Patra electronics

ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ଟାଇ

କଲମ୍ବୋ: ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ରୋମାଞ୍ଚକର ଭାବେ ଟାଇ ରେ ଶେଷ ହୋଇଛି। ଶୁକ୍ରବାର କଲମ୍ବୋର ଆର ପ୍ରେମାଦାସ ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ଦୁନିତ ୱାଲାଲାଗେଙ୍କ ୬୭ ରନ ବଳରେ ୨୩୦ରନ କରିଥିଲା। ଜବାବରେ ଭାରତ ରୋହିତ ଶର୍ମାଙ୍କ ୫୮ରନ ବଳରେ ୪୭.୫ ଓଭରରେ ୨୩୦ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଏକଦା ଭାରତ ୮ ୱିକେଟରେ ୨୩୦ରନ କରିଥିବାବେଳେ ୪୮ତମ ଓଭରରେ ଶ୍ରୀଲଙ୍କା ବୋଲର ଚାରିର୍ଥ ଆଶାଲାଙ୍କା କ୍ରମାଗତ ଭ​‌ାବେ ଦୁଇଟି ୱିକେଟ ନେଇ ମ୍ୟାଚକୁ ଟାଇ ରଖିଥିଲେ। ରବିବାର ଦ୍ବିତୀୟ ମ୍ୟାଚ ଖେଳାଯିବ।

୨୩୧ରନର ବିଜୟ ଲକ୍ଷ୍ୟକୁ ଭାରତ ଦୃଢତାର ସହିତ ପିଛା କରିଥିଲା। ଦୁଇ ଓପନର ଶୁବମାନ ଗିଲ୍‌ ଓ ଅଧିନାୟକ ରୋହିତ ଶର୍ମା ପ୍ରଥମ ୱିକେଟରେ ୭୫ରନ ସଂଗ୍ରହ କରିଥିଲେ। ଗିଲ୍‌ ୧୬ରନ କରି ଆଉଟ୍‌ ହୋଇଥିଲେ। ଭାରତ ଭଲ ଆରମ୍ଭ କରିଥିଲେ ମଧ୍ୟ ୧୨ରନ ମଧ୍ୟରେ ୩ଟି ୱିକେଟ ହରାଇ ବିପର୍ଯ୍ୟୟ ଭୋଗିଥିଲା। ୮୭ରନ ମଧ୍ୟରେ ଭାରତ ୩ଟି ୱିକେଟ ହରାଇଥିଲା। ରୋହିତ ୪୭ଟି ବଲରୁ ୭ଟି ଚୌକା ଓ ୩ଟି ଛକା ସହ ୫୮ ଓ ୱାଶିଂଟନ ସୁନ୍ଦର ୫ରନ କରି ଆଉଟ୍‌ ହୋଇଥିଲେ। ୪ର୍ଥ ୱିକେଟରେ ବିରାଟ କୋହଲି ଓ ଶ୍ରେୟାସ ଆୟର କିଛି ସମୟ ପାଇଁ ସ୍ଥିତି ସମ୍ଭାଳିଥିଲେ। ଉଭୟେ ୪୩ରନ ଭାଗିଦାରୀ କରିଥିଲେ। ସ୍କୋର ୧୩୦ରନ ଥିବାବେଳେ କୋହଲି ୨୪ରନ କରି ଆଉଟ୍‌ ହୋଇଥିଲେ। ଭାରତ ୧୩୨ରନରେ ୫ମ ୱିକେଟ ହରାଇଥିଲା। ଶ୍ରେୟାସ ୨୩ରନ କରି ଆଉଟ୍‌ ହୋଇଥିଲେ। ୬ଷ୍ଠ ୱିକେଟରେ ଲୋକେଶ ରାହୁଲ ଓ ଅକ୍ଷର ପଟେଲ ୫୭ରନ ସଂଗ୍ରହ କରିଥିଲେ। ୧୮୯ରନ ସ୍କୋର ଥିବାବେଳେ ରାହୁଲ ୩୧ରନ କରି ଆଉଟ୍‌ ହୋଇଥିଲେ। ୧୯୭ରନ​‌େ​‌ର ଭାରତ ସପ୍ତମ ୱିକେଟ ହରାଇଥିଲା। ଅକ୍ଷର ପଟେଲ ୩୩ରନ କରି ଆଉଟ୍‌ ହୋଇଥିଲେ। ଭାରତ ୮ ୱିକେଟରେ ୨୩୦ରନ କରିଥିବାବେଳେ ଶେଷ ଦୁଇ ୱିକେଟ ବିନା ରନରେ ହରାଇଥିଲା। ୪୮ତମ ଓଭରରେ ଆଶାଲାଙ୍କା ଦୁବେ ଓ ଅର୍ଶଦୀପ ସିଂହଙ୍କ ୱି​‌େ​‌କଟ ନେଇ ମ୍ୟାଚକୁ ଟାଇ ରଖିଥିଲେ। ଶ୍ରୀଲଙ୍କା ପକ୍ଷରୁ ୱାନିନ୍ଦୁ ହାସରଙ୍ଗା ଓ ଚାରିର୍ଥ ଆଶାଲାଙ୍କା ୩ଟି ଲେଖାଏଁ ୱିକେଟ ନେଇଥିଲେ।

ଶ୍ରୀଲଙ୍କା ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୬୦ ରନରେ ୩ଟି ୱିକେଟ ହରାଇଥିଲା। ୪ର୍ଥ ୱିକେଟରେ ନିଶଙ୍କା ଓ ଅଧିନାୟକ ଚାରିର୍ଥ ଆଶାଲାଙ୍କା ୩୧ରନ ଭାଗିଦାରୀ କରିଥିଲେ। ସ୍କୋର ୯୧ରନ ଥିବାବେଳେ ଆଶାଲାଙ୍କା ୧୪ରନ କରି ଆଉଟ୍‌ ହୋଇଥିଲେ। ୫ମ ୱିକେଟର ପତନ ୧୦୧ରନରେ ଘଟିଥିଲା। ନିଶାଙ୍କା ୫୬ରନ କରି ଆଉଟ୍‌ ହୋଇଥିଲେ। ୬ଷ୍ଠ ୱିକେଟରେ ଜିନତ ଲିୟାଙ୍ଗେ ଓ ଦୁନିଥ ୱାଲାଲାଗେ ୪୧ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୪୨ରନରେ ପହଞ୍ଚାଇଥିଲେ। ଲିୟାଙ୍ଗେ ୨୦ରନ କରି ଆଉଟ୍‌ ହୋଇଥିଲେ। ଶେଷରେ ୱାଲାଲାଗେଙ୍କ ଅପରାଜିତ ୬୭ରନ ବଳରେ ଦଳ ୮ ୱିକେଟ ହରାଇ ୨୩୦ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ଅର୍ଶଦୀପ୍‌ ସିଂହ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.