ଲଣ୍ଡନରେ ଭାରତୀୟ ବ୍ୟବସାୟୀଙ୍କୁ ହତ୍ୟା

0

ଲଣ୍ଡନ: ଲଣ୍ଡନରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟା କରାଯାଇଛି। ଲଣ୍ଡନରେ ରହୁଥିବା ଭାରତୀୟ ବ୍ୟବସାୟୀ ରବି କଠାରକମର(୫୪)ଙ୍କୁ କେହି ଦୁର୍ବୃତ୍ତ ଛୁରିରେ ଆକ୍ରମଣ କରି ହତ୍ୟା କରିଛନ୍ତି। ରବିବାର ସକାଳ ପ୍ରାୟ ୬ଟାରେ ରବି ନିଜ ଦୋକାନ ଖୋଲିବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ କେହି ଛୁରାମାଡ଼ କରି ଫେରାର ହୋଇଯାଇଥିଲେ। ରବି ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଥିଲେ। ସେହି ବାଟ ଦେଇ ଯାଉଥିବା କେତେଜଣ ପଥଚାରୀ ରବିଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ମାତ୍ର ସେତେବେଳକୁ ରବିଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ।

ଡିଟେକ୍ଟିଭ ଚିଫ୍‌ ଇନ୍ସପେକ୍ଟର ସାଇମନ ଷ୍ଟାନକୋମ୍ବ କହିଛନ୍ତି, କିଛି ଅର୍ଥ ପାଇଁ ଜଣେ ନିରୀହ ବ୍ୟକ୍ତିଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଛି। ଏହା ଅତ୍ୟନ୍ତ ଦୁଃଖଦାୟକ। ଦୋକାନ ଘର ଭଡ଼ା ଦେଇଥିବା ମାଲିକ କିରିଟ ଡୋଡିୟା ରବିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କହିଛନ୍ତି, ରବି ଜଣେ ଅତ୍ୟନ୍ତ ଭଦ୍ର ଲୋକ ଥିଲେ। ସେ ସର୍ବଦା ହସମୁଖ ଥିଲେ। ତାଙ୍କ ଦୋକାନକୁ ଯେକେହି ଯାଆନ୍ତି, ସେ ତାଙ୍କୁ କିଛି ନା କିଛି ଜିନିଷ ମାଗଣାରେ ଦେଇଥାନ୍ତି। ତେବେ ଲଣ୍ଡନରେ ଅଧିକାଂଶ ସମୟରେ ଛୁରାମାଡ଼ ଘଟଣା ଦେଖିବାକୁ ମିଳୁଛି। ଏହାକୁ ରୋକିବା ଲାଗି ଗୃହ ସଚିବ ସାଜିଦ ଜାଭିଦ ପୁଲିସ ପାଇଁ ଅତିରିକ୍ତ ପାଣ୍ଠି ଯୋଗାଣ ବ୍ୟବସ୍ଥା କରିଛନ୍ତି।

Leave A Reply