ମାଳଦ୍ୱୀପର ଅଂହକାର: ଦିଲ୍ଲୀ ବୈଠକରେ କଣ ନିଆଗଲା ନିଷ୍ପତି

ନୂଆଦିଲ୍ଲୀ: ମାଳଦ୍ୱୀପରୁ ଭାରତୀୟ ସେନା ହଟାଇବା ନେଇ ଶୁକ୍ରବାର ଦିଲ୍ଲୀରେ ଦୁଇ ଦେଶ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଏକ ବୟାନ ଜାରି କରାଯାଇଛି । ସୂଚନା ଅନୁସାରେ ମାଳଦ୍ୱୀପ ମାଟିରେ ନିୟୋଜିତ ଥିବା ଭାରତୀୟ ସେନା ବାହିନୀର ଉପସ୍ଥିତି ଏବଂ କାର୍ଯ୍ୟକଳାପ ସମ୍ବନ୍ଧରେ ପାରସ୍ପରିକ ବ୍ୟବହାରିକ ସମାଧାନ ଖୋଜିବା ଏହି ବୈଠକର ମୂଳ ଉଦ୍ଦେଶ୍ୟ ଥିଲା । ଦୁଇ ପକ୍ଷଙ୍କ ବାର୍ତ୍ତାଳାପରେ ଜଣାପଡିଛି ଯେ ମାଳଦ୍ୱୀପର ନାଗରିକଙ୍କୁ ମେଡିକାଲ ସେବା ଏବଂ ମାନବୀୟ ସେବା ଯୋଗାଉଥିବା ଭାରତୀୟ ସେନା ସେମାନଙ୍କ କାର୍ଯ୍ୟ ଜାରି ରଖିବେ । ସେନା ପ୍ରତ୍ୟାହାର ନେଇ କଣ ନିଷ୍ପତି ନିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଦୁଇ ସପ୍ତାହରୁ ଅଧିକ ସମୟ ପରେ ଦିଲ୍ଲୀରେ ଭାରତ-ମାଳଦ୍ୱୀପ ଉଚ୍ଚସ୍ତରୀୟ କୋର ଗ୍ରୁପର ଦ୍ୱିତୀୟ ବୈଠକ ଚାଲିଛି ବୋଲି କୁହାଯାଇଥିଲା । ଏହାପୂର୍ବରୁ ମାଳଦ୍ୱୀପର ରାଜଧାନୀ ମୌଲିରେ ପ୍ରାରମ୍ଭିକ ବୈଠକ ହୋଇଥିଲା, ଯେଉଁଥିରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇନଥିଲା ।

ଗତ ମାସରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ କହିଥିଲେ ମାର୍ଚ୍ଚ ୧୫ସୁଦ୍ଧା ସମସ୍ତ ଭାରତୀୟ ସୈନ୍ୟଙ୍କୁ ତାଙ୍କ ଦେଶରୁ ପ୍ରତ୍ୟାହାର କରାଯାଉ । ସମ୍ପ୍ରତି ପ୍ରାୟ ୮୦ଜଣ ଭାରତୀୟ ସୈନିକ ମୁଖ୍ୟତଃ ଦୁଇଟି ହେଲିକପ୍ଟର ଏବଂ ଗୋଟିଏ ବିମାନ ଚଳାଇବା ପାଇଁ ମାଳଦ୍ୱୀପରେ ନିୟୋଜିତ ହୋଇଛନ୍ତି । ଏହି ସୈନ୍ୟ ମାନେ ମେଡିକାଲ ଉପକରଣ ଏବଂ ମାନବିକ ମିଶନ ଦିଗରେ କାର୍ଯ୍ୟ କରୁଛନ୍ତି । ନଭେମ୍ବରରେ ମୁଇଜ୍ଜୁ କ୍ଷମତାକୁ ଆସିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି । ଚୀନ ସମର୍ଥକ ଭାବେ ପରିଚିତ ମହମ୍ମଦ ମୁଇଜ୍ଜୁ କାର୍ଯ୍ୟଭାର ସମ୍ଭାଳିବା ପରେ କହିଥିଲେ ଯେ ଭାରତୀୟ ସେନାଙ୍କୁ ଦେଶରୁ ବିତାଡିତ କରିବା ପାଇଁ ନିର୍ବାଚନରେ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ନିଶ୍ଚିତ ଭାବେ ପାଳନ କରିବେ ।

ଭାରତ ମହାସାଗରରେ ମାଳଦ୍ୱୀପ ହେଉଛି ଅନ୍ୟତମ ପ୍ରମୁଖ ସାମୁଦ୍ରିକ ପଡୋଶୀ ଏବଂ ପ୍ରତିରକ୍ଷା ତଥା ନିରାପତ୍ତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ପୂର୍ବ ସରକାରଙ୍କ ଅଧୀନରେ ଅଗ୍ରଗତି କରିଛି । ମହମ୍ମଦ ମୁଇଜ୍ଜୁ ୧୭ ନଭେମ୍ବରରେ ମାଳଦ୍ୱୀପର ନୂତନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ଭାରତୀୟ ସୈନ୍ୟଙ୍କୁ ମାଳଦ୍ୱୀପରୁ ପ୍ରତ୍ୟାହାର କରିବାକୁ କହିଥିଲେ ।

 

Comments are closed.