ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ନ ଜିତିଲେ ପାକିସ୍ତାନ ଯିବ ଭାରତୀୟ ଦଳ: ଦିଲୀପ
ନୂଆଦିଲ୍ଲୀ : ସେପ୍ଟେମ୍ବର ୨୩ରୁ ଚୀନ୍ର ହ୍ବାଙ୍ଗ୍ଝୌରେ ଏସୀୟ କ୍ରୀଡ଼ା ଆୟୋଜନ ହେବ। ଏହି କ୍ରୀଡ଼ାରେ ଯେଉଁ ଦଳ ପୁରୁଷ ହକି ସ୍ବର୍ଣ୍ଣପଦକ ଜିତିବ; ସେହି ଦଳ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବ। ଭାରତୀୟ ପୁରୁଷ ହକି ଦଳ ଯଦି ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ଜିତିବାରେ ଅସମର୍ଥ ହୁଏ; ତେବେ ଏହାକୁ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପଡ଼ିବ। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ଟୁର୍ଣ୍ଣାମେଣ୍ଟ ପାକିସ୍ତାନ କିମ୍ବା ସ୍ପେନ୍ରେ ଖେଳାଯିବ। ସ୍ପେନ୍ରେ ନ ହୋଇ ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଆୟୋଜନ ହେଲେ ମଧ୍ୟ ଭାରତ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ନିଶ୍ଚୟ ଯିବ ବୋଲି ହକି ଇଣ୍ଡିଅା ସଭାପତି ଦିଲୀପ ତିର୍କି କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ଦିଲୀପ ତିର୍କି କହିଛନ୍ତି, ଆମର ଲକ୍ଷ୍ୟ ହ୍ବାଙ୍ଗ୍ଝୌରେ ସ୍ବର୍ଣ୍ଣପଦକ ଜିତି ସିଧାସଳଖ ପ୍ୟାରିସ୍ ଅଲିମ୍ପିକ୍ସର ଟିକଟ ହାସଲ କରିବା। ଯଦି କୌଣସି କାରଣ ପାଇଁ ଆମ ପୁରୁଷ ହକି ଦଳ ସ୍ବର୍ଣ୍ଣପଦକ ଜିତିନପାରେ; ଭାରତୀୟ ଦଳ ସ୍ପେନ୍ କିମ୍ବା ପାକିସ୍ତାନରେ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳିବ। ଖୁବ୍ ଶୀଘ୍ର ଜଣାପଡ଼ିବ ଯେ ଯୋଗ୍ୟତା ପର୍ଯ୍ୟାୟ ପାକିସ୍ତାନ କିମ୍ବା ସ୍ପେନ୍ରେ ଖେଳାଯିବ। ଏସୀୟ କ୍ରୀଡ଼ା ଆରମ୍ଭହେବାକୁ ଆଉ ମାସେରୁ ଅଧିକ ସମୟ ବାକିଅଛି। ଆମ ଖେଳାଳିଙ୍କ ପ୍ରସ୍ତୁତି ଠିକ୍ ଭାବେ ଚାଲିଛି। ଖେଳାଳିଙ୍କ ମନୋବଳ ମଧ୍ୟ ଦୃଢ଼ ରହିଛି। ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ଜିତିବା ପାଇଁ ଭାରତୀୟ ଦଳ ବଡ଼ ଦାବିଦାର। ଏସିଆନ୍ ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ଆମର ଲକ୍ଷ୍ୟ। ଏଥିରେ ଚମ୍ପିଆନ୍ ହେଲେ ଭାରତୀୟ ଖେଳାଳିଙ୍କ ମନୋବଳ ଏସୀୟ କ୍ରୀଡ଼ା ପାଇଁ ଦୃଢ଼ ରହିବ।
Comments are closed.