ ହେବ। ତେବେ ଏହା ସତ ଯେ ମ୍ୟାଚ୍‌ରେ ଜୋରଦାର ସଂଘର୍ଷ ହେବ।

Comments are closed.