ନୂଆଦିଲ୍ଲୀ/ଶ୍ରୀନଗର : ଜାମ୍ମୁ-କାଶ୍ମୀର ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ଆୟୋଗ ସୋମବାର ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟରେ ଜାମ୍ମୁ ପାଇଁ ୬ କାଶ୍ମୀର ପାଇଁ ଗୋଟିଏ ଅଧିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନର ପ୍ରସ୍ତାବ ରହିଛି। ଏହାଦ୍ବାରା ଜାମ୍ମୁ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ ମଣ୍ଡଳୀ ସଂଖ୍ୟା ୩୫ରୁ ୪୩କୁ ବୃଦ୍ଧି ପାଇଥିବାବେଳେ କାଶ୍ମୀର ଅଞ୍ଚଳ ପାଇଁ ୪୬ରୁ ୪୭କୁ ବୃଦ୍ଧି କରାଯାଇଛି। ଏଥିମଧ୍ୟରେ ଅନୁସୂଚିତ ଜାତିଙ୍କ ପାଇଁ ୭ ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୯ଟି ଆସନ ସଂରକ୍ଷିତ ରହିଛି। ଜାମ୍ମୁ-କାଶ୍ମୀର ବିଧାନସଭାର ମୋଟ ୯୦ ଆସନ ମଧ୍ୟରୁ ୨୪ଟି ପୂର୍ବପରି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ପାଇଁ ଓ ଦୁଇଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଏହି ରିପୋର୍ଟ ସମସ୍ତ ପକ୍ଷଙ୍କୁ ବିଚାରବିମର୍ଶ ପାଇଁ ପ୍ରଦାନ କରାଯାଇଛି। କେଉଁ ଅଞ୍ଚଳକୁ ନେଇ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ କରାଯିବ ତା’ ଉପରେ ସେମାନେ ମତ ରଖିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଆୟୋଗଙ୍କ ସୂତ୍ରରୁ ପ୍ରକାଶ। ରିପୋର୍ଟ ଉପରେ ଆଲୋଚନା ପାଇଁ ସୋମବାର ଦିଲ୍ଲୀର ଅଶୋକ ହୋଟେଲ୍ରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସମେତ ବିଜେପି ସାଂସଦ ଯୁଗଳ କିଶୋର, ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦୁଲ୍ଲା, ଅବସରପ୍ରାପ୍ତ ବିଚାରପତି ହସନାନ ମସୁଦୀ ଓ ମହମ୍ମଦ ଆକବର ଲୋନ୍ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକକୁ ମେହବୁବା ମୁଫ୍ତି ବର୍ଜନ କରିଥିଲେ।
ଜାମ୍ମୁ-କାଶ୍ମୀରରୁ ସମ୍ବିଧାନର ଧାରା-୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାର ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ଆୟୋଗ ଗଠନ କରିଥିଲେ। ପୂର୍ବତନ ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ନେତୃତ୍ବରେ ଗଠିତ ୫ଜଣିଆ ଆୟୋଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରାଙ୍କ ସମେତ ୪ ଜଣ ସଦସ୍ୟ ଥିଲେ। ଚଳିତ ମାସ ୩୧ ସୁଦ୍ଧା ଆୟୋଗ ରିପୋର୍ଟ ଦାଖଲ କରିବାର ଥିଲା। ପୂର୍ବରୁ ଆୟୋଗଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ବୃଦ୍ଧି କରାଯାଇଥିଲା। ମାର୍ଚ୍ଚ ୬ ସୁଦ୍ଧା ଆୟୋଗଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ ପାଇଁ କୁହାଯାଇଛି। ଚୂଡ଼ାନ୍ତ ରିପୋର୍ଟ ଗୃହୀତ ହେବା ପରେ ଜାମ୍ମୁ-କାଶ୍ମୀର ବିଧାନସଭା ପାଇଁ ନିର୍ବାଚନ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି।
ଅପରପକ୍ଷରେ ରିପୋର୍ଟକୁ ନେଇ କାଶ୍ମୀର ଉପତ୍ୟକାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆୟୋଗ ଜାମ୍ମୁକୁ ଏଥିରେ ରାଜନୈତିକ ଦୃଷ୍ଟିରୁ ପ୍ରାଧାନ୍ୟ ଦେଇଛନ୍ତି ଏବଂ କାଶ୍ମୀରର ଗୁରୁତ୍ବ ହ୍ରାସ ଉଦ୍ୟମ କରାଯାଇଛି ବୋଲି ନ୍ୟାସନାଲ କନ୍ଫରେନ୍ସ ଓ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି। ପ୍ରଥମରୁ ଏହି ଅଣବିଜେପି ଦଳଗୁଡ଼ିକ ଆୟୋଗଙ୍କୁ ବିଜେପିର ଏଜେଣ୍ଟ ଦର୍ଶାଇ ସମାଲୋଚନା କରିଆସୁଥିଲାବେଳେ ଏବେ ସ୍ବାଭାବିକ୍ ଭାବେ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଆୟୋଗ ରିପୋର୍ଟକୁ ଅନୁମୋଦନ ମିଳିଲେ ମୁଖ୍ୟମନ୍ତ୍ରୀ ସ୍ଥିର କରିବା କ୍ଷେତ୍ରରେ ଜାମ୍ମୁର ଭୂମିକା ବୃଦ୍ଧିପାଇବ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ୨୦୧୧ ଜନଗଣନା ଆଧାରେ ସୀମା ପୁନଃନିର୍ଦ୍ଧାରଣ କରାଯିବାକୁ ସେମାନେ ଦାବି କରିଛନ୍ତି। ଏହି ଅନୁସାରେ କାଶ୍ମୀର ଉପତ୍ୟକାର ଜନସଂଖ୍ୟା ୮୦ ଲକ୍ଷ ଥିବାବେଳେ ଜାମ୍ମୁର ଥିଲା ୬୦ ଲକ୍ଷ। ଆୟୋଗ ଏଥିପ୍ରତି ଧ୍ୟାନ ଦେଇ ନ ଥିବାରୁ ଆଞ୍ଚଳିକ ଭାରସାମ୍ୟ ନଷ୍ଟ ହେବ ବୋଲି ସେମାନେ ଦର୍ଶାଇଛନ୍ତି। ଏହାକୁ ଖଣ୍ଡନ କରି ଜାମ୍ମୁ-କାଶ୍ମୀରର ବିଜେପି ସାଂସଦ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଆୟୋଗ କୌଣସି ରାଜନୈତିକ ଚାପରେ କାର୍ଯ୍ୟ କରି ନାହାନ୍ତି। ଫାରୁକ ଅବଦୁଲ୍ଲା ପ୍ରସ୍ତାବକୁ ସ୍ବାଗତ କରିଛନ୍ତି ବୋଲି ସେ କହିଥିବାବେଳେ ଓମାର ଅବଦୁଲ୍ଲା ଏହାକୁ ବିରୋଧ କରିଥିବା ପ୍ରକାଶ। ତାଙ୍କ ଦଳ ସପ୍ତାହକ ପରେ ପ୍ରତିକ୍ରିୟା ରଖିବ ବୋଲି କୁହାଯାଇଛି। ଆପ୍ନୀ ପାର୍ଟି ଓ ପିପୁଲ୍ସ କନ୍ଫରେନ୍ସ ପ୍ରସ୍ତାବକୁ ବିରୋଧ କରିଛନ୍ତି।
ଜାମ୍ମୁ ପାଇଁ ୬ ଓ କାଶ୍ମୀର ପାଇଁ ୧ ଆସନ ବୃଦ୍ଧି ପ୍ରସ୍ତାବ
Popular Categories



