ମେଲ୍ବୋର୍ଣ୍ଣ : ଏପରି ଇନିଂସ ଏକ ଦଶନ୍ଧିରେ ବୋଧହୁଏ ଥରେ ଦେଖିବାକୁ ମିଳିଥାଏ। ଲୋମଟାଙ୍କୁରା ମୁକାବିଲା ମଧ୍ୟ କମ୍ ଦେଖିବାକୁ ମିଳିଥାଏ। ହେଲେ ଦୀପାବଳିର ପୂର୍ବ ସନ୍ଧ୍ୟାରେ ମେଲ୍ବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ୯୦ ହଜାରରୁ ଅଧିକ ଦର୍ଶକଙ୍କ ସମ୍ମୁଖରେ ଭାରତର ଚକିତ ହେଲାଭଳି ବିଜୟ ଦେଖିବାକୁ ମିଳିଥିଲା। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟେର ବର୍ଷକ ମଧ୍ୟରେ ୩ ଥର ମୁକାବିଲା ହୋଇଛି ଏବଂ ୨ ଥର ପାକିସ୍ତାନ ଜିତିଛି। ହେଲେ କୌଣସି ମ୍ୟାଚ୍ ଏପରି ରୋମାଞ୍ଚକର ହୋଇନଥିଲା। ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍ର ସୁପର-୧୨ ପର୍ଯ୍ୟାୟରେ ଗ୍ରୁପ୍-୨ ମ୍ୟାଚ୍ରେ ରବିବାର ୧୬୦ ରନ୍ର ପିଛା କରୁଥିବା ଭାରତ ୩୧ ରନ୍ରେ ୪ଟି ୱିକେଟ ହରାଇଥିଲା। ପୁଣି ଶେଷ ୩ ଓଭରରୁ ଭାରତ ବିଜୟ ପାଇଁ ୪୮ ରନ୍ ଆବଶ୍ୟକ କରୁଥିବା ବେଳେ ୮ଟି ବଲ୍ରୁ ୨୮ ଓ ଶେଷ ଓଭରରୁ ୧୬ ରନ୍ ଆବଶ୍ୟକ କରୁଥିଲା। ତଥାପି ୪ ଉଇକେଟ ହରାଇଥିବା ଭାରତ ଶେଷ ବଲ୍ରେ ଜିତିଥିଲା। ଏହି ବିଜୟ ସହ ଗତ ବିଶ୍ବକପ୍ରେ ପାକିସ୍ତାନଠାରୁ ୧୦ ୱିକେଟରେ ପରାଜୟର ପ୍ରତିଶୋଧ ଭାରତ ନେଇପାରିଛି। ୨ ପଏଣ୍ଟ ପାଇ ଭାରତ ଅଭିଯାନ ଆରମ୍ଭ କରିଛି।
୧୮ ବଲ୍ରୁ ୪୮ ରନ୍ ଆବଶ୍ୟକ ଥିବା ବେଳେ ବିରାଟ କୋହଲି କ୍ରିଜ୍ରେ ଥିବାରୁ ଭାରତୀୟ ସମର୍ଥକ ବିଜୟର ଆଶା ହରାଇନଥିଲେ। ଅନ୍ତିମ ଓଭରର ହାଇଡ୍ରାମା ପରେ ଅନ୍ତିମ ବଲ୍ରେ ଭାରତ ଜିତିଥିଲା। କୋହଲିଙ୍କ ଭାଷାରେ ଏହା ତାଙ୍କ ଜୀବନର ଶ୍ରେଷ୍ଠ ଟ୍ବେଣ୍ଟି୨୦ ଇନିଂସ ଥିଲା। ୧୨ଶ ଓଭରରେ ମହମ୍ମଦ ନୱାଜ୍ଙ୍କୁ ହାର୍ଦିକ ପାଣ୍ଡ୍ୟା ୨ଟି ଛକା ମାରିଥିଲେ ହେଁ ପରେ ପେସ୍ ବୋଲରଙ୍କ ବିରୋଧରେ ଷ୍ଟ୍ରୋକ୍ ଖେଳି ପାରିନଥିଲେ। ହେଲେ ରନ୍ର ପିଛା କରିବାରେ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି କ୍ରିଜ୍ରେ ଥିଲେ। ୮ଟି ବଲ୍ରେ ୨୮ ରନ୍ ଆବଶ୍ୟକ ଥିବା ବେଳେ ହାରିସ୍ ରୌଫ୍ଙ୍କୁ ଶେଷ ୨ଟି ବଲ୍ରେ କୋହଲି ଛକା ମାରିଥିଲେ। ଶେଷ ଓଭର ପୂରା ଡ୍ରାମା ଥିଲା। ସମସ୍ତ ପେସ୍ ବୋଲରଙ୍କ କୋଟା ପୂରଣ ହୋଇଥିବାରୁ ବାମହାତି ସ୍ପିନର ମହମ୍ମଦ ନୱାଜ୍ ବଲ୍ ଧରାଇଥିଲେ ପାକିସ୍ତାନ ଅଧିନାୟକ ବାବର ଆଜମ୍। ପ୍ରଥମ ବଲ୍ରେ ବେପରୁଆ ସଟ୍ ମାରି ହାର୍ଦିକ ପାଣ୍ଡ୍ୟା ଆଉଟ୍ ହୋଇଥିଲେ। ୨ୟ ବଲ୍ରେ ୧ ଓ ୩ୟ ବଲ୍ରେ ୨ ରନ୍ ହୋଇଥିଲା। ୩ ବଲ୍ରୁ ୧୩ ରନ୍ ଆବଶ୍ୟକ ଥିବା ବେଳେ ନୱାଜ୍ଙ୍କ ଫୁଲ୍ଟସ୍କୁ କୋହଲି ଛକା ମାରିଥିଲେ। ବଲ୍ ଅଣ୍ଟା ଉପରେ ଥିବା ଘୋଷଣା କରି ଅମ୍ପାୟାର ଏହାକୁ ନୋ’ବଲ୍ ଦେଇଥିଲେ। ଅବଶ୍ୟ ଟିଭି ରିପ୍ଲେରୁ ଏହା ନୋ’ବଲ୍ ଲାଗୁନଥିଲା। ପର ବଲ୍ ୱାଇଡ୍ ଥିଲା। ଫ୍ରିହିଟ୍ରେ କୋହଲି ବୋଲ୍ଡ ହୋଇଥିଲେ ହେଁ ବଲ୍ ଥାର୍ଡମ୍ୟାନ୍କୁ ଚାଲିଯିବାରୁ ୩ ବାଇ ରନ୍ ମିଳିଥିଲା। ୫ ବଲ୍ରେ କାର୍ତ୍ତିକ ଆଉଟ୍ ହୋଇଥିଲେ। ପରବର୍ତ୍ତୀ ବଲ୍ ୱାଇଡ୍ ହେବାରୁ ସ୍କୋର୍ ସମାନ ହୋଇଥିଲା। ଶେଷ ବଲ୍ରୁ ଆର୍. ଅଶ୍ବିନ ସିଙ୍ଗଲ୍ ନେଇ ଦଳକୁ ଜିତାଇଥିଲେ। ସାନ୍ ମାସୁଦ୍ ଓ ଇଫ୍ତିକାର ଅହମ୍ମଦଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ପାକିସ୍ତାନ ୮ ୱିକେଟରେ ୧୫୯ ରନ୍ କରିଥିଲା। ଶେଷ ବଲ୍ରେ ୪ ୱିକେଟ ହରାଇ ଭାରତ ଜିତିଥିଲା।
ଭାରତ ୧୬୦ ରନ୍ର ପିଛା କରିଥିବାବେଳେ ୩୧ ରନ୍ରେ ୪ଟି ୱିକେଟ ହରାଇଥିଲା। ଦୁଇ ଓପ୍ନର କେ.ଏଲ୍. ରାହୁଲ ଓ ରୋହିତ ଶର୍ମା ୪ ରନ୍ ଲେଖାଏଁ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ବେପରୁଆ ସଟ୍ ଖେଳି ୧୫ ରନ୍କରି ବିଦାୟ ନେଇଥିଲେ। ଅକ୍ଷର ପଟେଲ ୨ ରନ୍କରି ଆଉଟ୍ ହୋଇଥିଲେ। ୧୦ ଓଭରେର ଭାରତ ୪୫ ରନ୍ କରିଥିବା ବେଳେ ଶେଷ ୮ ଓଭରରୁ ୮୬ ରନ୍ ଆବଶ୍ୟକ ଥିଲା। ବିରାଟ କୋହଲି ଓ ହାର୍ଦିକ ପାଣ୍ଡ୍ୟା ଆଶା ନହରାଇ ଲଢ଼ିଥିଲେ। ଦୁହେଁ ୫ମ ୱିକେଟ୍ ପାଇଁ ୧୩ ଓଭରରେ ୧୧୩ ରନ୍ ଯୋଡ଼ିଥିଲେ। ଶେଷ ଓଭରରେ ଆଉଟ୍ ହୋଇଥିବା ପାଣ୍ଡ୍ୟା ୩୭ ବଲ୍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୪୦ ରନ୍ କରିଥିଲେ। ଶେଷ ୩ ଓଭରରୁ ୪୮ ରନ୍ ଆବଶ୍ୟକ ଥିବା ବେଳେ ୧୮ଶ ଓଭରରୁ ୧୭, ୧୯ଶ ଓଭରରୁ ୧୫ ଓ ଶେଷ ଓଭରରୁ ୧୬ ରନ୍ ନେଇ ଭାରତ ଜିତିଥିଲା। ୩୪ତମ ଦିନକିଆ ଅର୍ଦ୍ଧଶତକ ହାସଲ କରିଥିବା କୋହଲି ୫୩ ବଲ୍ରୁ ୪ଟି ଛକା ଓ ୬ଟି ଚୌକା ସହ ୮୨ ରନ୍କରି ଅପରାଜିତ ଥିଲେ। କୋହଲି ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଭାରତ ଟସ୍ ଜିତି ଫିଲ୍ଡିଂ ନେବା ପରେ ଭାରତୀୟ ପେସ୍ ବୋଲର ବଲ୍କୁ ସ୍ବିଙ୍ଗ୍ କରିଥିଲେ। ଅର୍ଶଦୀପ ସିଂହ ତାଙ୍କର ପ୍ରଥମ ୨ ଓଭରରେ ବାବର ଆଜମ୍ (୦) ଓ ମହମ୍ମଦ ରିଜ୍ୱାନ (୪)ଙ୍କୁ ଆଉଟ୍ କରି ଦେଇଥିଲେ। ଏହି ୨ ବ୍ୟାଟ୍ସମ୍ୟାନ ନିକଟରେ ପାକିସ୍ତାନ ଟ୍ବେଣ୍ଟି୨୦ ମ୍ୟାଚ୍ରେ କରିଥିବା ରନ୍ର ୫୦ ପ୍ରତିଶତ ସ୍କୋର୍ କରିଥିଲେ। ଏହି ୨ଟି ମୂଲ୍ୟବାନ ୱିକେଟ ନେଇ ଭାରତ ପ୍ରାରମ୍ଭରୁ ପାକିସ୍ତାନ ଉପରେ ଚାପ ପକାଇଥିଲା। ସାନ୍ ମସୁଦ୍ ଜଗିରଖି ଖେଳିଥିବା ବେଳେ ଇଫ୍ତିକାର ଅହମ୍ମଦ ଆକ୍ରମଣ କରିଥିଲେ। ଦୁହେଁ ୭୬ ରନ୍ ଯୋଡ଼ିଥିଲେ। ଇଫ୍ତିକାର ୩୪ ବଲ୍ରୁ ୪ଟି ଛକା ଓ ୨ଟି ଚୌକା ସହ ୫୧ ରନ୍କରି ବିଦାୟ ନେଇଥିଲେ। ପରେ ୨୨ ରନ୍ରେ ପାକିସ୍ତାନ ୩ଟି ୱିକେଟ ହରାଇଥିଲା। ସଦ୍ଦାବ ଖାଁ, ହାଇଦର ଅଲୀ, ମହମ୍ମଦ ନୱାଜ୍ ଓ ଆସିଫ୍ ଅଲୀ ବିଫଳ ହୋଇଥିଲେ। ତଥାପି ଶେଷ ୫ ଓଭରରୁ ପାକିସ୍ତାନ ୫୩ ରନ୍ କରିଥିଲା। ସାହିନ୍ ଶାହା ଆଫ୍ରିଦି ୮ ବଲ୍ରୁ ୧୬ ରନ୍ର ମୂଲ୍ୟବାନ ଇନିଂସ ଖେଳିଥିଲେ। ସାନ୍ ମସୁଦ୍ ୪୨ ବଲ୍ରୁ ୫ଟି ଚୌକା ସହ ୫୨ ରନ୍କରି ଅପରାଜିତ ଥିଲେ। ଅର୍ଶଦୀପ ସିଂହ ଓ ହାର୍ଦିକ ପାଣ୍ଡ୍ୟା ୩ଟି ଲେଖାଏଁ ୱିକେଟ ନେଇଥିଲେ।
ବିରାଟଙ୍କ ଦୀପାବଳି ଭେଟି
Popular Categories



