ସେଦିନ ଥିଲା ୧୯୪୨ ମସିହା ଅଗଷ୍ଟ ୯ ତାରିଖ। ଭାରତ ଛାଡ ଆନ୍ଦୋଳନର ଏକ ବିରାଟ ଶୋଭାଯାତ୍ରା ବେଙ୍ଗାଲୁରୁ ରାଜରାସ୍ତାରେ ଚାଲିଥାଏ। ମୁଁ ଖାକି ପୋଷାକ ପିନ୍ଧି ଶୋଭାଯାତ୍ରାରେ ଅତି ଉତ୍ସାହର ସହିତ ସାମିଲ ହେଉଥିବାବେଳେ ଆରକ୍ଷୀ ମୋତେ ସନ୍ଧ୍ୟା ପର୍ଯ୍ୟନ୍ତ ଅନ୍ୟ ଆନ୍ଦୋଳନକାରୀଙ୍କ ସହିତ କାରାଗାର ଭିତରେ ତାଲା ପକେଇ ରଖିଦେଲା। ମୋର ଏତିକି ଅପରାଧ ଥିଲା ଯେ, ମୁଁ ମନଖୋଲି ବନ୍ଦେ ମାତରଂ ଧ୍ବନି ଦେଉଥିଲି। ପ୍ରତିଦିନ ବିଦ୍ୟାଳୟର ପାଠପଢ଼ା ସରିଯିବା ପରେ ୧୦ରୁ ୧୫ ବର୍ଷ ବୟସର ପ୍ରାୟ ୫୦ ଜଣ ସାଥୀ ସେବା କାର୍ଯ୍ୟକ୍ରମ ପାଇଁ ଏକାଠି ହେଉଥିଲୁ। ଧାଡିରେ ଠିଆ ହୋଇ ବନ୍ଦେ ମାତରଂ ଗୀତ ଗାଉ ଓ ତ୍ରିକୋଣୀୟ ତ୍ରିରଙ୍ଗା ପତାକାକୁ ଅଭିବାଦନ ଜଣାଉ। ତତ୍ ସଙ୍ଗେସଙ୍ଗେ ସଂଗୋଷ୍ଠୀ ଖେଳ ଖେଳିବା ସହିତ ଶାନ୍ତି ପଦଯାତ୍ରା କରୁ। ଏହି ମଧ୍ୟରେ ସ୍ୱାଧୀନତାର ସ୍ବପ୍ନ ବିଷୟରେ ଆଲୋଚନା କରିବା ପରେ ଜାତୀୟ ସଂଗୀତ ଗାଇ କାର୍ଯ୍ୟକ୍ରମ ସମାପନ କରୁ। ଆମର ବିଶ୍ୱାସ ଥିଲା ଏ ଦେଶକୁ ସ୍ୱାଧୀନ କରିବୁ ଓ ସେଥିରେ ଆମମାନଙ୍କର ସଂପୃକ୍ତି ଜାରି ରହିବ। ସେହି ସମୟକୁ ଆମେ ଅପେକ୍ଷା କରିଥିଲୁ।
ତାହା ଥିଲା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ। ଟେଲିଭିଜନର ବ୍ୟବସ୍ଥା ନଥିଲା। ସେତେବେେଳେ ବେତାର ଯନ୍ତ୍ର (ରେଡିଓ) ଏକ ବିଳାସପୂର୍ଣ୍ଣ ଖବର ରଖିବାର ମାଧ୍ୟମ ଥିଲା। ପ୍ରତି ୧୦୦୦ ଲୋକରେ ଗୋଟିଏ ବେତାର ଯନ୍ତ୍ର ଥିଲା। ଅଗଷ୍ଟ ୧୪ ମଧ୍ୟରାତ୍ରି ଯେତିକି ପାଖେଇ ଆସିଲା, ଅନ୍ୟୂନ ୫୦୦୦ ଲୋକ ଗୋଟିଏ ଖାଇବା ଦୋକାନ ସାମନାରେ ଠିଆ ହୋଇ ସ୍ୱାଧୀନତା ଘୋଷଣାର ଖବର ପାଇବା ପାଇଁ ଉଦ୍ବିଗ୍ନ ହେଉଥିଲେ। ସ୍ୱାଧୀନତାର ଘୋଷଣା ହେବା ମାତ୍ରେ ଶ୍ରୀମତୀ ସୁଚେତା କୃପାଳିନୀ, ଶ୍ରୀମତୀ ହଂସା ମେହେତା ଦେଶଭକ୍ତି ସଂଗୀତ ଗାନ କରିବା ଆରମ୍ଭ କରିଦେଲେ। ଯଦିଚ ଏହିଭଳି ଗୀତ ମୁଁ ବହୁଦିନ ଧରି ଗାଇ ଆସୁଥିଲି ଏହି ଗୀତଗୁଡିକ ମୋ ଭିତରେ ଜାତୀୟତା ଭାବ, ଦେଶପ୍ରୀତି ଓ ଭାରତ ମାଆ ପାଇଁ ଅଧିକ କିଛି କାମ କରିବାର ସଂକଳ୍ପ ଆଣିଦେଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଲା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଦେଶ ସ୍ୱାଧୀନତାର ମଧ୍ୟରାତ୍ରିରେ ସାରା ବିଶ୍ୱବାସୀଙ୍କୁ ଜଣାଇ କହିଲେ, ‘‘ଯେେତବେଳେ ସମଗ୍ର ବିଶ୍ୱ ଶୋଇଅଛି ସେତେବେଳେ ଭାରତ ତା’ର ନୂତନ ଦିଗ୍ବଳୟକୁ ଜାଗ୍ରତ କରିଅଛି’’। ସ୍ୱାଧୀନତା ପୂର୍ବରୁ ମୋର ମନେଅଛି ଆରକ୍ଷୀଙ୍କୁ ଦେଖିଲେ ମୁଁ ତ୍ରିରଙ୍ଗା ପତାକାକୁ ଗଛରେ ଲୁଚାଇଦିଏ। ବର୍ତ୍ତମାନ ଏକ ମୁହୂର୍ତ୍ତ ଆସିଛି ଯେତେବେଳେ ମୋର ଗର୍ବର ତ୍ରିରଙ୍ଗା ପତାକା ଲର୍ଡ ଭାଇସରାଏ ହାଉସ୍ (ବର୍ତ୍ତମାନର ରାଷ୍ଟ୍ରପତି ଭବନ), କେନ୍ଦ୍ରୀୟ ସଚିବାଳୟ, ସର୍ବୋଚ୍ଚ ନ୍ୟାୟାଳୟ ଓ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ରିଟିଶ ଉପନିବେଶବାଦର ୟୁନିୟନ ଜ୍ୟାକ୍ ପତାକା ସ୍ଥାନରେ ଶୋଭା ପାଇଲା। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ରାଜନୈତିକ, ଅମଲାତନ୍ତ୍ର, ସୈନ୍ୟବାହିନୀ, ଜିଲାପାଳ ଓ ଅନ୍ୟାନ୍ୟ ପଦପଦବୀରେ ଥିବା ବ୍ରିଟିଶମାନଙ୍କ ସ୍ଥାନରେ ଭାରତୀୟମାନେ ନିଜକୁ ଅବସ୍ଥାପିତ କଲେ। ଠିକ୍ ଏହି ସମୟରେ ଅହିଂସାମାର୍ଗରେ ଚାଲୁଥିବା ଭାରତର ନେତୃବୃନ୍ଦ ଇଂରେଜ ଶାସନର ଶେଷ ଗଭର୍ଣ୍ଣର ଜେନେରାଲ ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ଆଜିର ରାଷ୍ଟ୍ରପତି ଭବନରେ ସ୍ୱାଧୀନ ଭାରତର ଗଭର୍ଣ୍ଣର୍ ଜେନେରାଲ ଭାବେ ଶାସନର ମୁଖ୍ୟ ପଦରେ ଅବସ୍ଥାପିତ ହେବା ପାଇଁ ଆମନ୍ତ୍ରିତ କଲେ। ଏହି ଦୂରଦୃଷ୍ଟିସଂପନ୍ନ ନେତୃବୃନ୍ଦଙ୍କ ବଡପଣିଆ ଭାବନାରେ ପାଟିରୁ ବାହାରିପଡ଼ିଲା, ‘ଆମ ଲଢେଇ ଇଂରେଜ ଶାସନର ଶୋଷଣ, ଅତ୍ୟାଚାର ବିରୋଧରେ ଥିଲା; କିନ୍ତୁ ଇଂରେଜଙ୍କ ବିରୁଦ୍ଧରେ ନୁହେଁ।’ ଏହାର ଫଳ ସ୍ୱରୂପ ସେହି ଅହିଂସାର ମନ୍ତ୍ରକୁ ଶିକ୍ଷା ଦେଇଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଜି ବ୍ରିଟିଶ ପାର୍ଲାମେଣ୍ଟ ସମ୍ମୁଖରେ ସ୍ଥାପନ ହୋଇପାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟି ହେଲା ଦେଶର ସ୍ୱାଧୀନତା ପ୍ରାପ୍ତି ଦିନ ମହାତ୍ମା ଗାନ୍ଧୀ ଥିଲେ କେଉଁଠି? ଗାନ୍ଧୀଙ୍କର ଚିନ୍ତା ସମସ୍ତ ଭାରତୀୟଙ୍କ ମଙ୍ଗଳ କାମନା ପାଇଁ ଥିଲା। ସେହି ସମୟରେ ନୂଆଖାଲିରେ ଚାଲିଥାଏ ସାମ୍ପ୍ରଦାୟିକ ଦଙ୍ଗା ଓ ଅସହ୍ୟ ହିଂସାର ବାତାବରଣ। ଏହି ହିଂସାକୁ ପ୍ରତିହତ କରିବା ପାଇଁ ଗାନ୍ଧୀ ପହଞ୍ଚିଥିଲେ ନୂଆଖାଲିରେ। ତାଙ୍କରି ପ୍ରୟାସରେ ଫେରିଆସିଲା ଶାନ୍ତିର ବାତାବରଣ। ଶାନ୍ତିର ଯାଦୁକର ଅଂହିସାର ପୂଜାରୀଙ୍କୁ ଆଉ ଗୋଟିଏ ଘଟଣା ବିଚଳିତ କଲା। ସେତେବେଳେ ଦେଶ ସ୍ୱାଧୀନତାର ସ୍ୱାଦ ପାଇବାକୁ ଯାଉଥାଏ। ଠିକ୍ ସେହି ଦିନ କଲିକତାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିବା ଦେଖି ବେଲିଆ ଘାଟରେ ୭୨ ଘଣ୍ଟା ପାଇଁ ଅନଶନରେ ଗାନ୍ଧୀ ବସିଥିଲେ। କଲିକତାରେ ସେଥିପାଇଁ ଶାନ୍ତି ପୁନଃ ଫେରିଆସିଲା। ସେତେବେଳେ ବଙ୍ଗଳାର ରାଜ୍ୟପାଳ ଶ୍ରୀ ରାଜଗୋପାଳଚାରୀ ଅତି ଉଲ୍ଲସିତ ହୋଇ କହିଥିଲେ, ‘ହିଂସାତ୍ମକ ବଙ୍ଗଳାରେ ଗାନ୍ଧିଜୀଙ୍କର ଶାନ୍ତି ଆଣିବା ସ୍ୱାଧୀନତା ଆଣିବା ଅପେକ୍ଷା ଏକ ବଡ ଚମତ୍କାର ଥିଲା’।
ଆଜି ଆମେ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛେ; କିନ୍ତୁ ସ୍ୱାଧୀନତା ସମୟରେ ଏ ଦେଶର ଜନସଂଖ୍ୟା ଥିଲା ୩୦ କୋଟି। ଠିକ୍ ୭୫ ବର୍ଷ ପୂର୍ବେ ମୋର ଗୋଟିଏ କଥା ମନକୁ ଆସିଥିଲା। ପଣ୍ଡିତ ନେହେରୁ, ସର୍ଦ୍ଦାର ପଟେଲ, ମୌଲାନା ଅାଜାଦ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ସରକାରରେ ଯୋଗ ଦେଲାପରେ ସ୍ୱାଧୀନତାର ପରବର୍ତ୍ତୀ ସମୟରେ ଆମ ପତାକା ଉତ୍ତୋଳନ କରିବାର ଅନେକ ସୁଯୋଗ ନିଶ୍ଚିତ ପାଇଥିବେ; କିନ୍ତୁ ମୋର ଗୋଟିଏ ଭାବନା ଯଦିିିିିିିିିିିିିିିିିିିି ସମସ୍ତ ୩୦ କୋଟି ଜନତାଙ୍କ ମନରେ ଜାଗ୍ରତ ହୁଅନ୍ତା ଯେ, ଅଗଷ୍ଟ ୧୪, ୧୯୪୭ ମଧ୍ୟରାତ୍ରି ପର୍ଯ୍ୟନ୍ତ ମୁଁ ବ୍ରିଟିଶ ଶାସନ ଅଧୀନରେ ଜଣେ ପ୍ରଜା ଥିଲି; କିନ୍ତୁ ଠିକ୍ ମଧ୍ୟରାତ୍ରରେ ୧୨ ଘଟିକା ପରେ ମୋର ସ୍ଥିତି ମୋର ମହାନ ରାଷ୍ଟ୍ର ଭାରତର ଏକ ମୁକ୍ତ ନାଗରିକ ଭାବନାରେ ମୁଁ ଅସତ୍ୟ କଥା କହିବି ନାହିଁ, ମୁଁ ସର୍ବୋତ୍ତମ ଚରିତ୍ର ବିକାଶ କରିବି ଓ ମାତୃଭୁମି ପାଇଁ ସମସ୍ତ କାର୍ଯ୍ୟ କରି ସୁନାମ ଆଣିବି। ଏହି ସ୍ୱାଧୀନତା ଦିବସ ପାଳନ ଅବସରରେ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ବଳିଦାନକୁ ମନେ ପକାଇବା। ଯେଉଁମାନେ ନିଜର ଆରାମଦାୟକ ଜୀବନକୁ ବଳିଦାନ କଲେ, ନିଜର ମୂଲ୍ୟବାନ ଜୀବନ ହରାଇଲେ ଏଥିପାଇଁ ଯେ, ଆମେ ସମସ୍ତେ ମୁକ୍ତ ଭାରତରେ ବାସ କରିପାରିବା। ସେହି ମହାନ ବୀର ସଂଗ୍ରାମୀ ଯାହା ଦେଇଛନ୍ତି ତାହା ଆମେ ଜୀବନରେ କେବେ ବି ପରିଶୋଧ କରିପାରିବାନି; କିନ୍ତୁ ଆସନ୍ତୁ ଏହି ଶୁଭ ଦିନରେ ଆମେ କ’ଣ ଭଲ କରିବା ଚିନ୍ତା କରିବା। ଆମର ସଂକଳ୍ପ ହେଉ ୧୬ ଅଗଷ୍ଟ ୨୦୨୧ରୁ ଏକ ନୂତନ ଭାରତ ନିର୍ମାଣ କରିବାକୁ ଚେଷ୍ଟା କରିବା। ପ୍ରତି ଭାରତୀୟ ନିଷ୍ପତ୍ତି ନିଅନ୍ତୁ ଯେ, ଏକ ହିଂସାମୁକ୍ତ, ବେକାରୀମୁକ୍ତ, ନିଶାମୁକ୍ତ, ଭ୍ରଷ୍ଟାଚାରମୁକ୍ତ ସଂକଳ୍ପନେଇ ଗାନ୍ଧିଜୀଙ୍କ ସ୍ପପ୍ନର ଭାରତ ନିର୍ମାଣ କରିବାର ଦୁଇ ପାଦ ଆଗକୁ ଯିବା; ଯେଉଁଠି ଆମେ ଗର୍ବରେ କହିବା କେହି ଭାରତୀୟ ଭୋକିଲା ନାହାନ୍ତି, ହିଂସାର ଶିକାର ହେଉନାହାନ୍ତି। ସଭିଏଁ ଏକ ଶ୍ରମଭିତ୍ତିକ ଉତ୍ପାଦନ କରୁଛନ୍ତି ଓ ସମଗ୍ର ବିଶ୍ୱକୁ ନିଜର ପରିବାର ବୋଲି ଭାବୁଛନ୍ତି। ଆଜି ଏହି ସ୍ୱାଧୀନତା ଦିବସରେ ସମସ୍ତଙ୍କ ପାଇଁ ଏହା ହିଁ ବାର୍ତ୍ତା।
ଏସ୍ ଏନ ସୁବା ରାଓ
ପ୍ରତିଷ୍ଠାତା, ଜାତୀୟ ଯୁବପ୍ରକଳ୍ପ, ନୂଆଦିଲ୍ଲୀ
ଦୂରଭାଷ :୯୮୬୮୯୪୨୩୨୯


