କାନାଡ଼ା ନାଗରିକଙ୍କୁ ଭିସା ଦେବନି ଭାରତ

ନୂଆଦିଲ୍ଲୀ : ଭାରତ ସରକାର ଗୁରୁବାର ନିରାପତ୍ତା କାରଣ ଦର୍ଶାଇ କାନାଡ଼ା ନାଗରିକଙ୍କ ପାଇଁ ଭିସା ମନା କରିଦେଇଛନ୍ତି। ଏମିତି କି ଅନ୍ୟ ଦେଶରେ ବାସ କରୁଥିବା କାନାଡ଼ା ନାଗରିକଙ୍କୁ ମଧ୍ୟ ଭାରତରେ ପ୍ରବେଶ ପାଇଁ ଭିସା ପ୍ରଦାନ କରାଯିବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚୀ କହିଛନ୍ତି ଯେ କାନାଡ଼ାସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଓ କନ୍‌ସୁଲେଟ୍‌ କାର୍ଯ୍ୟାଳୟ କର୍ମଚାରୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି ଏବଂ ସେମାନେ ଠିକ୍‌ ଭାବେ କାର୍ଯ୍ୟ କରିପାରୁ ନଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ନିୟମିତ ଭାବେ ପରିସ୍ଥିତିର ସମୀକ୍ଷା କରାଯିବ ଏବଂ ସ୍ଥିତି ଅନୁକୂଳ ହେବା ପରେ ଭିସା ପ୍ରଦାନ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ। ଯେଉଁମାନଙ୍କର ଭିସା କାର୍ଯ୍ୟକ୍ଷମ ଥିବ ବା ଯେଉଁମାନଙ୍କ ପାଖରେ ‘ଓଭରସିଜ୍‌ ସିଟିଜେନ୍‌ସିପ୍‌ କାର୍ଡ’ ଥିବ ସେମାନେ ଭାରତ ଆସିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ
ଏତଦ୍‌ ବ୍ୟତୀତ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟା ଭାରତୀୟ ଏଜେଣ୍ଟଙ୍କ ଦ୍ବାରା କରାଯାଇଥିବା ନେଇ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁଙ୍କ ଅଭିଯୋଗରେ ବାସ୍ତବତା ନାହିଁ। ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବାଗ୍‌ଚୀ କହିଛନ୍ତି। ଏହି ଅଭିଯୋଗ କପୋଳକଳ୍ପିତ; କାରଣ କାନାଡ଼ା ସରକାର ଜୁନ୍‌ ୧୮ରୁ ଅଦ୍ୟାବଧି ନିଜାରକୁ ହତ୍ୟା ସହ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିନାହାନ୍ତି। ଅଭିଯୋଗ ଉପରେ ଠୋସ୍‌ ପ୍ରମାଣ ଦେବାରେ ବ୍ୟର୍ଥ ହୋଇଥିଲାବେଳେ ମାମଲା ସମ୍ପର୍କରେ ଅତିରଞ୍ଜିତ ପ୍ରଚାର ଚଳାଇଛନ୍ତି। ଘଟଣା ପୂର୍ବରୁ କିମ୍ବା ପରେ କୌଣସି ତଥ୍ୟ ଦେଇନାହାନ୍ତି। ଭାରତୀୟ ଦୂତାବାସ ତଥା ଏହାର କର୍ମଚାରୀଙ୍କ ସୁରକ୍ଷା ଦାୟିତ୍ବ କାନାଡ଼ା ସରକାରଙ୍କର ହୋଇଥିଲେ ମଧ୍ୟ ଏ ବାବଦରେ ଟ୍ରୁଡୁ କିଛି ପଦକ୍ଷେପ ନେଇନାହାନ୍ତି। ସେଥିଯୋଗୁଁ କେତେକ ସ୍ଥାନରେ ଭାରତ ନିଜ ପକ୍ଷରୁ ନିରାପତ୍ତା ବ୍ୟବସ୍ଥା କରିଛି। ନୂଆଦିଲ୍ଲୀସ୍ଥିତ କାନାଡ଼ା ଦୂତାବାସରେ ଧାର୍ଯ୍ୟ ସଂଖ୍ୟା ତୁଳନାରେ ଅଧିକ କର୍ମଚାରୀ ଅଛନ୍ତି। ଏହି ସଂଖ୍ୟା ଭାରତ ତୁଳନାରେ ମଧ୍ୟ ଅଧିକ। ସେମାନେ ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଥିବାରୁ କର୍ମଚାରୀ ସଂଖ୍ୟା ହ୍ରାସ ପାଇଁ କାନାଡ଼ା ସରକାରଙ୍କୁ ଭାରତ କହିଥିବା ବାଗ୍‌ଚୀ କହିଛନ୍ତି। ଏହା ସତ୍ତ୍ବେ ନିଜ ଅଭିଯୋଗ ସପକ୍ଷରେ ବଳିଷ୍ଠ ପ୍ରମାଣ ରହିଥିବା ଦେହରାଇଛନ୍ତି ଟ୍ରୁଡୁ।
