ଏଜ୍ବାଷ୍ଟନ: ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଚଳିତ ଦ୍ବିତୀୟ ଟେଷ୍ଟମ୍ୟାଚ୍ରେ ବ୍ୟକ୍ତିଗତ ଦ୍ବିତୀୟ ଶତକ ହାସଲ କରିଛନ୍ତି। ଗିଲ୍ଙ୍କ ଶତକ ଏବଂ କେ.ଏଲ୍. ରାହୁଲ ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଏଜ୍ବାଷ୍ଟନ ଟେଷ୍ଟକୁ ନିଜ ନିୟନ୍ତ୍ରଣକୁ ନେଇପାରିଛି ଭାରତ। କ୍ରମାଗତ ୪ର୍ଥ ଦିନରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି। ୮ମ ଭାରତୀୟ ଭାବେ ଗିଲ୍ ଟେଷ୍ଟମ୍ୟାଚ୍ର ଉଭୟ ଇନିଂସରେ ଶତକ ମାରିବାରୁ ଭାରତ ୬ ୱିକେଟ୍ରେ ୪୨୭ ରନ୍କରି ଦ୍ବିତୀୟ ଇନିଂସ ଘୋଷଣା କରିଥିଲା। ପ୍ରଥମ ଇନିଂସରେ ୧୮୦ ରନ୍ରେ ଆଗୁଆ ରହିଥିବା ଭାରତୀୟ ଦଳ ଘରୋଇ ଇଂଲଣ୍ଡକୁ ବିଶ୍ବ କୀର୍ତ୍ତିମାନ ୬୦୮ ରନ୍ର ବିଜୟଲକ୍ଷ୍ୟ ଦେଇଛି। ଟେଷ୍ଟ କ୍ରିକେଟ୍ ଇତିହାସେର କୌଣସି ଦଳ ୪ର୍ଥ ଇନିଂସରେ ୪୧୮ରୁ ଅଧିକ ରନ୍କରି ଜିତିନାହାନ୍ତି। ଇଂଲଣ୍ଡକୁ ୬୦୮ ରନ୍ର ବିଜୟଲକ୍ଷ୍ୟ ଦେବା ପରେ ଶନିବାର ୪ର୍ଥ ଦିନରେ ଭାରତୀୟ ବୋଲର ପ୍ରାରମ୍ଭିକ ସଫଳତା ହାସଲ କରିଛନ୍ତି। ଦିନର ଷ୍ଟମ୍ପ୍ ଅପସାରଣ ବେଳକୁ ଇଂଲଣ୍ଡ ୨ୟ ଇନିଂସରେ ୭୨ ରନ୍କରି ୩ଟି ୱିକେଟ୍ ହରାଇଛି। ବିଜୟ ପାଇଁ ଭାରତ ଶେଷଦିନରେ ଆଉ ୭ଟି ୱିକେଟ୍ ଆବଶ୍ୟକ କରୁଛି। ଇଂଲଣ୍ଡ ଦଳ ପରାଜୟ ଆଶଙ୍କାର ପଡ଼ିଯାଇଛି।
ଇଂଲଣ୍ଡ ୬୦୮ ରନ୍ର ବିଜୟଲକ୍ଷ୍ୟ ପାଇବା ପରେ ଭାରତୀୟ ପେସ୍ ବୋଲର ୪ର୍ଥ ଦିନରେ ହିଁ ଶିକାର ଆରମ୍ଭ କରିଥିଲେ। ଜ୍ୟାକ୍ କ୍ରଲି ଖାତା ଖୋଲିବା ପୂର୍ବରୁ ମହମ୍ମଦ ସିରାଜ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଅନ୍ୟ ଓପ୍ନର ବେନ୍ ଡକେଟ୍ ଆକ୍ରମଣ କରି ଏହି ଫାଶରୁ ବାହାରିବାର ପ୍ରୟାସ କରିଥିଲେ। ହେଲେ ତାଙ୍କ ପ୍ରୟାସ କ୍ଷଣସ୍ଥାୟୀ ଥିଲା। ବାମହାତି ଡକେଟ୍ ୧୫ ବଲ୍ରୁ ୫ଟି ଚୌକା ସହ ୨୫ ରନ୍କରି ଆକାଶ ଦୀପଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ। ଇଂଲଣ୍ଡକୁ ଶକ୍ତ ଧକ୍କା ଲାଗିଥିଲା; ଯେତେବେଳେ ଦଳର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଆଉଟ୍ ହୋଇଥିଲେ। ଆକାଶ ଦୀପଙ୍କ ଚମତ୍କାର ବଲ୍ରେ ୬ ରନ୍କରି ଅଭିଜ୍ଞ ରୁଟ୍ ବୋଲ୍ଡ ହୋଇ ଯାଇଥିଲେ। ଷ୍ଟମ୍ପ୍ ଅପସାରଣ ବେଳକୁ ଓଲି ପୋପ୍ ୨୪ ଓ ହ୍ୟାରି ବ୍ରୁକ୍ ୧୫ ରନ୍କରି ଅପରାଜିତ ଅଛନ୍ତି। ପରାଜୟରୁ ବଞ୍ଚିବା ପାଇଁ ରବିବାର ୫ମ ତଥା ଅନ୍ତିମ ଦିନରେ ଇଂଲଣ୍ଡକୁ କିଛି ଚମତ୍କାର କରିବାକୁ ପଡ଼ିବ।
