ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ଙ୍କ ମଧ୍ୟରେ ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ଭର୍ଚୁଆଲ୍ ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ୨୦୨୦ ଜୁନ୍ ୪ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଐତିହାସିକ ପ୍ରଥମ ସମ୍ମିଳନୀ ପରେ ଉଭୟ ନେତା ଆସନ୍ତାକାଲି ଦ୍ୱିତୀୟ ବୈଠକରେ ଏକାଠି ହେବେ। ଏହି ଦ୍ୱିତୀୟ ବୈଠକରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୀତିକ ଭାଗିଦାରୀ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବେ।
ଏହି ବୈଠକରେ ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ବ୍ୟାପକ କରିବା ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହେବ। ଏହାବ୍ୟତୀତ ଉଭୟ ନେତା ଆଞ୍ଚଳିକ ଓ ଆନ୍ତର୍ଜାତିକ ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ।



