ପନ୍ତ୍, ପାଣ୍ଡ୍ୟା ହିରୋ ; ଦିନିକିଆ ଶୃଙ୍ଖଳା ଜିତିଲା ଭାରତ
ମାଞ୍ଚେଷ୍ଟର : ଇଂଲଣ୍ଡ ମାଟିରେ ୩ୟ ଥର ଦିନିିକିଆ ଶୃଙ୍ଖଳା ଜିତିଛି ଭାରତୀୟ କ୍ରିକେଟ୍ ଦଳ। ରବିବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ହାର୍ଦିକ ପାଣ୍ଡ୍ୟାଙ୍କ ଅଲ୍ରାଉଣ୍ଡ ସଫଳତା ଓ ଋଷଭ ପନ୍ତ୍ଙ୍କ ଅପରାଜିତ ଶତକ ବଳରେ ଇଂଲଣ୍ଡକୁ ୫ ୱିକେଟରେ ଭାରତ ପରାସ୍ତ କରିଛି। ଫଳରେ ଭାରତ ୨-୧ରେ ଦିନିିକିଆ ଶୃଙ୍ଖଳା ଜିତିନେଇଛି। ଏହାସହ ଇଂଲଣ୍ଡରେ କ୍ରମାଗତ ୨ଟି ସୀମିତ ଓଭର ଶୃଙ୍ଖଳା ଭାରତ ଜିତିଛି। ଜୋସ୍ ବଟ୍ଲରଙ୍କ ଅର୍ଦ୍ଧଶତକ ସତ୍ତ୍ବେ ହାର୍ଦିକ ପାଣ୍ଡ୍ୟା ଓ ୟୁଜବେନ୍ଦ୍ର ଚହଲଙ୍କ ବୋଲିଂ ସଫଳତା ଯୋଗୁଁ ଇଂଲଣ୍ଡ ୪୫.୫ ଓଭରରେ ୨୫୯ ରନ୍କରି ଅଲ୍ଆଉଟ୍ ହୋଇଥିଲା। ଋଷଭ ପନ୍ତ୍ଙ୍କ ଅପରାଜିତ ଶତକ ଓ ହାର୍ଦିକ ପାଣ୍ଡ୍ୟାଙ୍କ ୭୧ ରନ୍ ବଳରେ ୪୨.୧ ଓଭରରେ ୫ ୱିକେଟ ହରାଇ ଭାରତ ଜିତିଥିଲା।
ବିପର୍ଯ୍ୟୟ ସହ ଭାରତ ୨୬୦ ରନ୍ ଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ୨ୟ ମ୍ୟାଚ୍ରେ ୬ଟି ୱିକେଟ ନେଇଥିବା ରିସ୍ ଟପ୍ଲି ଆରମ୍ଭରୁ ୩ଟି ୱିକେଟ ନେଇ ଯାଇଥିଲେ। ଶିଖର ଧାୱନ ୧ ରନ୍ରେ ଆଉଟ୍ ହୋଇଥିଲେ। ରୋହିତ ଶର୍ମା ଓ ବିରାଟ କୋହଲି ଅଫ୍ଷ୍ଟମ୍ପ୍ ବାହାରର ବଲ୍କୁ ଖେଳି ୱିକେଟ ପଛରେ କ୍ୟାଚ୍ ଦେଇଥିଲେ। ଉଭୟେ ୧୭ ରନ୍ ଲେଖାଏଁ କରିଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ବେପରୁଆ ସଟ୍ ଖେଳି ଆଉଟ୍ ହୋଇଥିଲେ। ସୂର୍ଯ୍ୟ ୧୬ ରନ୍ କରିଥିଲେ। ୭୨ ରନ୍ରେ ୪ଟି ୱିକେଟ ପଡ଼ିବା ପରେ ଋଷଭ ପନ୍ତ୍ ଓ ହାର୍ଦିକ ପାଣ୍ଡ୍ୟା ଚମତ୍କାର ବ୍ୟାଟିଂ କରିଥିଲେ। ଦୁହେଁ ସେଟ୍ ହେବା ପରେ ପ୍ରତ୍ୟାକ୍ରମଣ କରିଥିଲେ। ଫଳରେ ଭାରତ ଆବଶ୍ୟକ ରନ୍ହାରଠାରୁ ଅଧିକ ଗତିରେ ସ୍କୋର୍ କରିଥିଲା। ୫ମ ୱିକେଟ ପାଇଁ ଦୁହେଁ ୧୯ ଓଭରରେ ୧୩୩ ରନ୍ ଯୋଗ କରିଥିଲେ; ଯାହା ଇଂଲଣ୍ଡଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲା। ହାର୍ଦିକ ଆକ୍ରମଣ କରି ମାତ୍ର ୫୫ ବଲ୍ରୁ ୧୦ଟି ଚୌକା ସହ ୭୧ ରନ୍କରି ଆଉଟ୍ ହୋଇଥିଲେ। ପରେ ପନ୍ତ୍ ଦ୍ରୁତଗତିରେ ସ୍କୋର୍କରିବା ଆରମ୍ଭ କରିଥିଲେ। ୧୦୬ ବଲ୍ରେ ପନ୍ତ୍ ଜୀବନର ପ୍ରଥମ ଦିନିକିଆ ଶତକ ପୂରଣ କରିଥିଲେ। ତେବେ ପନ୍ତ୍ ୧୮ ରନ୍ କରିଥିବା ବେଳେ ବଟ୍ଲର ତାଙ୍କୁ ଷ୍ଟମ୍ପିଂ କରିବା ସୁଯୋଗ ଛାଡ଼ିବା ଇଂଲଣ୍ଡ ପାଇଁ ମହଙ୍ଗା ପଡ଼ିଥିଲା। ପନ୍ତ୍ ୧୧୩ ବଲ୍ରୁ ୨ଟି ଛକା ଓ ୧୬ଟି ଚୌକା ସହ ୧୨୫ ରନ୍କରି ଅପରାଜିତ ଥିଲେ। ରବୀନ୍ଦ୍ର ଜାଡ଼େଜା ୭ ରନ୍କରି ଅପରାଜିତ ଥିଲେ। ରିସ୍ ଟପ୍ଲି ୩ଟି ୱିକେଟ ନେଇଥିଲେ। ପନ୍ତ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ହାର୍ଦିକ ପାଣ୍ଡ୍ୟା ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।
