ପ୍ଲେଅଫ୍‌ରେ ସନ୍‌ରାଇଜର୍ସ

0

ନୂଆଦିଲ୍ଲୀ : ଆଇପିଏଲ୍‌-୧୧ରେ ୩ୟ ଶତକ ହାସଲ କରିବା ସହ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ହାସଲ କରିଛନ୍ତି ଋଷଭ ପନ୍ତ୍‌। ତାଙ୍କର ଏହି ବିସ୍ଫୋରକ ଶତକ ସତ୍ତ୍ୱେ ଦିଲ୍ଲୀ ଡେୟାରଡେଭିଲ୍‌ସ ମ୍ୟାଚ୍‌ ଜିତି ପାରିନାହିଁ। ଗୁରୁବାର ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀକୁ ୯ ୱିକେଟରେ ସନ୍‌ରାଇଜର୍ସ ହାଇଦରାବାଦ ପରାସ୍ତ କରିଛି। ଋଷଭ ପନ୍ତ୍‌ଙ୍କ ଅପରାଜିତ ୧୨୮ ରନ୍‌ର ଇନିଂସ ବଳରେ ଦିଲ୍ଲୀ ଡେୟାରଡେଭିଲ୍‌ସ ୫ ୱିକେଟରେ ୧୮୭ ରନ୍‌ କରିଥିଲା। ପରେ ଓପ୍‌ନର ଶିଖର ଧାୱନ୍‌ ଓ ଅଧିନାୟକ କେନ୍‌ ୱିଲିୟମ୍‌ସନଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୮.୫ ଓଭରରେ ୧ ୱିକେଟ ହରାଇ ସନ୍‌ରାଇଜର୍ସ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ପାଲଟିଛି। ୧୧ଶ ମ୍ୟାଚ୍‌ରେ ୯ମ ବିଜୟ ପରେ ୧୮ ପଏଣ୍ଟ ପାଇ ସନ୍‌ରାଇଜର୍ସ ପ୍ଲେଅଫ୍‌ରେ ପହଞ୍ଚିଛି। ଅନ୍ୟପକ୍ଷରେ ଦିଲ୍ଲୀ ୧୧ଶ ମ୍ୟାଚ୍‌ରେ ୮ମ ପରାଜୟ ପରେ ଅନ୍ତିମ ସ୍ଥାନରେ ରହିବା ସହ ପ୍ରଥମ ଦଳ ଭାବେ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ପଡ଼ିଛି।
ସମ୍ମୁଖରେ ୧୮୮ ରନ୍‌ର ଲକ୍ଷ୍ୟ ଥିବା ବେଳେ ସନ୍‌ରାଇଜର୍ସ ହାଇଦରାବାଦର ଓପ୍‌ନର ଆଲେକ୍ସ ହେଲ୍‌ସ ୧୪ ରନ୍‌କରି ବିଦାୟ ନେଇଥିଲେ। ତେବେ ଅନ୍ୟ ଓପ୍‌ନର ଶିଖର ଧାୱନ୍‌ ବିସ୍ଫୋରକ ବ୍ୟାଟିଂ କରୁଥିବା ବେଳେ ସେଟ୍‌ ହେବା ପରେ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ମଧ୍ୟ ରନ୍‌ଭୋଜିରେ ସାମିଲ ହୋଇଥିଲେ। ଫଳରେ ସନ୍‌ରାଇଜର୍ସ ଆବଶ୍ୟକ ରନ୍‌ହାରଠାରୁ ଅଧିକ ଗତିରେ ସ୍କୋର୍‌ କରି ଚାଲିଥିଲା। ୨ୟ ୱିକେଟ ପାଇଁ ଧାୱନ୍‌-ୱିଲିୟମ୍‌ସନ ୧୭୬ ରନ୍‌ର ଭାଗିଦାରୀ କରି ଦଳକୁ ଜିତାଇଥିଲେ। ବାମହାତି ଧାୱନ୍‌ ୫୦ ବଲ୍‌ରୁ ୪ଟି ଛକା ଓ ୯ଟି ଚୌକା ସହ ୯୨ ରନ୍‌କରି ଏବଂ ୬ଷ୍ଠ ଅର୍ଦ୍ଧଶତକ ମାରିଥିବା କେନ୍‌ ୱିଲିୟମ୍‌ସନ ୫୩ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୮୩ ରନ୍‌କରି ଅପରାଜିତ ଥିଲେ।
ଅଦ୍ୟାବଧି ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଦିଲ୍ଲୀ ଡେୟାରଡେଭିଲ୍‌ସ ଟସ୍‌ ଜିତି ବ୍ୟାଟିଂ ନେଇଥିଲା। ଦୟନୀୟ ଭାବେ ଦିଲ୍ଲୀ ଇନିଂସ ଆରମ୍ଭକରି ୪ ଓଭରରେ ୨୧ ରନ୍‌କରି ଦୁଇ ଓପ୍‌ନରଙ୍କୁ ହରାଇଥିଲା। ପୃଥ୍ୱୀ ସ’ ୯ ଓ ଜେସନ ରୟ ୧୧ ରନ୍‌କରି ଆଉଟ ହୋଇଥିଲେ। ୪ ଓଭର କ୍ରିଜ୍‌ରେ ରହି ଅଧିନାୟକ ଶ୍ରେୟାସ ଆୟର ୮ ବଲ୍‌ରୁ ୩ ରନ୍‌ କରିଥିଲେ। ଫଳରେ ୧୦ ଓଭରରେ ଦିଲ୍ଲୀ ୩ ୱିକେଟରେ ୫୨ ରନ୍‌କରି ଦୟନୀୟ ସ୍ଥିତିରେ ଥିଲା। ତେବେ ଋଷଭ ପନ୍ତ୍‌ଙ୍କ ପ୍ରହାର ଯୋଗୁଁ ଦିଲ୍ଲୀ ଶେଷ ୧୦ ଓଭରରୁ ୧୩୫ ରନ୍‌ ନେଇ ପାରିଥିଲା। ପ୍ରଥମ ୨୪ଟି ବଲ୍‌ରୁ ୨୫ ରନ୍‌ କରିଥିବା ବାମହାତି ପନ୍ତ୍‌ ପରବର୍ତ୍ତୀ ୩୯ ବଲ୍‌ରୁ ୧୦୩ ରନ୍‌ ସ୍କୋର୍‌ କରିଥିଲେ। ହର୍ଷଲ ପଟେଲଙ୍କ ସହ ପନ୍ତ୍‌ ୪ର୍ଥ ୱିକେଟ ପାଇଁ ୫୫ ରନ୍‌ ଯୋଡ଼ିଥିଲେ। ପିଞ୍ଚ୍‌ ହିଟର ଭାବେ ଆସିଥିବା ହର୍ଷଲ ୧୭ ବଲ୍‌ରୁ ୨ଟି ଛକା ସହ ୨୪ ରନ୍‌ କରିଥିଲେ। ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ଗ୍ଲେନ୍‌ ମ୍ୟାକ୍ସୱେଲ ନିରବଦ୍ରଷ୍ଟା ସାଜିଥିବା ବେଳେ ଅନ୍ୟପଟୁ ଋଷଭ ପନ୍ତ୍‌ ଛକା, ଚୌକାର ବର୍ଷା କରି ଚାଲିଥିଲେ। ୫ ଓଭର କ୍ରିଜ୍‌ରେ ରହି ମ୍ୟାକ୍ସୱେଲ ୮ ବଲ୍‌ ଖେଳି ୯ ରନ୍‌ କରି ପାରିଥିଲେ। ଶେଷ ୪ ଓଭରରୁ ୬୭ ରନ୍‌ ହୋଇଥିଲା। ଏହି ୪ ଓଭରରେ ୧୮ ବଲ୍‌ର ସମ୍ମୁଖୀନ ହୋଇ ପନ୍ତ୍‌ ୫୯ ରନ୍‌ ନେଇଥିଲେ। ଭୁବନେଶ୍ୱର କୁମାର ବୋଲିଂ କରିଥିବା ଶେଷ ଓଭରର ଶେଷ ୫ଟି ବଲ୍‌ରୁ ପନ୍ତ୍‌ ୨ଟି ଚୌକା ଓ ୩ଟି ଛକା ମାରିଥିଲେ। ୬୩ ବଲ୍‌ରୁ ୭ଟି ଛକା ଓ ୧୫ଟି ଚୌକା ସହ ପନ୍ତ୍‌ ୧୨୮ ରନ୍‌କରି ଅପରାଜିତ ଥିଲେ। ଏହା ପନ୍ତ୍‌ଙ୍କ ପ୍ରଥମ ଆଇପିଏଲ୍‌ ଶତକ। ସାକିବ୍‌ ଅଲ୍‌ ହାସନ୍‌ ୨ଟି ୱିକେଟ ପାଇଥିଲେ।

Leave A Reply