ଚାଷ କାର୍ଯ୍ୟ ବିଳମ୍ବିତ
ରୁଆ ବେଉଷଣ ସମୟରେ ଜମି ପଡ଼ିଆ, ୨୦ ଜିଲା ଅଧିକ ପ୍ରଭାବିତ
ଭୁବନେଶ୍ବର : ନିଅଣ୍ଟିଆ ବର୍ଷା ଯୋଗୁଁ ଧାନ ଓ ତଳି ବୁଣାବୁଣି କାର୍ଯ୍ୟ ପ୍ରଭାବିତ ହୋଇଛି । ଏତେବେଳକୁ ଧାନ ବୁଣାବୁଣି ସରି ତଳି ରୁଆ ଏବଂ ବେଉଷଣ ଆରମ୍ଭ ହୋଇଯିବା କଥା। ବର୍ଷା ଅଭାବ ଯୋଗୁଁ ଚାଷୀ ବୁଣାବୁଣି କରିପାରି ନାହାନ୍ତି, ଯଦ୍ବାରା ଚାଷ କାର୍ଯ୍ୟ ମାସେ ବିଳମ୍ବ ହୋଇଛି। ଜୁନରେ ଢିପ ଜମିରେ ଚାଷୀ ଯେଉଁ ଧାନ ବୁଣିଥିଲେ ଗ୍ରୀଷ୍ମପ୍ରବାହ ଓ ବର୍ଷା ଅଭାବରୁ ଗଜା ମରୁଡ଼ି ହୋଇଥିବା ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଉପକୂଳ ଜିଲାରେ ଚାଷ କାର୍ଯ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ପଶ୍ଚିମ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବୁଣାବୁଣି ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିବା ଜଣାପଡିଛି।
ଚଳିତ ମୌସୁମୀରେ ଜୁନ ୧ରୁ ଜୁଲାଇ ୬ ମଧ୍ୟରେ ରାଜ୍ୟରେ ୧୯୧.୧ ମି.ମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ବର୍ଷା ୨୬୫.୮ମି.ମି. ତୁଳନାରେ ୨୮ପ୍ରତିଶତ କମ। ଏହି ଅବଧି ମଧ୍ୟରେ ଦେବଗଡ଼ରେ ସର୍ବାଧିକ ୩୯୨.୨ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହାକି ଜିଲାର ସ୍ୱାଭାବିକ ବର୍ଷା ୧୫୩ ମି.ମି. ତୁଳନାରେ ୫୫% ଅଧିକ। କନ୍ଧମାଳରେ ସର୍ବନିମ୍ନ ୮୫.୨ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୧୫୩.୩ ମି.ମି. ତୁଳନାରେ ୬୬% କମ ରହିଛି। ଚଳିତ ବର୍ଷ ମୌସୁମୀ ଗୋଟିଏ ସପ୍ତାହ ବିଳମ୍ବରେ ରାଜ୍ୟକୁ ପ୍ରବେଶ କରିଥିଲା। ଜୁନରେ ସ୍ବାଭାବିକ ବର୍ଷା ନ ହେବାରୁ ବୁଣାବୁଣି ଉପରେ ପ୍ରଭାବ ପକାଇଥିଲା। ସାଧାରଣତଃ ଅକ୍ଷୟ ତୃତୀୟରୁ ଢିପ, ମଧ୍ୟମ କିସମ ଏବଂ ଖାଲ ଜମିରେ ବୁଣାବୁଣି କାର୍ଯ୍ୟ ଆରମ୍ଭ ହୋଇଯାଏ। ଜୁନ ଶେଷ ସୁଦ୍ଧା ଧାନ ଓ ତଳି ବୁଣାବୁଣି କାର୍ଯ୍ୟ ସରିଥାଏ। ଏହି ସମୟରେ ମୌସୁମୀ ବର୍ଷା ଆସିବା ଦ୍ବାରା ଧାନ ଓ ତଳି ଭଲ ଭାବେ ବଢ଼ିଥାଏ। ଧାରା ଶ୍ରାବଣରେ ଚାଷୀ ତଳି ରୁଆ ଓ ବେଉଷଣ କାର୍ଯ୍ୟ ଆରମ୍ଭ କରି ଦିଅନ୍ତି; କିନ୍ତୁ ଚଳିତ ବର୍ଷ ଚାଷ କାର୍ଯ୍ୟରେ ମାସେ ବ୍ୟତିକ୍ରମ ଘଟିଛି।
ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ ବୌଦ୍ଧରେ ନିଅଣ୍ଟିଆ ବର୍ଷା ହୋଇଛି। ଉପରୋକ୍ତ ଜିଲା ଗୁଡିକରେ ସ୍ବାଭାବିକରୁ ୪୦ରୁ ୫୪% କମ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା କହୁଛି। ତେଣୁ ଚାଷ କାର୍ଯ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ସର୍ବାଧିକ ନିଅଣ୍ଟିଆ ବର୍ଷା କଳାହାଣ୍ଡି ଏବଂ କନ୍ଧମାଳରେ ହୋଇଛି। କନ୍ଧମାଳ ଓ କଳାହାଣ୍ଡିରେ ବର୍ଷା ପରିମାଣ ସ୍ବାଭାବିକରୁ ୬୬% କମ ରହିଛି।
ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, କେନ୍ଦୁଝର, ବରଗଡ଼, ନୂଆପଡ଼ା, କୋରାପୁଟ ଏବଂ ମାଲକାନଗିରିରେ ସ୍ବାଭାବିକ ବର୍ଷା ହୋଇଛି। ଜୁନରେ ଏହି ଜିଲା ଗୁଡିକ ମଧ୍ୟରୁ କେତେକ ଅଞ୍ଚଳରେ ଅଭାବି ବର୍ଷାରୁ ଚାଷ କାର୍ଯ୍ୟ ଆଗେଇ ପାରି ନ ଥିଲା। ଜୁଲାଇ ପ୍ରଥମ ସପ୍ତାହରେ କିଛି ଅଞ୍ଚଳରେ ବର୍ଷା ହୋଇଥିବାରୁ ଚାଷୀଙ୍କ ମନରେ ବୁଣାବୁଣି ପ୍ରତି ଆଶା ସଞ୍ଚାର ହୋଇଛି। ଓୟୁଏଟିର ପାଣିପାଗ ତଥା କୃଷି ବିଶେଷଜ୍ଞ ପ୍ରଫେସର ତୁଷାର ମହାନ୍ତି କହିଛନ୍ତି, ବିଳମ୍ବିତ ମୌସୁମୀ ଏବଂ ଅଦ୍ୟାବଧି ନିଅଣ୍ଟିଆ ବର୍ଷା ଚାଷ କାର୍ଯ୍ୟ ଉପରେ ପ୍ରଭାବ ପକାଇଛି। ଜୁଲାଇରେ ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଯେଉଁ ଅଞ୍ଚଳରେ ଅଭାବୀ ବର୍ଷା ଯୋଗୁଁ ମଧ୍ୟମ କିସମ ଏବଂ ଖାଲୁଆ ଜମିରେ ବୁଣାବୁଣି ହୋଇନାହିଁ, ସେଠାରେ ୧୪୦ ଦିନିଆ ଧାନ ବୁଣାବୁଣି କରିପାରିବେ ଚାଷୀ। ଏହି ନିଅଣ୍ଟିଆ ବର୍ଷା ଢିପ ଜମି ଉପରେ ଅଧିକ ପ୍ରଭାବ ପକାଇଛି। ଯେଉଁଠି ଜଳସେଚନ ନାହିଁ, ସେଠାରେ ୫୦% ଗଜା ମରୁଡି ହୋଇଥିଲେ ଚାଷୀ ୯୦ରୁ ୧୧୦ ଦିନିଆ ଧାନ ବୁଣାବୁଣି କରିପାରିବେ କିମ୍ବା ଅଣଧାନ ଫସଲ ମକା, ବିରି, ମୁଗ ଆଦି ଫସଲ କରିବା ଆବଶ୍ୟକ।
କୃଷି ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜୁଲାଇ ପ୍ରଥମ ସପ୍ତାହରୁ ତଳି ରୁଆ ଏବଂ ବେଉଷଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଜୁଲାଇ ୧୫ରୁ ଅଗଷ୍ଟ ୧୫ ମଧ୍ୟରେ ବେଉଷଣ କାର୍ଯ୍ୟ ଚାଷୀ କରିଥାନ୍ତି। ଜୁଲାଇ ପ୍ରଥମ ସପ୍ତାହ ସରି ଦ୍ବିତୀୟ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଏବେ ତଳି ପକାଇଲେ ଦୁଇରୁ ତିନି ସପ୍ତାହ ବଡ ହେବାକୁ ଲାଗିବ। ଏହାକୁ ଦେଖିଲେ ନିଅଣ୍ଟିଆ ବର୍ଷା ଯୋଗୁଁ ମାସେ ଚାଷ କାର୍ଯ୍ୟ ବିଳମ୍ବ ହୋଇଛି। ରାଜ୍ୟରେ ପ୍ରାୟ ୬୦ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଅଭାବୀ ବର୍ଷା ଯୋଗୁଁ ଜୁନ ଶେଷ ସୁଦ୍ଧା କେତେ ଜମିରେ ଧାନ ଓ ତଳି ବୁଣାବୁଣି ହୋଇଛି ଏବଂ କେତେ ଜମି ପଡିଆ ପଡିଛି ସେ ସଂକ୍ରାନ୍ତରେ କୃଷି ବିଭାଗ ପାଖରେ କୌଣସି ତଥ୍ୟ ନାହିଁ।
Comments are closed.