ବାଙ୍ଗାଲୋର : ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ର ରୋମାଞ୍ଚକର ପରିସମାପ୍ତି ପରେ ବୁଧବାର ଏଠାରେ ଅଷ୍ଟ୍ରେଲିଆ ଓ ଘରୋଇ ଭାରତ ମଧ୍ୟରେ ୨ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ୨ୟ ମ୍ୟାଚ୍ର ସିରିଜ୍ ହୋଇଥିବାରୁ ପ୍ରଥମ ମ୍ୟାଚ୍ରେ ବିଜୟ ଅଷ୍ଟ୍ରେଲିଆ ପାଇଁ ଅପରାଜେୟ ଲିଡ୍ ପ୍ରମାଣିତ ହୋଇଛି। ଅନ୍ୟପକ୍ଷରେ ସିରିଜ୍ ପରାଜୟରୁ ବଞ୍ଚିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ନିଶ୍ଚୟ ଜିତିବାକୁ ପଡ଼ିବ। ଭାରତ ଏପରି କରିପାରିଲେ ଉଭୟ ଦଳଙ୍କ ମଧ୍ୟରେ କ୍ରମାଗତ ୩ୟ ଟ୍ବେଣ୍ଟି୨୦ ସିରିଜ୍ ୧-୧ରେ ସମାପ୍ତ ହେବ। ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ମାତ୍ର ୧୨୭ ରନ୍ ବିଜୟଲକ୍ଷ୍ୟର ପିଛା କରିଥିବା ବେଳେ ୮ଟି ୱିକେଟ ବାକିଥାଇ ଏକଦା ଏହା ୪୧ ବଲ୍ରୁ ୪୦ ରନ୍ ଆବଶ୍ୟକ କରୁଥିଲା। ତେବେ ଭାରତୀୟ ବୋଲର ଚମତ୍କାର ପ୍ରଦର୍ଶନ କରି ୩୫ ବଲ୍ରୁ ୨୬ ରନ୍ ଦେଇ ୫ଟି ୱିକେଟ ନେଇ ଦଳକୁ ବିଜୟୀ ସ୍ଥିତିରେ ପହଞ୍ଚାଇଥିଲେ। ଶେଷ ଓଭରରେ ୧୪ ରନ୍ ଆବଶ୍ୟକ ଥିବା ବେଳେ ଝାଏ ରିଚାର୍ଡସନ ଓ ପ୍ୟାଟ୍ କମିନ୍ସ ଶେଷ ବଲ୍ରେ ଦଳକୁ ଜିତାଇଥିଲେ।
ଅଷ୍ଟ୍ରେଲିଆର ଏପରି ବିଜୟ ଖେଳାଳିଙ୍କୁ ଆତ୍ମବିଶ୍ବାସ ଦେଇଥିବ ସତ; ମଧ୍ୟକ୍ରମ ବ୍ୟାଟିଂକୁ ନେଇ ମୁଣ୍ଡବିନ୍ଧା ନିଶ୍ଚୟ ବଢ଼ାଇ ଦେଇଥିବ। ତେବେ ଆଶା କରାଯାଉଛି ଯେ ଅପରିବର୍ତ୍ତିତ ଏକାଦଶ ନେଇ ଏହା ଓହ୍ଲାଇପାରେ। ଅବଶ୍ୟ ବ୍ୟାଟିଂକୁ ମଜ୍ଭୁତ କରିବା ଲାଗି ଅଷ୍ଟ୍ରେଲିଆ ମଧ୍ୟକ୍ରମରେ ଆଷ୍ଟନ୍ ଟର୍ନରଙ୍କ ସ୍ଥାନରେ ଉସ୍ମାନ ଖାୱାଜା କିମ୍ବା ସନ୍ ମାର୍ଶଙ୍କୁ ଖେଳାଇବା କଥା ଚିନ୍ତା କରିପାରେ। ପେସ୍ ବୋଲରଙ୍କ ପ୍ରଦର୍ଶନ ଅଷ୍ଟ୍ରେଲିଆ ଦଳକୁ ବେଶ୍ ଉତ୍ସାହିତ କରିଛି। ନାଥାନ୍ କୌଲ୍ଟର-ନାଇଲ୍ ମାତ୍ର ୨୬ ରନ୍ଦେଇ ୩ଟି ୱିକେଟ ପାଇଥିବା ବେଳେ ପ୍ୟାଟ୍ କମିନ୍ସ ୪ ଓଭରରୁ ମାତ୍ର ୧୯ ରନ୍ ଦେଇଥିଲେ। ବାମହାତି ଜେସନ୍ ବେହେରନ୍ଡର୍ଫ ୩ ଓଭରରୁ ମାତ୍ର ୧୬ ରନ୍ ଦେଇଥିଲେ। ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍କୁ ୧୨୬ ରନ୍ରେ ରୋକିବା ଅଷ୍ଟ୍ରେଲିଆ ବୋଲିଂ ଲାଇନ୍ର ଏକ ବଡ଼ ଉପଲବ୍ଧି। ତେଣୁ ବୁଧବାର ୨ୟ ମ୍ୟାଚ୍ରେ ବ୍ୟାଟିଂରେ ଉନ୍ନତି କରିବା ଲାଗି ଭାରତ ନିଶ୍ଚୟ ଚାହିଁବ। ବିଶ୍ବକପ୍ ପୂର୍ବରୁ କେ.ଏଲ୍. ରାହୁଲ ଓ ଋଷଭ ପନ୍ତ୍ଙ୍କୁ ଅଧିକ ସୁଯୋଗ ଦିଆଯିବ ବୋଲି ଅଧିନାୟକ ବିରାଟ କୋହଲି କହି ସାରିଛନ୍ତି। ତେଣୁ ଶିଖର ଧାୱନ୍ଙ୍କୁ ଖେଳାଇବା ଲାଗି ରୋହିତ ଶର୍ମାଙ୍କୁ ବିଶ୍ରାମ ଦେବାକୁ ପଡ଼ିବ। ପ୍ରଥମ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଥିବା ରାହୁଲ ପୁଣି ଏକ ଭଲ ଇନିଂସ ଖେଳିବାକୁ ନିଶ୍ଚୟ ଚାହିଁବେ। ୩୭ ବଲ୍ରୁ ୨୯ ରନ୍ କରିବା ଯୋଗୁଁ ସମାଲୋଚିତ ହେଉଥିବା ମହେନ୍ଦ୍ର ସିଂହ ଧୋନି ମଧ୍ୟ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ରହିବେ। ଜୀବନର ପ୍ରଥମ ଟି୨୦ ମ୍ୟାଚ୍ ଖେଳି ୱିକେଟ ପାଇନଥିବା ଲେଗ୍ସ୍ପିନର ମୟଙ୍କ ମାର୍କଣ୍ଡେ ପୁଣି ଏକ ସୁଯୋଗ ପାଇପାରନ୍ତି। ଶେଷ ଓଭରରେ ୧୪ ରନ୍ ଦେବା ପରେ ଦଳରେ ଉମେଶ ଯାଦବଙ୍କ ସ୍ଥାନ ନେଇ ସନ୍ଦେହ ସୃଷ୍ଟିହୋଇଛି। ତେଣୁ ଉମେଶଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲଙ୍କୁ ଖେଳାଇବା ପାଇଁ ଭାରତ ଚିନ୍ତା କରିପାରେ ।
ଅଷ୍ଟ୍ରେଲିଆ ମଧ୍ୟ ତା’ର ମଧ୍ୟକ୍ରମ ବ୍ୟାଟିଂରେ ଉନ୍ନତି କରିବାକୁ ଚାହିଁବ । ଭାରତ ସହ ଗତି କିିଛି ସୀମିତ ଓଭର ମ୍ୟାଚ୍ରେ ନିୟମିତ ଭାବେ ବିଫଳ ହୋଇଥିବା ଅଧିନାୟକ ଆରୋନ୍ ଫିଞ୍ଚ୍ ଏହି ଧାରା ଭାଙ୍ଗିବାକୁ ଚାହିଁବେ। ତେବେ କଙ୍ଗାରୁ ଦଳକୁ ଉତ୍ସାହିତ କରିଛି ଓପ୍ନର ଡି’ଆର୍ସି ସର୍ଟଙ୍କ ବ୍ୟାଟିଂ। ବିବିଏଲ୍ରେ ସର୍ବାଧିକ ସ୍କୋର୍ କରିଥିବା ଏହି ବାମହାତି ୧୬ଶ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ରହିବା ଦଳ ପାଇଁ ଶୁଭସୂଚନା। ପୁଣି ଗ୍ଲେନ୍ ମ୍ୟାକ୍ସୱେଲ୍ ବ୍ୟାଟିଂକ୍ରମରେ ପଦୋନ୍ନତି ପାଇ ଏହାର ସଦୁପଯୋଗ କରି ପାରିଛନ୍ତି। ୪୩ ବଲ୍ରୁ ମ୍ୟାକ୍ସୱେଲ୍ ୫୬ ରନ୍ର ଇନିଂସ ଖେଳି ଫର୍ମରେ ଥିବାର ପ୍ରମାଣ ଦେଇଛନ୍ତି। ତେବେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଅଷ୍ଟ୍ରେଲିଆକୁ ନିରାଶ କରିଛି। ବିଶେଷକରି ଯଶ୍ରପୀତ ବୁମ୍ରାଙ୍କ ମୁକାବିଲା ଅଷ୍ଟ୍ରେଲିଆ ବ୍ୟାଟ୍ସ ମ୍ୟାନ୍ କରି ପାରିନାହାନ୍ତି। ୨ୟ ଟ୍ବେଣ୍ଟି-୨୦ରେ ମଧ୍ୟ ବୁମ୍ରାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଭାରତ ଏହି ମ୍ୟାଚ୍ରେ ପରାସ୍ତହେଲେ ଏହାର ଦୀର୍ଘ ବିଜୟଧାରା ଭଙ୍ଗହେବ। ୨୦୦୮ ଜାନୁୟାରୀ ପରଠାରୁ ଅଷ୍ଟ୍ରେଲିଆଠାରୁ ଭାରତ ଏକ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ସିରିଜ୍ ହାରିନାହିଁ।
୨ୟ ଟ୍ବେଣ୍ଟି-୨୦ ଆଜି ; ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଭାରତ
Popular Categories