ପାକିସ୍ତାନ ଭଳି ଆତଙ୍କବାଦୀଙ୍କ ସ୍ବର୍ଗ ପାଲଟିଛି କାନାଡ଼ା
ପାକିସ୍ତାନ ଭଳି କାନାଡ଼ା ସମ୍ପ୍ରତି ଆତଙ୍କବାଦୀ ଓ ଉଗ୍ରବାଦୀଙ୍କ ସ୍ବର୍ଗ ପାଲଟିଛି। ସେଠାରେ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟରମାନେ ସ୍ବଚ୍ଛନ୍ଦରେ ବିଚରଣ କରୁଛନ୍ତି। ସେମାନଙ୍କୁ ସୁରକ୍ଷା ସହ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। କାନାଡ଼ା ସରକାର ମଧ୍ୟ ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଇ ଦେଉଛନ୍ତି। କାନାଡ଼ା ମାଟିରେ ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଇଥିବା ନିର୍ଦିଷ୍ଟ ୨୦ରୁ ୨୫ ଅପରାଧୀ ଓ ବିଭିନ୍ନ ସଂଗଠନ ସମ୍ପର୍କରେ ଭାରତ ପକ୍ଷରୁ ଟ୍ରୁଡୁ ସରକାରଙ୍କୁ ସପ୍ରମାଣ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି ଏବଂ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପ୍ରତ୍ୟର୍ପଣ ପାଇଁ ବାରମ୍ବାର ନିବେଦନ କରାଯାଇଛି। ଏହା ଉପରେ ଟ୍ରୁଡୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଏଥିନେଇ କାନାଡ଼ା ଆନ୍ତର୍ଜାତିକ ମହଲରେ ନିନ୍ଦିତ ହେଉଥିଲେ ମଧ୍ୟ ସରକାର ନିଶ୍ଚିନ୍ତ ଅଛନ୍ତି। ଭାରତ ସରକାର ଏହା ବିରୋଧରେ ଟ୍ରୁଡୁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଚାହାନ୍ତି ବୋଲି ବାଗ୍‌ଚୀ କହିଛନ୍ତି।
ଭାରତର ଭ୍ରମଣ ମାର୍ଗଦର୍ଶିକାକୁ ଅଗ୍ରାହ୍ୟ
ଭାରତ ସରକାର ବୁଧବାର କାନାଡ଼ାରେ ଥିବା ନିଜ ନାଗରିକଙ୍କ ପାଇଁ ନିରାପତ୍ତା ସଂକ୍ରାନ୍ତ ଭ୍ରମଣ ମାର୍ଗଦର୍ଶିକା ଜାରି କରିଥିଲାବେଳେ ଟ୍ରୁଡୁ ସରକାର ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। କାନାଡ଼ା ବିଶ୍ବର ଅନ୍ୟତମ ସୁରକ୍ଷିତ ରାଷ୍ଟ୍ର ବୋଲି ଟ୍ରୁଡୁ ଦର୍ଶାଇଛନ୍ତି। ଭାରତୀୟଙ୍କ ପ୍ରତି ବିପଦ ନାହିଁ ବୋଲି କାନାଡ଼ା ସରକାର କହିଛନ୍ତି। କାନାଡ଼ାର କୌଣସି ମୂଳ ଅଧିବାସୀ ନାହାନ୍ତି। ଏହା ଦେଶାନ୍ତରୀଙ୍କୁ ନେଇ ଗଠିତ ହୋଇଥିବାରୁ ସମସ୍ତଙ୍କ ମଧ୍ୟରେ ସୌହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଛି। କେହି ଅସୁରକ୍ଷିତ ନୁହନ୍ତି ବୋଲି ଜନୈକ ମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଟ୍ରୁଡୁଙ୍କୁ ତାଙ୍କ ଅଭିଯୋଗ ଓ ଭାରତର ଖଣ୍ଡନ ସମ୍ପର୍କରେ ବାରମ୍ବାର ପଚାରିବା ସତ୍ତ୍ବେ ସେ ଏହାକୁ ଏଡ଼ାଇ ଯାଇଥିଲେ। ନୂଆଦିଲ୍ଲୀସ୍ଥିତ କାନାଡ଼ା ଉଚ୍ଚାୟୁକ୍ତ କାର୍ଯ୍ୟାଳୟର କର୍ମଚାରୀ ଓ କୂଟନୀତିଜ୍ଞଙ୍କ ପାଇଁ ସାମୟିକ ଭାବେ ସୁରକ୍ଷା ବୃଦ୍ଧି କରିବାକୁ ‘ଗ୍ଲୋବାଲ ଆଫେୟାର୍ସ କାନାଡ଼ା’ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସେମାନଙ୍କୁ ଧମକ ଦିଆଯାଉଥିବା ସେ ଉଲ୍ଲେଖ କରିଛନ୍ତି। ଏଥିସହିତ ଏଠାରେ ଥିବା କର୍ମଚାରୀଙ୍କୁ କିଛି କାଳ ପାଇଁ ସୁରକ୍ଷିତ ଅବସ୍ଥାନ କରିବାର ସୁଯୋଗ ଦେବାକୁ ଉଚ୍ଚାୟୁକ୍ତ ନିବେଦନ କରିଛନ୍ତି।
ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି ଟ୍ରୁଡୁ
ଟ୍ରୁଡୁ ଆତଙ୍କବାଦୀ ସପକ୍ଷରେ ଯୁକ୍ତି କରିବା ଓ ‘ଅଭିବ୍ୟକ୍ତିର ସ୍ବାଧୀନତା’ ଆଳରେ ଟ୍ରୁଡୁ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି ଓ ଦେଶରେ ହିନ୍ଦୁ ବିରୋଧୀ ଘୃଣା ଅପରାଧକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଦଳ ‘ଲିବେରାଲ ପାର୍ଟି’ର ଭାରତୀୟ ବଂଶୋଦ୍ଭବ ସାଂସଦ ଚନ୍ଦ୍ର ଆର୍ଯ୍ୟ। ଆତଙ୍କବାଦୀ ନିଜାର ହତ୍ୟା ମାମଲା ଓ ଭାରତୀୟ ହିନ୍ଦୁଙ୍କୁ କାନାଡ଼ା ଛାଡ଼ିବାକୁ ଗୁରୁପତ୍‌ୱନ୍ତ ସିଂହ ପନୁନ୍‌ର ଧମକ ପରିପ୍ରେକ୍ଷୀରେ ଆର୍ଯ୍ୟ କହିଛନ୍ତି ଯେ କାନାଡ଼ାର ହିନ୍ଦୁମାନେ ଏଥିରେ ଭୟଭୀତ ହୋଇପଡ଼ିଛନ୍ତି। ସେମାନଙ୍କୁ ଯୋଜନାବଦ୍ଧ ଭାବେ ନିଶାଣ କରାଯାଉଥିବା ଆର୍ଯ୍ୟ ଅଭିଯୋଗ କରିଛନ୍ତି। ହିନ୍ଦୁ ଓ ଶିଖ୍‌ଙ୍କ ମଧ୍ୟରେ ପାରବାରିକ ସମ୍ପର୍କ ରହିଛି। ଶିଖ୍‌ମାନେ ଖଲିସ୍ତାନ ଆନ୍ଦୋଳନକୁ ସମର୍ଥନ କରନ୍ତି ନାହିଁ ବୋଲି ସେ କହିଛନ୍ତି।
ପ୍ରେସିଡେନ୍‌ସିଆଲ୍‌ ସୁଟ୍‌ରେ ରହିନଥିଲେ ଟ୍ରୁଡୁ
କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁ ଜି-୨୦ ସମ୍ମିଳନୀ ଅବସରରେ ଭାରତ ଆସିଥିବା ସମୟରେ ତାଙ୍କ ପାଇଁ ଉଦ୍ଦିଷ୍ଟ ନୂଆଦିଲ୍ଲୀର ପଞ୍ଚତାରକା ‘ଲଳିତ ହୋଟେଲ’ର ‘ପ୍ରେସିଡେନ୍‌ସିଆଲ୍‌ ସୁଟ୍‌’ରେ ରହିନଥିଲେ; ବରଂ ଏକ ସାଧାରଣ କୋଠରିରେ ରହିଥିଲେ ବୋଲି ଜଣାପଡ଼ିଛି। ଏଥିନେଇ ନିରାପତ୍ତା ତଥା ଗୁଇନ୍ଦା ଅଧିକାରୀମାନେ ଚିନ୍ତାରେ ପଡ଼ିଥିଲେ। ବିଦେଶୀ ରାଷ୍ଟ୍ରମୁଖ୍ୟମାନଙ୍କ ପାଇଁ ଭାରତ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। ଏହା ସତ୍ତ୍ବେ ଟ୍ରୁଡୁ କାହିଁକି ସ୍ବତନ୍ତ୍ର କୋଠରିରେ ଅବସ୍ଥାନକୁ ଏଡ଼ାଇଗଲେ ତାହା ବୁଝାପଡ଼ିନାହିଁ।
