ଟି-୨୦ ଶୃଙ୍ଖଳା ଜିତିଲା ଭାରତ

ବିଶ୍ବକପ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ, ରବିବାର ଅନ୍ତିମ ମ୍ୟାଚ

ରାୟପୁର  : ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଯୁବ ଭାରତୀୟ ଦଳ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳା ବିଜୟୀ ହୋଇଛି। ଶୁକ୍ରବାର ରାୟପୁରରେ ଖେଳାଯାଇଥିବା ୪ର୍ଥ ମ୍ୟାଚରେ ଭାରତ ୨୦ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏଥି ସହିତ ଭାରତ ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ୩-୧ରେ ଆଗୁଆ ରହିଛି। ରବିବାର ଅନ୍ତିମ ମ୍ୟାଚ ବାଙ୍ଗାଲୋରରେ ଖେଳାଯିବ। ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ଭାରତର ଉକ୍ତ ଶୃଙ୍ଖଳା ବିଜୟ କ୍ରିକେଟପ୍ରେମୀଙ୍କ ମନରୁ ବିଶ୍ବକପ ଫାଇନାଲ ପରାଜୟର ଗ୍ଲାନି ଦୂର କରିବାରେ କିଛି ମାତ୍ରାରେ ସଫଳ ହୋଇଛି। ଭାରତ ରିଙ୍କୁ ସିଂହ ୪୬ ଓ ଜିତେଶ ଶର୍ମାଙ୍କ ୩୫ରନ ବଳରେ ୧୭୪ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ମାଥ୍ୟୁ ୱେଡ୍‌ ୩୬, ଟ୍ରେଭିସ ହେଡ୍‌ ୩୧ ଓ ମାଥ୍ୟୁ ସଟ୍‌ଙ୍କ ୨୨ରନ ବଳରେ ୭ ୱିକେଟ ହରାଇ ୧୫୪ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଅକ୍ଷର ପଟେଲ ୩ଟି, ଦୀପକ ଚହର ୨ଟି,ରବି ବିଷ୍ଣୋୟି ଓ ଆଭେଶ ଖାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଅଷ୍ଟ୍ରେଲିଆ ଅଧିନାୟକ ମାଥ୍ୟୁ ୱେଡ୍‌ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଦୁଇ ଓପନର ଯଶସ୍ବୀ ଜୟସୱାଲ ଓ ଋତୁରାଜ ଗାଏକ୍ବାର୍ଡ ପ୍ରଥମ ୱିକେଟରେ ୫୦ରନ ସଂଗ୍ରହ କରିଥିଲେ। ଯଶସ୍ବୀ ୩୭ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟର ପତନ ୬୨ରନରେ ଘଟିଥିଲା। ଶ୍ରେୟାସ ଆୟର ମାତ୍ର ୮ ରନ କରି ଆଉଟ୍‌ ହୋଇଥିଲେ। ୬୩ରନରେ ୩ୟ ୱିକେଟର ପତନ ଘଟିଥିଲା । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧ରନ କରି ଆଉଟ୍‌ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ଋତୁରାଜ ଓ ରିଙ୍କୁ ସିଂହ ୪୮ରନ ସଂଗ୍ରହ କରିଥିଲେ। ୧୧୧ରନ ସ୍କୋର ଥିବାବେଳେ ଋତୁରାଜ୍‌ ୩୨ରନ କରି ଆଉଟ୍‌ ହୋଇଥିଲେ। ୫ମ ୱିକେଟରେ ଜିତେଶ ଶର୍ମା ଓ ରିଙ୍କୁ ୫୬ରନ କରିବା ସହିତ ସ୍କୋରକୁ ୧୬୭ରନରେ ପହଞ୍ଚାଇଥିଲେ। ଜିତେଶ ୧୯ଟି ବଲରୁ ୧ଟି ଚୌକା ଓ ୩ଟି ଛକା ସହ ୩୫ରନ କରି ଆଉଟ୍‌ ହୋଇଥିଲେ। ଭାରତ ଶେଷ ୯ଟି ବଲରେ ମାତ୍ର ୭ରନ କରିବା ସହିତ ୫ଟି ୱିକେଟ ହରାଇଥିଲା। ଶେଷରେ ଦଳ ୯ ୱିକେଟ ହରାଇ ୧୭୪ରନ କରିବାକୁ ସକ୍ଷମ ହୋଇଥିଲା। ରିଙ୍କୁ ସିଂହ ୨୯ଟି ବଲରୁ ୪ଟି ଚୌକା ଓ ୨ଟି ଛକା ସହ ୪୬ ରନ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ବେନ୍‌ ଡାଓରିସିୟସ ୩ଟି ୱିକେଟ ନେଇଥିଲେ। ଭାରତ ପ୍ରଥମ ମ୍ୟାଚକୁ ୨ ୱିକେଟରେ ଓ ଦ୍ବିତୀୟ ମ୍ୟାଚକୁ ୪୪ରନରେ ଜିଥିବାବେଳେ ଅଷ୍ଟ୍ରେଲିଆ ୩ୟ ମ୍ୟାଚକ୍ୁ ୫ ୱିକେଟରେ ଜିତିଥିଲା।

Comments are closed.