୨ୟ ଦିନିକିଆ ଆଜି : ଆଉ ଏକ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

ଇଣ୍ଡନ୍‌ : ଓଭାଲ୍‌ରେ ମଙ୍ଗଳବାର ପ୍ରଥମ ଦିନିକିଆରେ ଭାରତୀୟ ପେସ୍‌ ଆକ୍ରମଣର ମୁକାବିଲା କରିନପାରି ଧରାଶାୟୀ ହୋଇଥିଲା ଘରୋଇ ଇଂଲଣ୍ଡ ଦଳ। ଏଠାରୁ କିଛି ମାଇଲ୍‌ ଦୂର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଗୁରୁବାର ୨ୟ ଦିନିକିଆ ଖେଳାଯିବ। ଓଭାଲ୍‌ର ବିପର୍ଯ୍ୟୟ ପରେ ଝାଡ଼ିଝୁଡ଼ି ହୋଇ ଉଠି ପୁଣି ଲଢ଼େଇ ପାଇଁ ତୟାର ହେବାକୁ ଇଂଲଣ୍ଡକୁ ମାତ୍ର ଗୋଟିଏ ଦିନର ସମୟ ମିଳିଛି। ଏହା ଏପରି ମ୍ୟାଚ୍‌; ଯାହା ଶୃଙ୍ଖଳାରେ ନିର୍ଣ୍ଣାୟକ ହୋଇପାରେ। ଏହାକୁ ଜିତିଲେ ଇଂଲଣ୍ଡ ସିରିଜ୍‌ରେ ବଜାୟ ରହିବ। ତେବେ ପରାସ୍ତ ହେଲେ ଏକ ସପ୍ତାହ ମଧ୍ୟ​‌େ​‌ର ୨ୟ ସୀମିତ ଓଭର ଶୃଙ୍ଖଳା ହାରିବାର ଗ୍ଳାନି ବିଶ୍ବ ଚମ୍ପିଆନ୍ ଇଂଲଣ୍ଡକୁ ସହିବାକୁ ପଡ଼ିବ। ଦୃଢ଼ ମନୋବଳରେ ଥିବା ଭାରତୀୟ ଦଳ ଏହି ଗସ୍ତରେ କ୍ରମାଗତ ୨ୟ ସୀମିତ ଓଭର ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ରହିଛି। ବିଶ୍ବର ଶ୍ରେଷ୍ଠ ଦିନିକିଆ ବ୍ୟାଟିଂ ଲାଇନ୍‌ର ମାନ୍ୟତା ପାଇଥିବା ଇଂଲଣ୍ଡକୁ ପ୍ରଥମ ମ୍ୟାଚ୍‌ରେ ଯେପରି ଭାରତୀୟ ପେସ୍‌ ବାହିନୀ ଧ୍ବସ୍ତ କରିଥିଲେ; ସେହି ଚାପରୁ ବାହାରିବା ପାଇଁ ଇଂଲଣ୍ଡକୁ ତା’ର ପ୍ରଦର୍ଶନର ମାନ ବହୁତ ଉପରକୁ ଉଠାଇବାକୁ ହେବ। ଇଂଲଣ୍ଡ ଦଳର ଉପର ଅର୍ଡରର ୩/୪ ଜଣ ବ୍ୟାଟ୍‌ସମ୍ୟାନଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ। ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କୁ ଛାଡ଼ି ଇଂଲଣ୍ଡ ବ୍ୟାଟିଂ ଲାଇନ୍‌ରେ ସମସ୍ତେ ବେଶ୍‌ ଅଭିଜ୍ଞ ଥିବା ବେଳେ ସେମାନଙ୍କୁ ଖ୍ୟାତି ଅନୁସାରେ ଖେଳିବାକୁ ପଡ଼ିବ।
ଅନ୍ୟପକ୍ଷରେ ବିପୁଳ ବିଜୟ ପରେ ଭାରତୀୟ ଦଳ ଆତ୍ମବିଶ୍ବାସରେ ଭରପୂର। ଲର୍ଡସର ପିଚ୍‌ ଓଭାଲ ପରି ଆରମ୍ଭରୁ ପେସ୍ ବୋଲରଙ୍କୁ ସହାୟତା ଦେବ। ହେଲେ ଏହା ବ୍ୟାଟିଂ ପାଇଁ ଅଧିକ ସହାୟକ ହେବ। ତଥାପି ଇଂଲଣ୍ଡର କଟା ଘା’ରେ ଚୂନ ମାରିବା ପାଇଁ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ପ୍ରଭୃତି ଅପେକ୍ଷା କରିଛନ୍ତି। ଏହା ସତ ଯେ ପ୍ରଥମ ପାୱରପ୍ଲେରେ ଇଂଲଣ୍ଡ ଯଦି ୱିକେଟ୍‌ ନ ହରାଏ; ଏହାର କାମ ସହଜ ହୋଇଯିବ। ଆକ୍ରମଣାତ୍ମକ ବ୍ୟାଟିଂ ରଣନୀତି ଜାରିରହିବ ବୋଲି ଇଂଲଣ୍ଡ ଦଳ ମ୍ୟାନେଜମେଣ୍ଟ ଘୋଷଣା କରିଥିଲେ ହେଁ ବୁମ୍‌ରା ଓ ସାମିଙ୍କ ପରି ବୋଲରଙ୍କ ବିପକ୍ଷରେ ଏହା ବୁମେରାଂ ହୋଇପାରେ। ପ୍ରଥମ ମ୍ୟାଚ୍‌ ପରି ୨ୟ ମ୍ୟାଚ୍‌ରେ ମଧ୍ୟ ଆହତ ବିରାଟ କୋହଲି ଖେଳି ନପାରନ୍ତି। ହେଲେ ଏହା ଭାରତୀୟ ଦଳକୁ ସେପରି ପ୍ରଭାବିତ କରିବନାହିଁ। କାରଣ କୋହଲି ଭଲ ଫର୍ମରେ ନାହାନ୍ତି। ତାଙ୍କ ସ୍ଥାନରେ ଖେଳିବାକୁ ଥିବା ଶ୍ରେୟାସ ଆୟରଙ୍କୁ ସର୍ଟ ପିଚ୍‌ ବୋଲିଂର ସଫଳ ମୁକାବିଲା କରିବାକୁ ହେବ। କାରଣ ଆୟରଙ୍କ ସ୍ଥାନ ନେବା ପାଇଁ ଦୀପକ ହୁଡାଙ୍କ ପରି ବ୍ୟାଟ୍‌ସମ୍ୟାନ ଅପେକ୍ଷା କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଭାରତ ମାତ୍ର ୧୧୧ ରନ୍‌ର ପିଛା କରିଥିବା ବେଳେ ରୋହିତ ଶର୍ମା ୫୮ ବଲ୍‌ରୁ ଅପରାଜିତ ୭୬ ରନ୍‌କରି ଫର୍ମକୁ ଫେରିବା ଭାରତୀୟ ଦଳକୁ ଆଶ୍ବସ୍ତ କରିଛି। ଜେସନ୍ ରୟ, ଜୋସ୍‌ ବଟ୍‌ଲର, ଜନି ବେୟାରଷ୍ଟୋ, ଜୋ ରୁଟ୍‌ ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କ ପରି ବ୍ୟାଟ୍‌ସମ୍ୟାନ୍ ବିଶ୍ବର ଯେକୌଣସି ବ୍ୟାଟିଂ ଲାଇନ୍‌କୁ ଖିନ୍‌ଭିନ୍ କରିପାରନ୍ତି। ହେଲେ ଓଭାଲରେ ଏହାର ବିପରୀତ ଦେଖିବାକୁ ମିଳିଥିଲା। ଏମାନଙ୍କ ମଧ୍ୟରୁ ୪ ଜଣ ଖାତା ଖୋଲି ପାରିନଥିଲେ। ଏଥିରୁ ସ୍ପଷ୍ଟ ​‌େ​‌ଯ ବୁମ୍‌ରା ଓ ସାମି କିପରି ଘାତକ ବୋଲିଂ କରିଥିଲେ। ଲର୍ଡସରେ ଉଭୟଙ୍କଠାରୁ ଅନୁରୂପ ପ୍ରଦର୍ଶନର ଆଶାରଖିଛି ଭାରତ। ବିଶ୍ବ ଚମ୍ପିଆନ୍ ହୋଇ ନିଜମାଟିରେ ଦିନିକିଅା ଶୃଙ୍ଖଳା ହାରିବା ଇଂଲଣ୍ଡ କ୍ରିକେଟ୍‌ରେ ଏକ ଦାଗ ହୋଇ ରହିବ। ସୀମିତ ଓଭର ଦଳର ଅଧିନାୟକ ହୋଇ ପ୍ରଥମ ଶୃଙ୍ଖଳା ହାରିବା ପରେ ୨ୟ ଶୃଙ୍ଖଳା ଜିତିବା ପାଇଁ ବଟ୍‌ଲର ପ୍ରୟାସ କରିବେ। ତେଣୁ ସେ ଆଶାକରିବେ ଯେ ଦଳର ବ୍ୟାଟ୍‌ସମ୍ୟାନ୍ ବଡ଼ ସ୍କୋର୍ କରନ୍ତୁ। କାରଣ ଇଂଲଣ୍ଡର ବୋଲିଂ ଆକ୍ରମଣ ସେତେ ଶକ୍ତିଶାଳୀ ନୁହେଁ। ତେଣୁ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ​‌ ଚାପରେ ରହିବ। ଲର୍ଡସ ଗ୍ରାଉଣ୍ଡ ସହ ଭାରତୀୟ ଦଳର ସୁଖଦ ସ୍ମୃତି ରହିଛି। ଏହି ଗ୍ରାଉଣ୍ଡରେ ଭାରତ ୧୯୮୩ ବିଶ୍ବକପ୍ ଜିତିଥିବା ବେଳେ ୨୦୦୨ ନାଟ୍‌ୱେଷ୍ଟ ଟ୍ରଫି ମଧ୍ୟ ଜିତିଥିଲା। ଏବେ ଇଂଲଣ୍ଡ ମାଟିରେ ୩ୟ ଥର ଦିନିକିଆ ଶୃଙ୍ଖଳା ଜିତିବା ପାଇଁ ରୋହିତ ସେନା ବଡ଼ ଦାବିଦାର।

kalyan agarbati

Comments are closed.