ଭାରତ ୩ୟ ଦିନରେ ୨ୟ ଇନିଂସରେ ୧ ୱିକେଟ୍ ହରାଇ ୬୪ ରନ୍ କରିଥିଲା। ଶନିବାର ୪ର୍ଥ ଦିନରେ କରୁଣ ନାୟାର ୱିକେଟ୍ ରକ୍ଷକଙ୍କୁ କ୍ୟାଚ୍ ଦେଇଥିଲେ। କରୁଣ ୫ଟି ଚୌକା ସହ ୨୬ ରନ୍ କରିଥିଲେ। ଏହାର ୮ ଓଭର ପରେ ଅର୍ଦ୍ଧଶତକ ହାସଲ କରିଥିବା ରାହୁଲ ଆଉଟ୍ ହୋଇଥିଲେ। କେ.ଏଲ୍. ରାହୁଲ ୮୪ ବଲ୍ରୁ ୧୦ଟି ଚୌକା ସହ ୫୫ ରନ୍ କରିଥିଲେ। ତେବେ ପ୍ରଥମ ଇନିଂସ ପରି ଦ୍ବିତୀୟ ଇନିଂସରେ ମଧ୍ୟ ଅଧିନାୟକ ଶୁଭମନ ଗିଲ୍ ପ୍ରାଧାନ୍ୟ ବିସ୍ତାର କରିଥିଲେ। ପ୍ରଥମ ଟେଷ୍ଟରେ ଋଷଭ ପନ୍ତ ଉଭୟ ଇନିଂସରେ ଶତକ ମାରିଥିବା ବେଳେ ୨ୟ ଟେଷ୍ଟରେ ଗିଲ୍ ଏହି କୃତିତ୍ବ ଦୋହରାଇଥିଲେ। ରାହୁଲ ଆଉଟ୍ ହେବା ପରେ କ୍ରିଜ୍କୁ ଆସିଥିବା ଋଷଭ ପନ୍ତ୍ ଆକ୍ରମଣାତ୍ମକ ବ୍ୟାଟିଂକରି ଦ୍ରୁତଗତିରେ ସ୍କୋର୍ ବଢ଼ାଇବାର ପ୍ରୟାସ କରିଥିଲେ। ଇନିଂସ ଆରମ୍ଭରୁ ପନ୍ତଙ୍କର ଦୁଇଟି ସହଜ କ୍ୟାଚ୍ ଇଂଲଣ୍ଡର ଫିଲ୍ଡର ଛାଡ଼ିଥିଲେ। ଏହାର ଫାଇଦା ଉଠାଇ ଗିଲ୍ଙ୍କ ସହ ୪ର୍ଥ ୱିକେଟ୍ ପାଇଁ ପନ୍ତ ମାତ୍ର ୧୦୩ ବଲ୍ରୁ ୧୧୦ ରନ୍ ଯୋଡ଼ିଥିଲେ। ବାମହାତି ଋଷଭ ପନ୍ତ ୫୮ ବଲ୍ରୁ ୩ଟି ଛକା ଓ ୮ଟି ଚୌକା ସହ ୫୫ ରନ୍ କରିଥିଲେ। ପରେ ଗିଲ୍ ଓ ରବୀନ୍ଦ୍ର ଜାଡ଼େଜା ୫ମ ୱିକେଟ୍ ପାଇଁ ୧୭୫ ରନ୍ ଯୋଡ଼ିଥିଲେ। ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ଜାଡ଼େଜା ୧୧୮ ବଲ୍ରୁ ଗୋଟିଏ ଛକା ୫ଟି ଚୌକା ସହ ୬୯ ରନ୍କରି ଅପରାଜିତ ଥିଲେ। ମ୍ୟାଚ୍ରେ ରେକର୍ଡ ମୋଟ ୪୩୦ ରନ୍ କରିଥିବା ଗିଲ୍ ୮ମ ଟେଷ୍ଟ ଶତକ ପୂରଣ କରିଥିଲେ। ଇନିଂସ ଘୋଷଣା ଆସନ୍ନ ଦେଖି ଶୁଭମନ ଗିଲ୍ ଆକ୍ରମଣ କରି ୧୬୨ ବଲ୍ରୁ ୮ଟି ଛକା ଓ ୧୩ଟି ଚୌକା ସହ ୧୬୧ ରନ୍କରି ଆଉଟ୍ ହୋଇଥିଲେ। ଜୋଶ୍ ଟଙ୍ଗ୍ ଓ ସୋଏବ୍ ବସିର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।
ବିଜୟଠାରୁ ୭ ୱିକେଟ୍ ଦୂରରେ ଭାରତ
Popular Categories