କାନାଡ଼ାରେ ଭାରତୀୟ ଛାତ୍ରଛାତ୍ରୀ ଆତଙ୍କିତ
କାନାଡ଼ାରେ ଅଧ୍ୟୟନ କରୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବାଧିକ ଭାରତୀୟ। ସେମାନଙ୍କ ମାଧ୍ୟମରେ କାନାଡ଼ା ସରକାରଙ୍କ ଅର୍ଥନୀତି ଋଦ୍ଧିମନ୍ତ। ଏତଦ୍‌ ବ୍ୟତୀତ ରିୟଲ ଇଷ୍ଟେଟ୍‌ ଓ ଅନ୍ୟ ବ୍ୟବସାୟରେ ଭାରତ ବିପୁଳ ଅର୍ଥ ବିନିଯୋଗ କରିଛି। କାନାଡ଼ା ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୮ଲକ୍ଷ ଓ ଭାରତୀୟଙ୍କ ସଂଖ୍ୟା ଏହାର ୪୦ପ୍ରତିଶତ। ସେମାନଙ୍କ ମାଧ୍ୟମରେ ୩୦୦୦ କୋଟି ଡଲାର ଆୟ କରୁଛି। ଭାରତୀୟ ଛାତ୍ରଙ୍କ ମାଧ୍ୟମରେ ଘଣ୍ଟା ପ୍ରତି କାନାଡ଼ାର ଆୟ ୧୫ ଡଲାର। ତା’ଛଡ଼ା ଭାରତର ଆର୍ଥିକ କାରବାର ହଜାର ହଜାର କୋଟି ଟଙ୍କା। ଭାରତ ଯଦି ଏହି ଚାବିକୁ ବନ୍ଦ କରିଦିଏ; ତେବେ କାନାଡ଼ାର ଅର୍ଥନୀତି ପ୍ରଭାବିତ ହେବା ନିଶ୍ଚିତ। ଭାରତୀୟ ଛାତ୍ରଛାତ୍ରୀ ଏବେ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି।
ସାନ୍‌ ଫ୍ରାନ୍‌ସିସ୍‌କୋ ଆକ୍ରମଣ ଘଟଣାରେ ଏନ୍‌ଆଇଏ ନୋଟିସ
ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଆମେରିକାର ସାନ୍‌ ଫ୍ରାସିସ୍‌କୋସ୍ଥିତ ଭାରତୀୟ କନ୍‌ସୁଲେଟ୍‌ ଉପରେ ମାର୍ଚ୍ଚ ୧୮ ଓ ୧୯ରେ ହୋଇଥିବା ଆକ୍ରମଣ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗିଛି। ଏହି ଆକ୍ରମଣ ଖଲିସ୍ତାନୀ ଆତଙ୍କବାଦୀଙ୍କ ଦ୍ବାରା ହୋଇଥିଲା। ଏଥିରେ ସମ୍ପୃକ୍ତ ୧୦ ପ୍ରମୁଖ ଅଭିଯୁକ୍ତଙ୍କ ପ୍ରକୃତ ପରିଚୟ ଓ ତଥ୍ୟ ସମ୍ପର୍କରେ ଏନ୍‌ଆଇଏ ସ୍ଥାନୀୟ ଜନସାଧାରଣଙ୍କଠାରୁ ତଥ୍ୟ ଲୋଡ଼ିଛି। ଏହା ଦ୍ବାରା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସହଜ ହେବ ବୋଲି ଦର୍ଶାଯାଇଛି। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୧୮ ମଧ୍ୟରାତ୍ରିରେ ଖଲିସ୍ତାନୀମାନେ କନ୍‌ସୁଲେଟ୍‌ ଉପରେ ଆକ୍ରମଣ ସହ ଏହାକୁ ପୋଡ଼ିଦେବା ଉଦ୍ୟମ କରିଥିଲେ। ଖଲିସ୍ତାନୀ ପତାକା ଉଡ଼ାଇ ଭାରତ ବିରୋଧୀ ସ୍ଲୋଗାନ ଦେବା ସହ କନ୍‌ସୁଲେଟ୍‌ ଭିତରେ ସେମାନେ ଭଙ୍ଗାରୁଜା ମଧ୍ୟ କରିଥିଲେ। ଜୁଲାଇ ୧ ଓ ୨ରେ ମଧ୍ୟ ସେମାନେ ସମାନ ଉଦ୍ୟମ କରିଥିଲେ। ସେମାନଙ୍କର ଫଟୋ ଆଧାରିତ ତିନିଟି ନୋଟିସ ଏନ୍‌ଆଇଏ ଜାରି କରିଛି। ଜୁନ୍‌ରେ ଏଭଳି ଏକ ନୋଟିସ ଜାରି କରାଯାଇଥିଲା। ଅଗଷ୍ଟରେ ଏନ୍‌ଆଇଏ ଅଧିକାରୀମାନେ ଘଟଣାସ୍ଥଳରେ ତଦନ୍ତ କରିଥିଲେ।

Comments are closed.