ସ୍ପିନରଙ୍କ ସଫଳତା ; ଇଣ୍ଡିଜ୍କୁ ସହଜରେ ହରାଇଲା ଭାରତ
ପ୍ରଥମ ଦିନିକିଆ
ବ୍ରିଜ୍ଟାଉନ୍ : ଗୁରୁବାର ଏଠାରେ ପ୍ରଥମ ଦିନିକିଆ ମ୍ୟାଚ୍ରେ ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୫ ୱିକେଟ୍ରେ ସହଜ ବିଜୟ ହାସଲ କରିଛି ଭାରତ। କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜା ମିଳିତ ଭାବେ ୭ଟି ୱିକେଟ ନେବାରୁ ଘରୋଇ ୱେଷ୍ଟଇଣ୍ଡିଜ୍ ୨୩ ଓଭରରେ ମାତ୍ର ୧୧୪ ରନ୍କରି ଅଲ୍ଆଉଟ୍ ହୋଇ ଯାଇଥିଲା। ପରେ ୨୨.୫ ଓଭରରେ ୫ ୱିକେଟ ହରାଇ ଭାରତ ବିଜୟୀ ହୋଇଥିଲା। ଏହି ବିଜୟ ସହ ଭାରତ ୩ ମ୍ୟାଚ୍ର ଦିନିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଶନିବାର ୨ୟ ଦିନିକିଆ ଖେଳାଯିବ।
ଭାରତକୁ ମାତ୍ର ୧୧୫ ରନ୍ର ପିଛା କରିବାକୁ ପଡ଼ିଥିବା ବେଳେ ବ୍ୟାଟିଂ ଅର୍ଡରରେ ଏକାଧିକ ପରିବର୍ତ୍ତନ କରିଥିଲା। ଶୁବ୍ମାନ ଗିଲ୍ ୭ ରନ୍କରି ଆଉଟ୍ ହୋଇ ଯାଇଥିଲେ। ଅନ୍ୟ ଓପ୍ନର ଈଶାନ୍ କିଷନ୍ ଓ ସୂର୍ଯ୍ୟକୁମାର ଯାଦବ ୨ୟ ୱିକେଟ ପାଇଁ ୩୬ ରନ୍ ଯୋଡ଼ିଥିଲେ। ସୂର୍ଯ୍ୟ ୨୫ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୧୯ ରନ୍କରି ଆଉଟ୍ ହୋଇଥିଲେ। ହାର୍ଦିକ ପାଣ୍ଡ୍ୟା ୫ ରନ୍କରି ରନ୍ଆଉଟ୍ ହୋଇଥିଲେ। ଅର୍ଦ୍ଧଶତକ ହାସଲ କରି ଈଶାନ୍ କିଷନ୍ ୪୬ ବଲ୍ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୫୨ ରନ୍କରି ଆଉଟ୍ ହୋଇଥିଲେ। ସାର୍ଦୁଳ ଠାକୁର ୧ ରନ୍ କରି ପାରିଥିଲେ। ରବୀନ୍ଦ୍ର ଜାଡ଼େଜା ୧୬ ଓ ଅଧିନାୟକ ରୋହିତ ଶର୍ମା ୧୨ ରନ୍କରି ଅପରାଜିତ ଥିଲେ। ବାମହାତି ସ୍ପିନର ଗୁଡ଼ାକେଶ ମୋତି ୨ଟି ୱିକେଟ ନେଇଥିଲେ। କୁଲଦୀପ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟେଷ୍ଟ ଶୃଙ୍ଖଳାରେ ଏବଂ ଏହା ପୂର୍ବରୁ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ୱେଷ୍ଟଇଣ୍ଡିଜ୍ର ବ୍ୟାଟ୍ସମ୍ୟାନ୍ ଯେପରି ଦୟନୀୟ ବ୍ୟାଟିଂ କରିଥିଲେ; ଏହି ମ୍ୟାଚ୍ରେ ଅନୁରୂପ ବ୍ୟାଟିଂ କରିଥିଲେ। ୱେଷ୍ଟଇଣ୍ଡିଜ୍ ମାତ୍ର ୨୩ ଓଭର ଖେଳି ପାରିଥିଲା। ଅଧିନାୟକ ସୈ ହୋପ୍ଙ୍କୁ ଛାଡ଼ି କେହି କ୍ରିଜ୍ରେ ରହିବାର ପ୍ରୟାସ ମଧ୍ୟ କରିନଥିଲେ। ଭାରତୀୟ ସ୍ପିନରଙ୍କୁ ଖେଳିନପାରି ୱେଷ୍ଟଇଣ୍ଡିଜ୍ର ବ୍ୟାଟ୍ସମ୍ୟାନ୍ ୱିକେଟ ହରାଇ ଚାଲିଥିଲେ। ରବୀନ୍ଦ୍ର ଜାଡ଼େଜା ୱେଷ୍ଟଇଣ୍ଡିଜ୍ର ମଧ୍ୟକ୍ରମକୁ ଧ୍ବଂସ କରିଥିବା ବେଳେ କୁଲଦୀପ ଯାଦବ ଇନିଂସକୁ ସମାପ୍ତ କରିଥିଲେ। ଭାରତ ଫିଲ୍ଡିଂ ନେବା ପରେ କାଏଲ୍ ମେୟର୍ସ ୩ ରନ୍କରି ବିଦାୟ ନେଇଥିଲେ। ବ୍ରାଣ୍ଡନ୍ କିଙ୍ଗ୍ ଓ ଆଲିକ୍ ଆଥାନେଜ୍ ୩୮ ରନ୍ ଯୋଡ଼ିଥିଲେ। ଆଥାନେଜ୍ ୧୮ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୨ ରନ୍ କରିଥିଲେ। ବ୍ରାଣ୍ଡନ୍ କିଙ୍ଗ୍ ୩ଟି ଚୌକା ସହ ୧୭ ରନ୍କରି ବିଦାୟ ନେଇଥିଲେ। ଦଳକୁ ଫେରିଥିବା ସିମ୍ରନ୍ ହେତ୍ମେୟର ୧୧ ରନ୍କରି ଆଉଟ୍ ହୋଇଥିଲେ। ପରେ ହୋପ୍ ଶେଷ ପର୍ଯ୍ୟନ୍ତ ଲଢ଼ିଥିବା ବେଳେ ଅନ୍ୟ କେହି ଦୁଇଅଙ୍କ ବିଶିଷ୍ଟ ସ୍କୋର୍ କରି ପାରିନଥିଲେ। ରୋଭ୍ମ୍ୟାନ୍ ପୱେଲ ୪ ରନ୍ କରିଥିଲେ। ୨୬ ରନ୍ରେ ୱେଷ୍ଟଇଣ୍ଡିଜ୍ ଶେଷ ୭ଟି ୱିକେଟ ହରାଇ ଅଲ୍ଆଉଟ୍ ହୋଇ ଯାଇଥିଲା। ସୈ ହୋପ୍ ୪୫ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ସର୍ବାଧିକ ୪୩ ରନ୍ କରିଥିଲେ। ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ୩ ଓଭର ବୋଲିଂକରି ମାତ୍ର ୬ ରନ୍ଦେଇ ୪ଟି ୱିକେଟ ନେଇଥିଲେ। ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ ପାଇଥିଲେ।
Comments are closed.