ଅହମ୍ମଦାବାଦ: ଚଳିତ ଆଇପିଏଲର ମଙ୍ଗଳବାର ଏକ ରୋମାଞ୍ଚକର ମ୍ୟାଚରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)। ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ର ୧ ରନରେ ପରାସ୍ତକରି ବିଜୟଧାରାକୁ ଫେରିବା ସହ ଆର୍ସିବି ଶୀର୍ଷସ୍ଥାନକୁ ଫେରିପାରିଛି। ଏବି ଡି’ଭିଲିଅର୍ସଙ୍କ ବିସ୍ଫୋରକ ଅପରାଜିତ ୭୫ ରନ୍ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ୫ ୱିକେଟ ହରାଇ ୧୭୧ ରନ୍ କରିଥିଲା। ପରେ ଋଷଭ ପନ୍ତ୍ ଓ ସିମ୍ରନ୍ ହେତ୍ମେୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ ଦିଲ୍ଲୀ ୪ ୱିକେଟ ହରାଇ ୧୭୦ ରନ୍ କରି ପାରିଥିଲା। ୬ଷ୍ଠ ମ୍ୟାଚରେ ୫ମ ବିଜୟ ପରେ ୧୦ ରନ୍ ସହ ଆର୍ସିବି ଶୀର୍ଷସ୍ଥାନକୁ ଉନ୍ନୀତ ହୋଇଛି। ୬ଷ୍ଠ ମ୍ୟାଚ୍ରେ ୨ୟ ପରାଜୟ ପରେ ଦିଲ୍ଲୀ ୩ୟ ସ୍ଥାନରେ ରହିଛି।
୧୭୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା। ଓପ୍ନର ଶିଖର ଧାୱନ ୬ ରନ୍କରି ବିଦାୟ ନେଇଥିବା ବେଳେ ଷ୍ଟିଭେନ୍ ସ୍ମିଥ୍ ୪ ରନ୍କରି ଆଉଟ ହୋଇଥିଲେ। ପରେ ଓପ୍ନର ପୃଥ୍ବୀ ସ’ ୧୮ ବଲ୍ରୁ ୩ଟି ଚୌକା ସହ ୨୧ ରନ କରି ଆଉଟ ହୋଇଥିଲେ। ଦିଲ୍ଲୀ ୪୭ ରନରେ ୩ଟି ୱିକେଟ ହରାଇବା ପରେ ଋଷଭ ପନ୍ତ୍ ଓ ମାର୍କସ ଷ୍ଟୋଇନିସ୍ ଦ୍ରୁତ ୪୫ ରନ୍ ଯୋଗ କରିଥିଲେ। ଷ୍ଟୋଇନିସ୍ ୧୭ ବଲ୍ରୁ ୩ଟି ଚୌକା ସହ ୨୨ ରନ୍ କରିଥିଲେ। ପରେ ଦୁଇ ବାମହାତି ପନ୍ତ୍ ଓ ସିମ୍ରନ୍ ହେତ୍ମେୟର ବିଜୟଲକ୍ଷ୍ୟ ଆଡ଼କୁ ଆଗେଇଥିଲେ। ଶେଷ ୩ ଓଭରରୁ ୪୬ ରନ୍ ଆବଶ୍ୟକ ଥିଲା। ହେତ୍ମେୟର ୨୩ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଶେଷ ଓଭରରୁ ୧୪ ରନ୍ ଆବଶ୍ୟକ ଥିବା ବେଳେ ୧୨ ରନ୍ ହୋଇଥିଲା। ପନ୍ତ୍ ୪୮ ବଲରୁ ୬ଟି ଚୌକା ସହ ୫୮ ରନ୍କରି ଏବଂ ହେତ୍ମେୟର ବିସ୍ଫୋରକ ବ୍ୟାଟିଂକରି ୨୫ ବଲରୁ ୪ଟି ଛକା ଓ ୨ଟି ଚୌକା ସହ ୫୩ ରନ୍କରି ଅପରାଜିତ ଥିଲେ। ହର୍ଷଲ ପଟେଲ ୨ଟି ୱିକେଟ ନେଇଥିଲେ।
ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଫିଲ୍ଡିଂର ନିଷ୍ପତ୍ତି ନେଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୪ ଓଭରରେ ୩୦ ରନର ଓପ୍ନିଂ ଭାଗିଦାରୀ ପରେ ଅଧିନାୟକ ବିରାଟ କୋହଲି ୧୨ ରନ୍କରି ଆଉଟ ହୋଇଥିଲେ। ପରବର୍ତ୍ତୀ ବଲ୍ରେ ଦେବଦତ୍ତ ପାଡିକଲ ବିଦାୟ ନେଇଥିଲେ। ବାମହାତି ପାଡିକଲ ୧୪ ବଲରୁ ୩ଟି ଦର୍ଶନୀୟ ଚୌକା ସହ ୧୭ ରନ୍ କରିଥିଲେ। ୩ୟ ୱିକେଟ ପାଇଁ ରଜତ ପଟିଦାର ଓ ଗ୍ଲେନ୍ ମ୍ୟାକ୍ସୱେଲ ୩୦ ରନ୍ ଯୋଡ଼ିଥିଲେ। ମ୍ୟାକ୍ସୱେଲ ୨୦ ବଲ୍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୫ ରନ୍ କରିଥିଲେ। ୪ର୍ଥ ୱିକେଟ ଭାଗିଦାରୀ ବାଙ୍ଗାଲୋର ପାଇଁ ଫଳପ୍ରସୂ ହୋଇଥିଲା। ରଜତ ପଟିଦାର ଓ ଏବି ଡି’ଭିଲିଅର୍ସ ୫୪ ରନ୍ ଯୋଡ଼ିଥିଲେ। ମଧ୍ୟପ୍ରଦେଶର ପଟିଦାର ୨୨ ବଲରୁ ୨ଟି ଛକା ସହ ୩୧ ରନ୍ କରି ଆଉଟ୍ ହୋଇଥିଲେ। ପରେ ଇନିଂସର ଶେଷ ପର୍ଯ୍ୟନ୍ତ ଡି’ଭିଲିଅର୍ସ ରାଜୁତି କରିଥିଲେ। ଶେଷ ୩ ଓଭରରୁ ବାଙ୍ଗାଲୋର ୪୩ ରନ୍ ନେଇଥିଲା। ୱାଶିଂଟନ ସୁନ୍ଦର ୯ ବଲରୁ ୬ ରନ୍ କରିଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ୨ୟ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବା ଏବି ଡି’ଭିଲିଅର୍ସ ୪୨ ବଲ୍ରୁ ୫ଟି ଛକା ସହ ୭୫ ରନ୍ କରିଥିଲେ। ଶେଷ ଓଭରରେ ଡି’ଭିଲିଅର୍ସ ୩ଟି ଛକା ମାରିଥିଲେ। ଦିଲ୍ଲୀ ପାଇଁ ଈଶାନ୍ତ ଶର୍ମା ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ।



