ସମାଜ ପୋର୍ଟାଲ ଡେସ୍କ: ଭାରତ ସମେତ ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ-ୟୁଏଇ ଶିଖର ସମ୍ମିଳନୀକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ଉଭୟ ପକ୍ଷ ନିଷ୍ପତ୍ତି ନେଇଛନ୍ତି। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ମୁତାବକ ନୂଆଦିଲ୍ଲୀ ଏବଂ ବ୍ରସେଲ୍ସ ପକ୍ଷରୁ ମିଳିତ ଭାବେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ମାସ ଶେଷରେ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରସେଲ୍ସ ଗସ୍ତ କରିବାର ଥିଲା। କରୋନା ସଂକ୍ରମଣ ଦୃଷ୍ଟିରୁ ଗୋଟିଏ ଅଂଚଳରୁ ଅନ୍ୟ ଅଂଚଳକୁ ଭ୍ରମଣ ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ବାରଣ କରିଥିବାରୁ ପରବର୍ତ୍ତୀ ସମୟରେ ଭାରତ ୟୁଏଇ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ନେଇ ସହମତି ପ୍ରକାଶ ପାଇଛି।
ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ଭାରତ ଏବଂ ୟୁଏଇ ମଧ୍ୟରେ ଘନିଷ୍ଠ ସହଯୋଗ ଆଭିମୁଖ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ୮୦ଟି ଦେଶକୁ ବ୍ୟାପି ଥିବା ବେଳେ ୩ ହଜାର ୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।



