www.samajalive.in
Sunday, December 14, 2025
23.1 C
Bhubaneswar

ଆଇସିସି ମହିଳା ଚମ୍ପିଆନସିପ୍‌ : ଭାରତ ୨-୧ରେ ସିରିଜ ଜିତିଲା

ମୁମ୍ବଇ : ସ୍ମୃତି ମାନ୍ଧାନା ଓ ପୁନମ ରାଉତଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ଏଠାରେ ଗୁରୁବାର ଖେଳାଯାଇଥିବା ଆଇସିସି ମହିଳା ଚମ୍ପିଆନସିପ୍‌ର ତୃତୀୟ ତଥା ଅନ୍ତିମ ଦିନିକିଆରେ ଇଂଲଣ୍ଡ ନିକଟରୁ ୨ ୱିକେଟରେ ପରାସ୍ତ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ବିନିମୟରେ ୨୦୫ ରନ କରିଥିଲା। ଜବାବରେ ଇଂଲଣ୍ଡ ୮ ୱିକେଟରେ ୨୦୮ ରନ କରି ବିଜୟୀ ହୋଇଥିଲା। ପରାଜୟ ସତ୍ତ୍ବେ ପ୍ରଥମ ଦୁଇଟି ଦିନିକିଆରେ ବିଜୟୀ ହୋଇଥିବାରୁ ଭାରତ ୨-୧ରେ ଏହି ସିରିଜ କବ୍‌ଜା କରିଛି। ଇଂଲଣ୍ଡ ବୋଲର କ୍ୟାଥେରାଇନ ବ୍ରଣ୍ଟ ‘ପ୍ଲେୟାର ଅଫ୍‌ ଦି ମ୍ୟାଚ’ ଓ ଭାରତର ସ୍ମୃତି ମାନ୍ଧାନା ‘ପ୍ଲେୟାର ଅଫ୍‌ ଦି ସିରିଜ’ ବିବେଚିତ ହୋଇଛନ୍ତି।
ଭାରତୀୟ ଅଧିନାୟିକା ମିତାଲି ରାଜ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ପ୍ରଥମ ଓଭରର ଦ୍ବିତୀୟ ବଲରେ ଓପନର ଜେମିମା ରୋଡ୍ରିଗ୍ବେଜ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ତେବେ ସ୍ମୃତି ମାନ୍ଧାନା ଓ ପୁନମ ରାଉତ ଚମତ୍କାର ବ୍ୟାଟିଂ କରି ୨ୟ ୱିକେଟ ପାଇଁ ୧୨୯ ରନ ଯୋଗକରିଥିଲେ। ଏହି ଅବସରରେ ଦୁହେଁ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୩୧ ରନ ମଧ୍ୟରେ ମାନ୍ଧାନା (୬୬) ଓ ପୁନମ (୫୬) ଆଉଟ ହେବାପରେ ଭାରତର ରନ ସଂଗ୍ରହ ହାର ସମ୍ପୂର୍ଣ୍ଣଭାବେ ବାଧାପ୍ରାପ୍ତ ହୋଇଥିଲା। ମଧ୍ୟକ୍ରମରେ ଦିପ୍ତୀ ଶର୍ମା ଅପରାଜିତ ୨୭ ଓ ଶେଷଆଡକୁ ଶିଖା ପାଣ୍ଡେ ୨୬ ରନ କରିବା ଫଳରେ ଭାରତ ୫୦ ଓଭରରେ ୮ ୱିକେଟରେ ୨୦୫ ରନ କରିଥିଲା। ଇଂଲଣ୍ଡ ପକ୍ଷରୁ କ୍ୟାଥେରାଇନ ବ୍ରଣ୍ଟ୍‌ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିବାବେଳେ ଆନ୍ୟା ସ୍ରବସୋଲ, ଜର୍ଜିଆ ଏଲୱିସ୍‌ ଓ ନାତାଲି ସ୍କିଭର ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ।
୨୦୬ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଇଂଲଣ୍ଡ ୪୯ ରନରେ ୫ଟି ୱିକେଟ ହରାଇଥିଲା। ତେବେ ଅଧିନାୟିକା ହିଦର ନାଇଟ୍‌ (୪୭) ଓ ଡାନିଏଲା ୱାଟ୍‌ (୫୬) ୬ଷ୍ଠ ୱିକେଟ ପାଇଁ ୬୯ ରନ ସଂଗ୍ରହ କରି ଦଳୀୟ ଅଭିଯାନକୁ ଆଗେଇ ନେଇଥିଲେ। ନାଇଟ୍‌ଙ୍କ ପ୍ରସ୍ଥାନ ପରେ ୱାଟ୍‌ ଓ ଏଲ୍‌ୱିସ ୭ମ ୱିକେଟ ପାଇଁ ୫୬ ରନ ଯୋଗକରିଥିଲେ। ଦଳୀୟ ସ୍କୋର ୧୭୪ ରନରେ ୱାଟ୍‌ ସପ୍ତମ ଖେଳାଳିଭାବେ ଆଉଟ ହୋଇଥିଲେ। ସେତେବେଳେ ହାତରେ ୩ଟି ୱିକେଟ ଥାଇ ଇଂଲଣ୍ଡ ବିଜୟ ପାଇଁ ଆଉ ୩୨ ରନ ଆବଶ୍ୟକ କରୁଥିଲା। ଏଲୱିସ୍‌ ଅପରାଜିତ ୩୩ ଓ ବ୍ରଣ୍ଟ୍‌ ୧୮ ରନ କରିବା ଫଳରେ ଇଂଲଣ୍ଡ ୪୮.୪ ଓଭରରେ ୮ ୱିକେଟ ବିନିମୟରେ ୨୦୮ ରନ କରି ବିଜୟୀ ହୋଇଥିଲା। ଭାରତ ପକ୍ଷରୁ ଝୁଲଣ ଗୋସ୍ବାମୀ ୩ଟି ଓ ଶିଖା ପାଣ୍ଡେ, ପୁନମ ଯାଦବ ପ୍ରତ୍ୟେକ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories