www.samajalive.in
Sunday, December 14, 2025
16.1 C
Bhubaneswar

ରବିଶଙ୍କର ପାଇବେ ଜୟଦେବ ପୁରସ୍କାର

-ପାର୍ଥସାରଥି-ସନ୍‌ମିରା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ, – ସ୍ଥାନ ପାଇନି ଆଦିବାସୀ ଭାଷାର ଚଳଚ୍ଚିତ୍ର, ବୃତ୍ତଚିତ୍ର

ଭୁବନେଶ୍ୱର :  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୯ତମ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର (୨୦୧୭) ଘୋଷଣା ହୋଇଛି। ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ରବିଶଙ୍କର ପଟ୍ଟନାୟକଙ୍କୁ ମର୍ଯ୍ୟାଦାଜନକ ଜୟଦେବ ପୁରସ୍କାର ପ୍ରଦାନ କରାଯିବ। ତାଙ୍କୁ ଏକ ଲକ୍ଷ ଟଙ୍କା ସହିତ ମାନପତ୍ର, ଉପଢୌକନ ଏବଂ ଫଳକ ପ୍ରଦାନ କରାଯିବ ବୋଲି ମଙ୍ଗଳବାର ମଧ୍ୟାହ୍ନରେ ସଂସ୍କୃତି ଭବନ ନୂତନ ପ୍ରକୋଷ୍ଠରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି।
ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ହେଲୋ ଆର୍‌ସି’ର ପ୍ରଯୋଜକ ଅଜୟ ରାଉତରାୟଙ୍କୁ ‘ମୋହନ ସୁନ୍ଦର ଦେବଗୋସ୍ୱାମୀ’ ସମ୍ମାନ ମିଳିବ। ଏଥିପାଇଁ ତାଙ୍କୁ ୫୦ହଜାର ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ। ‘ହେଲୋ ଆର୍‌ସି’ର ନିର୍ଦେଶକ ସମ୍ବିତ୍ ମହାନ୍ତିଙ୍କୁ ଶ୍ରେଷ୍ଠ ନିର୍ଦେଶକ, ଅଭିନେତା ପାର୍ଥସାରଥି ରାୟଙ୍କୁ ଅଭିନେତାଭାବେ ପୁରସ୍କୃତ କରାଯିବ। ସେହିପରି ‘ଲୈଲା ଓ ଲୈଲା’ର ସନ୍‌ମିରା ନାଗେଶଙ୍କୁ ଅଭିନେତ୍ରୀ, ବୈଦ୍ୟନାଥ ଦାଶଙ୍କୁ ସଙ୍ଗୀତ ନିର୍ଦେଶକ, ‘ଦୃଷ୍ଟାନ୍ତ’ର ଜିତେନ୍ଦ୍ରନାଥ ମହାପାତ୍ରଙ୍କୁ କାହାଣୀକାର, ‘ସପନର ପଥେ ପଥେ’ (ବିତି ଯାଇଛି କେତେଦିନ)ର ସତ୍ୟଜିତ୍ ପ୍ରଧାନଙ୍କୁ ପ୍ରଚ୍ଛଦପଟ୍ଟ ଗାୟକ ଓ ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ର ଶୀର୍ଷକ ଗୀତ ପାଇଁ ଅସୀମା ପଣ୍ଡାଙ୍କୁ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ପୁରସ୍କୃତ କରାଯିବ। ଏହାସହିତ ‘ଶିବା ନଟ୍ ଆଉଟ୍’ ଚଳଚ୍ଚିତ୍ରର ଧ୍ରୁବାନନ୍ଦ ପଣ୍ଡାଙ୍କୁ ଫଟୋଗ୍ରାଫର୍, ପ୍ରାମାଣିକ ଚଳଚ୍ଚିତ୍ର ‘କ୍ଷଣିକା’ର ନିର୍ମାତା ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କୁ ସମ୍ପାଦନା ପାଇଁ ପୁରସ୍କୃତ କରାଯିବ। ‘ତୁ ମୋ ଲଭ୍ ଷ୍ଟୋରୀ’ର ‘ଟିକେ ଟିକେ ଅଚିହ୍ନା’ ଗୀତ ପାଇଁ ଅରୁଣ ମନ୍ତ୍ରୀଙ୍କୁ ଗୀତିକାର ଓ ଦେବୀଦତ୍ତ ମହାନ୍ତିଙ୍କୁ ଚିତ୍ରନାଟ୍ୟ ପାଇଁ ସମ୍ମାନିତ କରାଯିବ। ‘ଖାଣ୍ଟି ଓଡ଼ିଆ ଝିଅ’ର ମନୋଜ ପଟ୍ଟନାୟକଙ୍କୁ ପାର୍ଶ୍ବ ଅଭିନେତା ଓ ମାମୁନି ମିଶ୍ରଙ୍କୁ ପାର୍ଶ୍ବ ଅଭିନେତ୍ରୀଭାବେ ପୁରସ୍କୃତ କରାଯିବ। ହାସ୍ୟ ଅଭିନେତା ଭାବେ ‘ହିରୋ ନଂ ୱାନ୍‌’ର ତ୍ରିଭୁବନ ପଣ୍ଡା, ‘ସପନଟିଏ’ର ମାଗୁଣି ପାତ୍ର(ବବ୍‌ଲୁ)ଙ୍କୁ ଶିଶୁ କଳାକାର’ ଭାବେ ପୁରସ୍କୃତ କରାଯିବ। ‘ତୁ ମୋ ଲଭ୍ ଷ୍ଟୋରୀ’ର ସୁବାସ ବେହେରାଙ୍କୁ କଳା ନିର୍ଦେଶକ, ‘ହେଲୋ ଆର୍‌ସି’ର ସୁବାସ ସାହୁଙ୍କୁ ଶ୍ରେଷ୍ଠ ସାଉଣ୍ଡ ରେକର୍ଡିଷ୍ଟ, ‘ଶିବା ନଟ୍ ଆଉଟ’ର ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ‘ସ୍ୱତନ୍ତ୍ର ଜୁରି ଆୱାର୍ଡ’ ମିଳିବ। ସେହିପରି ‘ଦୃଷ୍ଟାନ୍ତ’ର ବିଭୁଦତ୍ତ ଦୀକ୍ଷିତ ଓ ବିଭାବରୀ ରଥଙ୍କୁ ଶିକ୍ଷାଭିତ୍ତିକ/ଶିଶୁ ଚଳଚ୍ଚିତ୍ର’, ‘ହେଲୋ ଆର୍‌ସି’ର ସମ୍ବିତ୍ ମହାନ୍ତି ସଂଳାପ ଲେଖକ, ‘ଜଷ୍ଟ ମୋହବତ’ ର ଅରୁଣ ପାଟରାଙ୍କୁ କଷ୍ଟ୍ୟୁମ୍ ମ୍ୟାନ୍, ଏସ୍.କେ ମୁରଲୀଧରନଙ୍କୁ କୋରିଓଗ୍ରାଫି, ‘ଜଗନ୍ନାଥ ଧାମ ପୁରୀ’ର ମାନସ ବେହେରାଙ୍କୁ ‘ଶ୍ରେଷ୍ଠ ମେକ୍ଅପ୍ ମ୍ୟାନ୍’ ଭାବେ ପୁରସ୍କୃତ କରାଯିବ।
‘୨୦୧୭ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମନୋନୟନ କମିଟିରେ ୬ଜଣ ଜୁରି ସଦସ୍ୟ ଥିଲେ। ଏଥିପାଇଁ ସମୁଦାୟ ୨୭ଟି ବିଭାଗ ଥିବାବେଳେ ୨୫ଟି ବିଭାଗରେ ଚଳଚ୍ଚିତ୍ର ଆବେଦନ କରାଯାଇଥିଲା। ‘ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର’ ଓ ଶ୍ରେଷ୍ଠ ଆଦିବାସୀ ଭାଷାର ଚଳଚ୍ଚିତ୍ର’ ପାଇଁ କୌଣସି ଆବେଦନ ହୋଇନଥିଲା। ପୁରସ୍କାର ପାଇଁ ସମୁଦାୟ ୨୨ଟି ଚଳଚ୍ଚିତ୍ର ଆସିଥିବାବେଳେ ସେଥିରୁ ୪ଟି ପ୍ରାମାଣିକ ଚଳଚ୍ଚିତ୍ର ଓ ୧୮ଟି ଓଡ଼ିଆ ଚଳଚ୍ଚିତ୍ର ଆସିଥିବା ଜୁରି ଅଧ୍ୟକ୍ଷ ପ୍ରଫୁଲ୍ଲ କର କହିଛନ୍ତି।
ସେହିପରି ଟେଲି ଧାରାବାହିକ-୨୦୧୭ ପୁରସ୍କାର କ୍ରମରେ ‘ରଗଡ଼’ ଟେଲି ଚଳଚ୍ଚିତ୍ରର ପ୍ରଯୋଜକ ଅଶୋକ କୁମାର ମିଶ୍ର, ‘ନିରୁପାୟ’ ଟେଲି ଚଳଚ୍ଚିତ୍ରର ନିର୍ଦେଶକ ସାରଦା ପ୍ରସନ୍ନ ସ୍ୱାଇଁଙ୍କୁ ସମ୍ମାନିତ କରାଯିବ। ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ‘ନୂଆବୋହୂ’କୁ ଶ୍ରେଷ୍ଠ ଟେଲି ଧାରାବାହିକ, ‘ରାଜକନ୍ୟା’ର ଆଶିଷ ବେହେରାଙ୍କୁ ନିର୍ଦେଶକ, ‘ନୂଆବୋହୂ’ର ଜଗଜିତ୍ ପାଲଙ୍କୁ ଅଭିନେତା, ‘ନୂଆବୋହୂ’ର ମିତାଲି ସରଘରିଆ ଓ ‘ଟୁପୁର ଟାପୁର’ର ଏଲି ପାଢ଼ୀଙ୍କୁ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯିବ। ଧାରାବାହିକ ‘ରାଜକନ୍ୟା’ର ସୋମେଶଙ୍କୁ ପାର୍ଶ୍ବ ଅଭିନେତା’, ‘ମୋ ଜେଜେ ମା’ର ମନୀଷା ରଥ ପାର୍ଶ୍ବ ଅଭିନେତ୍ରୀ, ‘ନୂଆବୋହୂ’ର ମୃତ୍ୟୁଞ୍ଜୟ କର ଓ ‘ଟୁପୁର ଟାପୁର’ର ବରଦାପ୍ରସନ୍ନ ପାତ୍ରଙ୍କୁ ପାର୍ଶ୍ବ ଖଳନାୟକ ଏବଂ ‘ତୋ ଅଗଣାର ତୁଳସୀ ମୁଁ’ର ସୁଭଦ୍ରା ମହାନ୍ତିଙ୍କୁ ପାର୍ଶ୍ବ ଖଳନାୟିକା’, ‘କିଏ’ର ରୁଷି ପଟ୍ଟନାୟକଙ୍କୁ ହାସ୍ୟାଭିନେତା, କାଶୀନାଥ ଚମ୍ପତ୍ତିଙ୍କୁ ସାଉଣ୍ଡ ରେକର୍ଡିଷ୍ଟ, ‘ସମ୍ପର୍କ ହୃଦୟର’ର ମୟଙ୍କ ସିଂଙ୍କୁ ଶିଶୁ କଳାକାର, ‘ନୂଆବୋହୂ’ର ସୋନାଲି ଶ୍ରୀବାସ୍ତବଙ୍କୁ କାହାଣୀକାରଭାବେ ପୁରସ୍କୃତ କରାଯିବ। ‘କ୍ୟାପିଟାଲ ଖଟି’ର ସତୀଶ ମିଶ୍ରଙ୍କୁ ସଂଳାପ ଲେଖକ, ‘ରାଜକନ୍ୟା’ର ଶରଣାରବିନ୍ଦ ଓଝାଙ୍କୁ ଚିତ୍ରନାଟ୍ୟ, ବିଭୁ ମିଶ୍ରଙ୍କୁ ଫଟୋଗ୍ରାଫର୍, ‘ମାନିନୀ’ର ସିଦ୍ଧାର୍ଥ ଶଙ୍କର ପଟ୍ଟନାୟକଙ୍କୁ ଶ୍ରେଷ୍ଠ ସମ୍ପାଦନା’ ପାଇଁ ପୁରସ୍କୃତ କରାଯିବ। ଏହାସହିତ ଟେଲି ଧାରାବାହିକ ‘ପାଇକ ବିଦ୍ରୋହ’ର ପ୍ରଯୋଜକ ସମ୍ବିତ୍ ପଟ୍ଟନାୟକ ଓ ଟେଲି ଚଳଚ୍ଚିତ୍ର ‘ରଗଡ଼’ର ଲୋଚନୀ ବାଗଙ୍କୁ ଶ୍ରେଷ୍ଠ ଜୁରି ସମ୍ମାନ ଓ ‘ସଞ୍ଜସକାଳ’ର ପ୍ରଯୋଜକ ସତ୍ୟକାନ୍ତ ସାହୁଙ୍କୁ ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର ବିଭାଗରେ ସମ୍ମାନିତ କରାଯିବ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ର ଜୁରି କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ କର, ସଦସ୍ୟ ଅମରେନ୍ଦ୍ର ମହାନ୍ତି, ପରୀକ୍ଷିତ ଜେନା, ଧୀର ମଲ୍ଲିକ, ଟେଲି ଜୁରି କମିଟିର ଅଧ୍ୟକ୍ଷ ଘନଶ୍ୟାମ ମହାପାତ୍ର, ସଦସ୍ୟା ତ୍ରିପୁରା ମିଶ୍ର, ସଦସ୍ୟ ପ୍ରଶାନ୍ତ ପାଢ଼ୀ, ଆଦିକନ୍ଦ ରାଉତ, ସଂସ୍କୃତି ବିଭାଗ ନିର୍ଦେଶକ ବିଜୟ ନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ବିଜୟ ଜେନା, ଯୁଗ୍ମ ନିର୍ଦେଶକ ସଂଘମିତ୍ରା ଶତପଥୀ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ, ଏହି ପୁରସ୍କାର ମାର୍ଚ୍ଚ ୧, ୨ରେ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହେବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories