ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ “ଦି ଇଣ୍ଟେଲେକ୍ଟସ୍” ଆନୁକୂଲ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ‘ଓଡ଼ିଶାର ନୌବାଣିଜ୍ୟ’ ଶୀର୍ଷକ ଏକ ଆନ୍ତର୍ଜାତୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ୱେବିନାରରେ ବିଶ୍ବର ବିଭିନ୍ନ ଦେଶରେ ବସବାସ କରୁଥିବା ବିଶିଷ୍ଟ ଓଡିଆ ବ୍ୟକ୍ତିତ୍ବ ଯୋଗଦେଇ ଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସମ୍ମାନୀତି ଅତିଥି ଭାବରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ବିଶିଷ୍ଟ ଚିନ୍ତକ ଡ.ଭଗବାନପ୍ରକାଶ ଯୋଗଦେଇ ଥିଲେ।
ଓଡିଆ ଜାତି ତାର କର୍ମ ପ୍ରବଣତା ମାଧ୍ୟମରେରେ ସାରାବିଶ୍ବରେ ପ୍ରାଚୀନ କାଳରୁ ଏକ ସ୍ବତନ୍ତ୍ର ଛାପ ଛାଡିବାରେ ସଫଳ ହୋଇଥିବା ବେଳେ ବର୍ତ୍ତମାନ ପିଢୀ କର୍ମ ପ୍ରବଣତା ଠାରୁ ନିଜକୁ କିପରି ଦୂରେଇ ନେଇଛି ବୋଲି ମନ୍ତ୍ରୀ ଷଡଙ୍ଗୀ ଦୁଃଖ ପ୍ରକାଶ କରିଥିଲେ। ଏହାର ଉପଯୁକ୍ତ ପ୍ରତିକାରର ମାର୍ଗ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରାୟସରେ ସମାହିତ କରାଯାଇପାରିବ ବୋଲି କହିଥିଲେ।
ସ୍ବତନ୍ତ୍ର ପଦକ୍ଷେପ ମାଧ୍ୟମରେ ଆମ କଳା, ସଂସ୍କୃତି, ଶିଳ୍ପ ତଥା ଶିକ୍ଷାକୁ କିପରି ବିଶ୍ବଦରବାରରେ ସହଜରେ ପୁନଃ ଉପଲବ୍ଧ କରାଇ ପାରିବା ତାହା ବିଷୟରେ ଗୁରୁତ୍ବ ସହ ବିଚାର କରିବାର ବେଳ ଉପନୀତ ବୋଲି ସମ୍ମାନୀତ ଅତିଥି ଡ.ପଟ୍ଟନାୟକ ମତ ପୋଷଣ କରିଥିଲେ। ପ୍ରାଚୀନ କାଳରୁ କଳିଙ୍ଗ ସାଗର ଭାବେ ନାମିତ ଥିବା ବର୍ତ୍ତମାନର ବଙ୍ଗୋପ ସାଗରକୁ ପୁନର୍ବାର ତାର ପୁରୁଣା ନାମରେ ନାମିତ କରାଇବାକୁ ପ୍ରସ୍ତାବ ରଖିଥିଲେ ହ.ଭଗବାନପ୍ରକାଶ।
ଏହି ଆଲୋଚନା ଚକ୍ରର ଦ୍ବିତୀୟ ସୋପାନରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଅମିୟ ଭୂଷଣ ପଟ୍ଟନାୟକ ଯୋଗଦେଇ ଓଡିଆ ନୌବାଣିଜ୍ୟର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟତମ ବକ୍ତା କଲକତା ଜାତୀୟ ସଂଗ୍ରହାଳୟର ପୂର୍ବତନ ନିର୍ଦେଶକ ରାଜେଶ ପୁରୋହିତ ଯୋଗଦେଇ ସାରା ବିଶ୍ବରେ ଓଡିଆ ନୌବାଣିଜ୍ୟର ସ୍ମାରକ ଓ ତାର ଆବିଷ୍କାର ବିଷୟରେ ବିଷଦ ଭାବରେ ଆଲୋକପାତ କରିଥିଲେ। ଜାତୀୟ ଅଭିଲେଖାଗାର ନୂଆଦିଲ୍ଲୀର ଉପ ନିର୍ଦେଶକ ଡଃ ଲଲାଟେନ୍ଦୁ ଦାସମହାପାତ୍ର ଯୋଗଦେଇ ଓଡ଼ିଶା ନୌବାଣିଜ୍ୟର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବିଶେଷତ୍ବ ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନା ସୋପନଟିକୁ ଆଦିକବି ସାରଳାଦାସ ଚେୟାରର ପ୍ରାଧ୍ୟାପକ ଉଦୟନାଥ ସାହୁ ଅଧ୍ୟକ୍ଷତା କରିଥିଲେ। ତୃତୀୟ ସୋପାନରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ କିଛି ଓଡିଆ ଶିଳ୍ପଦ୍ୟୋଗୀ ନିଜର ଔଦୋଗିକ ଯାତ୍ରାର ଅନୁଭୂତି ବର୍ଣ୍ଣନା କରିଥିଲେ।
ସେମାନଙ୍କ ମଧ୍ୟରୁ ଜାପାନରୁ କୁନା ଦାସ, ଯୁକ୍ତରାଷ୍ଟ୍ର ଆମେରିକରୁ ଧିରେନ୍ଦ୍ର କର, ପ୍ଲାବନ ମହାପାତ୍ର, ଲଣ୍ଡନରୁ ସୁକାନ୍ତ କୁମାର ସାହୁ ଓ ନୂଆଦିଲ୍ଲୀ ସ୍ଥିତ ଓଡିଆ ଗୃହିଣୀଙ୍କ ଔଦ୍ୟୋଗିକ ପ୍ରୟାସ ‘ଓଡିଆଣୀ’ ପାଇଁ ପଙ୍କଜମାଳା ଷଡଙ୍ଗୀ ନିଜ ନିଜର ପ୍ରୟାସକୁ ସର୍ବସମକ୍ଷୟରେ ଉପସ୍ଥାପନ କରିଥିଲେଜ୍ଝ କାର୍ୟ୍ୟକ୍ରମର ମଧ୍ୟ ଭାବଗରେ ସାଂସ୍କୃତିକ କାର୍ୟ୍ୟକ୍ରମରେ ଶିମରନ ଜମାନଙ୍କ ବୋଇତ ବନ୍ଦାଣ ଉପରେ ସ୍ବତନ୍ତ୍ର ନୃତ୍ୟ ଓ ଅନିନ୍ଦିତା ଦାସଙ୍କ ସଙ୍ଗୀତ ସମସ୍ତଙ୍କୁ ଉତ୍ସାହିତ କରିଥିଲା। କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିଲେ ରଶ୍ମୀ ଦାସ। ଓଡ଼ିଶାର ଅନେକ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଐତିହାସିକ ନିବେଦିତା ମହାନ୍ତି, ସାହିତ୍ୟ ଏକାଡ଼େମୀର ସଚିବ ସୂଚିସ୍ମିତା ମନ୍ତ୍ରୀ, ବିଶିଷ୍ଟ କବି ରକ୍ଷକ ନାୟକ, ସଂଗୀତଜ୍ଞ ଓମପ୍ରକାଶ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମର ସଂକ୍ଷିପ୍ତ ବିବରଣୀ ଦିଲ୍ଲୀପ କୁମାର ସ୍ବାଇଁ ପ୍ରଦାନ କରିଥିଲେ ଓ ଉମାକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଫଳ ପ୍ରୟାସ ଟିକୁ ସୁପରିଚାଳନା କତିଥିଲେ ଡଃ ଶୁବାସିନୀ ବାରିକ, ଶ୍ୟାମନୁଜ ଦାସ, ପ୍ରଦୀପ କୁମାର ପଣ୍ଡା, ପ୍ରିୟାନସୁ ପାଢି, ସୋନାଲୀ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ।