ରୋହିତ ଟସ୍ ଜିତି ଫିଲ୍ଡିଂ ନେଇଥିଲେ। ପ୍ରଥମ ଓଭରରେ ଜେସନ୍ ରୟ ୩ଟି ଚୌକା ମାରିଥିଲେ। ଆହତ ଯଶପ୍ରୀତ ବୁମ୍ରାଙ୍କ ସ୍ଥାନରେ ଖେଳିଥିବା ମହମ୍ମଦ ସିରାଜ୍ଙ୍କ ପ୍ରଥମ ଓଭର ମେଡେନ୍ ଥିଲା ଏବଂ ୨ଟି ୱିକେଟ ନେଇଥିଲେ। ଜନି ବେୟାରଷ୍ଟୋ ଓ ଜୋ ରୁଟ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଏହି ୨ଟି ୱିକେଟ ପଡ଼ିବା ସତ୍ତ୍ବେ ଓପ୍ନର ଜେସନ୍ ରୟ ଷ୍ଟ୍ରୋକ୍ ଖେଳିବା ଜାରି ରଖିଥିଲେ। ୯ ଓଭରରେ ଇଂଲଣ୍ଡ ୬୬ ରନ୍ କରିଥିଲା। ଏହାପରେ ପୁଣି ଇଂଲଣ୍ଡର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ୮ ରନ୍ରେ ୨ଟି ୱିକେଟ ପଡ଼ିଥିବା ବେଳେ ଉଭୟ ୱିକେଟ ହାର୍ଦିକ ପାଣ୍ଡ୍ୟା ନେଇଥିଲେ। ୩୧ ବଲ୍ରୁ ୭ଟି ଚୌକା ସହ ୪୧ ରନ୍କରି ରୟ ଆଉଟ୍ ହୋଇଥିଲେ। ଏକ ବାଉନ୍ସରରେ ପରାସ୍ତହୋଇ ବେନ୍ ଷ୍ଟୋକ୍ସ ବୋଲର ପାଣ୍ଡ୍ୟାଙ୍କୁ କ୍ୟାଚ୍ ଦେଇଥିଲେ। ଷ୍ଟୋକ୍ସ ୨୯ ବଲ୍ରୁ ୪ଟି ଚୌକା ସହ ୨୭ ରନ୍ କରିଥିଲେ। ୭୪ ରନ୍ରେ ୪ଟି ୱିକେଟ ପଡ଼ିବା ପରେ ଜୋସ୍ ବଟ୍ଲର ଓ ମୋଇନ୍ ଅଲୀ ୧୪ ଓଭରରେ ୭୫ ରନ୍ ଯୋଡ଼ିଥିଲେ। ମୋଇନ୍ ୪୪ ବଲ୍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୪ ରନ୍ କରି ଆଉଟ୍ ହୋଇଥିଲେ। ପରେ ବଟ୍ଲର ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୪୯ ରନ୍ ଯୋଡ଼ିବା ପରେ ଗୋଟିଏ ଓଭରରେ ଉଭୟଙ୍କୁ ଆଉଟ୍ କରିଥିଲେ ହାର୍ଦିକ। ଦୁହେଁ ସଟ୍ ପିଚ୍ ବଲ୍କୁ ଡିପ୍ ମିଡ୍ୱିକେଟରେ କ୍ୟାଚ୍ ଦେଇଥିଲେ। ଲିଭିଙ୍ଗଷ୍ଟୋନ୍ ୩୧ ବଲ୍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୭ ରନ୍ କରିଥିଲେ। ବଟ୍ଲର ୮୦ ବଲ୍ରୁ ୨ଟି ଛକା ଓ ୩ଟି ଚୌକା ସହ ୬୦ ରନ୍ କରିଥିଲେ। ପରେ ଡେଭିଡ୍ ୱିଲି ୧୫ ବଲ୍ରୁ ୧୮ ଓ କ୍ରେଗ୍ ଓଭର୍ଟନ ୩୩ ବଲ୍ରୁ ୩୨ ରନ୍ର ଉପଯୋଗୀ ଇନିଂସ ଖେଳିଥିଲେ। ୟୁଜବେନ୍ଦ୍ର ଚହଲ ଶେଷ ୨ଟି ଓଭରରେ ୩ଟି ୱିକେଟ ନେଇ ଇଂଲଣ୍ଡ ଇନିଂସ ଶେଷ କରିଥିଲେ। ହାର୍ଦିକ ୨୪ ରନ୍ଦେଇ ୪ଟି ୱିକେଟ ନେଇ ଜୀବନର ଶ୍ରେଷ୍ଠ ବୋଲିଂ ସଫଳତା ହାସଲ କରିଥିଲେ। ସିରାଜ୍ ୨ଟି ୱିକେଟ ପାଇଥିଲେ।
Comments are closed.