ଡିସେମ୍ବରରେ ଧୋନିଙ୍କ ଆଇପିଏଲ୍‌ ଖେଳିବା ନିଷ୍ପତ୍ତି

ମୁମ୍ବଇ: ଚେନ୍ନଇ ସୁପରକିଙ୍ଗ୍‌ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଦଳ ୧୦ମ ଥର ଲାଗି ଆଇପିଏଲର ଫାଇନାଲରେ ପହଞ୍ଚିଛି। ୫ମ ଥର ପାଇଁ ଚେନ୍ନଇକୁ ଆଇପିଏଲ ବିଜେତା କରିବା ନେଇ ଧୋନି ଆଉ ମାତ୍ର ଗୋଟିଏ ବିଜୟଠାରୁ ଦୂରରେ ରହିଛନ୍ତି। ଚେନ୍ନଇ ସୁପରକିଙ୍ଗ୍‌ସର ଏହି ସଫଳ ଅଧିନାୟକ ଚଳିତ ଆଇପିଏଲର ଫାଇନାଲ ପରେ ଅବସର ନେବା ନେଇ ଚର୍ଚ୍ଚା ହେଉଛି। ଏପରିକି ୨୯ରେ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଆଇପିଏଲ-୧୬ ଫାଇନାଲ ପରେ ଧୋନି ଅବସର ନେବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଧୋନି ପ୍ରଶଂସକମାନଙ୍କୁ ସାମାନ୍ୟ ଆଶ୍ବସ୍ତିକର ଖବର ଦେଇଛନ୍ତି। ଧୋନି ୨୦୨୪ ଆଇପିଏଲରେ ଖେଳିବେ କି ନାହିଁ ​ସେ ନେଇ ନିଷ୍ପତ୍ତି ଡିସେମ୍ବରରେ ନେବେ ବୋଲି ସୂଚନା ଦେଇଛନ୍ତି। ସୋମବାର ଚେପକ୍‌ ଷ୍ଟାଡ଼ିୟମରେ ଖେଳାଯାଇଥିବା ଆଇପିଏଲ କ୍ବାଲିଫାୟର-୧ରେ ଚେନ୍ନଇ ସୁପରକିଙ୍ଗ୍‌ସ ୧୫ ରନରେ ଗୁଜରାଟ ଟାଇଟାନ୍‌ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ମ୍ୟାଚ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଧୋନିଙ୍କୁ ଆଗାମୀ ଦିନରେ ସିଏସ୍‌କେରେ ଖେଳାଳି କିମ୍ବା ଅନ୍ୟ କୌଣସି ଭୂମିକାରେ ଦେଖିବାକୁ ପ୍ରଶଂସକ ପାଇବେ ବୋଲି ପ୍ରଶ୍ନ କରାଯାଇଥିଲା। ୪୧ ବର୍ଷୀୟ ଧୋନି କହିଥିଲେ ଯେ, ଚେନ୍ନଇ ସହିତ ସଦାସର୍ବଦା ରହିଛି ;ଆଉ ଆଗାମୀ ଦିନରେ ରହିବି।

୨୦୨୪ ଆଇପିଏଲରେ ଚେନ୍ନଇ ପାଇଁ ଖେଳିବା ନେଇ ନିଷ୍ପତ୍ତି ଆସନ୍ତା ଡିସେମ୍ବରରେ ନେବି ବୋଲି ଧୋନି କହିଛନ୍ତି। ୨୦୨୨ ଆଇପିଏଲରେ ଚେନ୍ନଇ ସୁପରକିଙ୍ଗ୍‌ସ ଦୟନୀୟ ପ୍ରଦର୍ଶନ କରିବା ସହିତ ୯ମ ସ୍ଥାନରେ ରହି ପ୍ଲେ ଅଫରୁ ବାଦ୍ ପଡିଥିଲା। ଉକ୍ତ ବିଫଳତା ଚଳିତ ସଂସ୍କରଣ ଲାଗି ଶିକ୍ଷା ଦେଇଥିଲା। ୮ଟି ଦଳକୁ ନେଇ ଆୟୋଜିତ ଆଇପିଏଲ ଓ ୧୦ ଦଳକୁ ନେଇ ଖେଳାଯାଉଥିବା ଆଇପିଏଲ ଭିତରେ ବହୁତ ଫରକ ରହିଛି। ୧୦ଟି ଦଳ ପ୍ରତିଯୋଗିତାରେ ଫାଇନାଲରେ ପହଞ୍ଚିବା ବହୁତ କଷ୍ଟକର। ଚଳିତ ସଂସ୍କରଣରେ କୌଣସି ଦଳ ଦୁର୍ବଳ ନଥିଲେ। ପ୍ଲେ ଅଫ୍‌କୁ ଉନ୍ନୀତ ହେବା ନେଇ ଶେଷ ମ୍ୟାଚ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ଯାହା ପ୍ଲେ ଅଫରେ ସ୍ଥାନ ସୁରକ୍ଷିତ କରିବା କେତେ କଷ୍ଟକର ବୋଲି ଅନୁମେୟ ହେଉଛି ବୋଲି ଧୋନି କହିଛନ୍ତି। ଦଳ ଫାଇନାଲରେ ପହଞ୍ଚିବାରେ ଖେଳାଳିମାନେ କଠିନ ପରିଶ୍ରମ କରିଛନ୍ତି। ମଧ୍ୟଭାଗରେ ଆମର ଦୁର୍ବଳତା ଜାରି ରହିଛି। ଫାଇନାଲରେ ଏହାକୁ ସୁଧାରିବା ଏବେ ପ୍ରଥମ ଲକ୍ଷ୍ୟ ବୋଲି ଧୋନି କହିଛନ୍ତି। ଚଳିତ ଆଇପିଏଲ ଧୋନିଙ୍କ ଶେଷ ଆଇପିଲ ବୋଲି ପ୍ରଶଂସକମାନେ ଧରି ନେଇଛନ୍ତି। ଏପରିକି ଗତ ୩ରେ ଲକ୍ଷ୍ନୌର ଏକ୍‌ନା ଷ୍ଟାଡ଼ିୟମରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ବିପକ୍ଷ ଓ ୧୪ରେ ଇଡେନଗାର୍ଡେନରେ କଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚରେ ଷ୍ଟାଡ଼ିୟମରେ ଦର୍ଶକମାନେ ଧୋନିଙ୍କୁ ପ୍ଲାକାର୍ଡ ଦେଖାଇ ଶେଷ ଆଇପିଏଲ ବର୍ଷ ବୋଲି ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ଯାହା ଧୋନିଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। ସୂଚନାଯୋଗ୍ୟ, ଧୋନିଙ୍କ ନେତୃତ୍ବରେ ଚେନ୍ନଇ ସୁପରକିଙ୍ଗ୍‌ସ ଏପର୍ଯ୍ୟନ୍ତ ଆଇପିଏଲରେ ୧୩ଟି ସଂସ୍କରଣରେ ଅଂଶଗ୍ରହଣ କରିଛି। ସେଥିମଧ୍ୟରୁ ଦଳ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ୪ଥର ଚମ୍ପିଆନ ହୋଇଥିବାବେଳେ ୨୦୦୮, ୨୦୧୨, ୨୦୧୩, ୨୦୧୫ ଓ ୨୦୧୯ରେ ୫ଥର ରନର୍ସଅପ ହୋଇଛି।

Comments are closed.