ଭାରତ-ୱେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ : ସିରିଜ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ରାତ ୭ଟାରୁ ଖେଳ

କିଙ୍ଗ୍‌ଷ୍ଟନ୍ : ଶୁକ୍ରବାରଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୨ୟ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି। ଟ୍ବେଣ୍ଟି-୨୦ ଓ ଦିନିକିଆ ପରି ଏହି ଟେଷ୍ଟମ୍ୟାଚ୍‌କୁ ଜିତି ସିରିଜ୍ ପୋଛିନେବାକୁ ଭାରତ ଲକ୍ଷ୍ୟ ରଖିଛି।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଆଶା ଅନୁସାରେ ଭାରତୀୟ ଦଳ ପ୍ରାଧାନ୍ୟ ବିସ୍ତାର କରିଥିଲା। ମ୍ୟାଚ୍‌ର ପ୍ରଥମ ୨ ଦିନ ଉଭୟ ଦଳଙ୍କ ମଧ୍ୟରେ କିଛିଟା ମୁକାବିଲା ହୋଇଥିଲେ ହେଁ ପରବର୍ତ୍ତୀ ୨ ଦିନ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିିଥିଲା। ପେସ୍ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୨ୟ ଇନିଂସରେ ମାତ୍ର ୧୦୦ ରନ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ଭାରତ ପରାସ୍ତ କରିଥିଲା। ଫଳରେ ବିଦେଶମାଟିରେ ରନ୍ ହିସାବରେ ସର୍ବାଧିକ ୩୧୮ ରନ୍‌ରେ ଜିତି ଭାରତ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ଅପରାଜେୟ ୧-୦ ଲିଡ୍ ନେଇପାରିଛି। ଏହାସହ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପରେ ୬୦ ପଏଣ୍ଟ ହାସଲକରି ଭାରତ ତା’ର ଅଭିଯାନ ଆରମ୍ଭ କରିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ  ଉଚ୍ଚକୋଟିର ପ୍ରଦର୍ଶନ କରି ଭାରତ ପ୍ରଥମ ଟେଷ୍ଟମ୍ୟାଚ୍ ଜିତିଥିଲା।
ଅନ୍ୟପକ୍ଷରେ ଶେଷଥର ପାଇଁ ଭାରତ ବିପକ୍ଷରେ ଘରୋଇ ୱେଷ୍ଟଇଣ୍ଡିଜ୍ ୨୦୦୨ରେ ଟେଷ୍ଟମ୍ୟାଚ୍ ଜିତି ପାରିଥିଲା। ଏହାପରେ ୨୦୦୬, ୨୦୧୧ ଓ ୨୦୧୬ରେ କ୍ରମାଗତ ୩ଟି ସିରିଜ୍‌ରେ ଘରୋଇ ଦଳକୁ ଭାରତ ପରାସ୍ତ କରିଛି। ଏଥର ୧-୦ରେ ଆଗୁଆ ଥିବା ବେଳେ ଏହି ସିରିଜ୍ ମଧ୍ୟ ଜିତିବାକୁ ଯାଉଛି। ଭାରତ ଯଦି ୨ୟ ଟେଷ୍ଟମ୍ୟାଚ୍ ଜିତେ; ତେବେ ମହେନ୍ଦ୍ର ସିଂହ ଧୋନିଙ୍କ ୨୭ଟି ଟେଷ୍ଟମ୍ୟାଚ୍ ବିଜୟର ରେକର୍ଡକୁ ଅତିକ୍ରମ କରି ବିରାଟ କୋହଲି ଦେଶର ସଫଳତମ ଟେଷ୍ଟ ଅଧିନାୟକ ହେବେ।

Comments are closed.