ଅତିରିକ୍ତ ଜିଲ୍ଲାପାଳଙ୍କ ବନ୍ୟା ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା
ଆଠଗଡ : ମହାନଦୀରେ ଏକ ମଧ୍ୟମ ଧରଣର ବନ୍ୟା ଆସିବା ଫଳରେ ଆଠଗଡ ଅଞ୍ଚଳର ହଜାର ହଜାର ଏକର ଚାଷଜମି ବନ୍ୟାଜଳ ପ୍ଲାବିତ ହୋଇଛି । ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ସାପୁଆ ନଦୀରେ ମହାନଦୀର ପଛୁଆ ଜଳ (ବ୍ୟାକ୍ ୱାଟର) ପ୍ରବେଶ କରିବା ଫଳରେ ଧୁରୁଷିଆ ପଞ୍ଚାୟତର କେଉଟପଡା ନିକଟସ୍ଥ ରମ୍ପା ଆଡିବନ୍ଧରେ ଏକ ୨୦ଫୁଟର ଘାଇ ମଧ୍ୟ ଦେଇ ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି । ସେହିପରି ତଇଲାମାଳ ନିକଟରେ ମଧ୍ୟ ସାପୁଆନଦୀରେ ଏକ ଘାଇ ସୃଷ୍ଟି ହେବା ଫଳରେ ହଜାର ହଜାର ଏକର ଚାଷଜମି ବନ୍ୟାଜଳ ପ୍ଳାବିତ ହୋଇଛି । ମହାନଦୀର ବନ୍ୟା ଜଳ ସାପୁଆନଦୀରେ ପଛୁଆ ପଶିବା ଫଳରେ ସର୍ପେଶ୍ୱର ମନ୍ଦିର ନିକଟ କଖଡି ରାସ୍ତାର ସାପୁଆ ପୋଲ ଉପରେ ପ୍ରାୟ ୧ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସେଠାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତବର୍ଷ ବନ୍ୟାରେ କେଉଟପଡା ନିକଟରେ ସୃଷ୍ଟି ହେଉଥିବା ଘାଇଟିକୁ ଜଳସେଚନ ବିଭାଗ ପକ୍ଷରୁ ମରାମତି କରାଯାଇନଥିବାରୁ ଚଳିତବର୍ଷ ବନ୍ୟାଜଳ ସେଠାରେ ଏପରି ପରିସ୍ଥିତି ସୃଷ୍ଟି କଲା ବୋଲି ଧୁରୁଷିଆ ସରପଞ୍ଚ ଓ ଅନ୍ୟ ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି । ସେହିପରି ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦହିସରା ନିକଟରେ ପ୍ରାୟ ୪୦୦ମିଟର ରାସ୍ତା ଉପରେ ୩-୪ଫୁଟ ଜଳ ପ୍ରବାହିତ ହେଉଥିବାରୁ ସେ ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି ।
କଟକ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜ ବନ୍ୟାଜଳ କମିବା ପରେ ସାପୁଆରେ ସୃଷ୍ଟି ହୋଇଥିବା ୨ଟି ଯାକ ଘାଇକୁ ମରାମତି କରିବା ପାଇଁ ଜଳସେଚନ ବିଭାଗ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଡିଏମ ଶ୍ରୀ ରାଜ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦହିସରା ନିକଟରେ ଏବଂ ଘଣ୍ଟିଖାଲ ଗଡାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସେଠାରେ ବାଉଁଶ ବାଡା ଲଗାଇ ରାସ୍ତାକୁ ବନ୍ଦ କରିବା ପାଇଁ ପୂର୍ତ୍ତବିଭାଗ ସମେତ ଖୁଣ୍ଟୁଣୀ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ରାଜ ଆଠଗଡ ଉପଖଣ୍ଡର ୪ଟି ଯାକ ବ୍ଲକ ଅନ୍ତର୍ଗତ ମହାନଦୀ ଅବବାହିକା ଅଞ୍ଚଳ ସ୍ଥିତି ଅନୁଧ୍ୟାନ କରି ଆସିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟାଜଳ ଛାଡିବା ପରେ ଚାଷଜମିର ପ୍ରକୃତ ଫସଲ କ୍ଷୟକ୍ଷତିର ରିପୋର୍ଟ ମିଳିବା ପରେ ସରକାରଙ୍କ ନିୟମ ଅନୁସାରେ କ୍ଷତିପୂରଣ ବାବଦରେ ସରକାର ନିଷ୍ପତ୍ତି ନେବେ ବୋଲି ଶ୍ରୀ ରାଜ ପ୍ରକାଶ କରିଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଆଠଗଡ ବ୍ଲକ ଓ ତହସିଲ ଏବଂ ଉପଖଣ୍ଡର ସମସ୍ତ ବ୍ଲକ ଓ ତହସିଲରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରଖିବାକୁ ଏଡିଏମ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ତହସିଲଦାର ପ୍ରିୟବ୍ରତ ଦାସ, ବିଡିଓ ପ୍ରଦୀପ କୁମାର ସାହୁ, ଡେପ୍ୟୁଟି କଲେକ୍ଟର ଦିପ୍ତୀମୟୀ ବେହେରା, ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁଙ୍କ ସମେତ ଜଳସେଚନ, ପାନୀୟ ଜଳ ଓ ପରିମଳ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
Comments are closed.