୨ୟ ଆସେସ୍ ଟେଷ୍ଟ ମ୍ୟାଚ୍ : ବିପୁଳ ବିଜୟ ସହ ଅଷ୍ଟ୍ରେଲିଆ ୨-୦ରେ ଆଗୁଆ
ରିଚାର୍ଡସନଙ୍କୁ ୫ ୱିକେଟ

ଆଡିଲେଡ୍ : ଆଶା ଅନୁସାରେ ଘରୋଇ ଅଷ୍ଟ୍ରେଲିଆ ସୋମବାର ଏଠାରେ ସମାପ୍ତ ହୋଇଥିବା ଆସେସ୍ ଟେଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚ୍କୁ ଜିତିନେଇଛି। ପେସ୍ ବୋଲର ଝାଏ ରିଚାର୍ଡସନ୍ ଜୀବନର ୩ୟ ଟେଷ୍ଟରେ ଏକ ଇନିଂସରେ ୫ଟି ୱିକେଟ ନେବାରୁ ଅଷ୍ଟ୍ରେଲିଆ ୨ୟ ଟେଷ୍ଟକୁ ୨୭୫ ରନ୍ର ବିପୁଳ ବ୍ୟବଧାନରେ ଜିତି ୫ ମ୍ୟାଚ୍ର ଶୃଙ୍ଖଳାରେ ୨-୦ରେ ଆଗୁଆ ରହିଛି। ସୋମବାର ୫ମ ତଥା ଅନ୍ତିମ ଦିନରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜୋସ୍ ବଟ୍ଲର ଲଢ଼ୁଆ ବ୍ୟାଟିଂକରି ବେଶ୍ କିଛି ସମୟ ଅଷ୍ଟ୍ରେଲିଆ ବୋଲିଂର ପ୍ରତିହତ କରିଥିଲେ। ହେଲେ ବଟ୍ଲର ଆଉଟହେବା ସହ ଇଂଲଣ୍ଡର ୨ୟ ଇନିଂସ ଜଲ୍ଦି ସମାପ୍ତ ହୋଇଥିଲା। ୨ୟ ଇନିଂସରେ ୪୬୮ ରନ୍ର ପିଛା କରିଥିବା ଇଂଲଣ୍ଡ ଅନ୍ତିମ ଦିନରେ ଶେଷ ଘଣ୍ଟା ପର୍ଯ୍ୟନ୍ତ ଲଢ଼େଇକରି ୧୯୨ ରନ୍ରେ ଅଲ୍ଆଉଟ ହୋଇ ଯାଇଥିଲା। ଅଦ୍ୟାବଧି ଆସେସ୍ ଇତିହାସରେ ୨ ଥର ଗୋଟିଏ ଦଳ ୦-୨ରେ ପଛୁଆ ରହିବା ପରେ ଶୃଙ୍ଖଳା ଜିତିପାରିଛି। ତେଣୁ ସିରିଜ୍ ବଞ୍ଚାଇବା କିମ୍ବା ଅତିକମ୍ରେ ଅମୀମାସିଂତ ରଖିବା ଇଂଲଣ୍ଡ ପାଇଁ କଷ୍ଟକର ମନେହେଉଛି। ୨୬ରୁ ୩ୟ ଟେଷ୍ଟ ମେଲ୍ବୋର୍ଣ୍ଣରେ ଖେଳାଯିବ।
୨ୟ ଇନିଂସରେ ୪୬୮ ରନ୍ର ପିଛା କରିଥିବା ଇଂଲଣ୍ଡ ରବିବାର ୪ର୍ଥ ଦିନ ଶେଷରେ ୮୨ ରନ୍କରି ୪ଟି ୱିକେଟ ହରାଇଥିଲା। ତେଣୁ ଫ୍ଲଡ୍ଲାଇଟ୍ ଜଳିବା ପୂର୍ବରୁ ମ୍ୟାଚ୍ ଶେଷ ହୋଇଯିବ ବୋଲି ଅନୁମାନ କରା ଯାଇଥିଲା। ୫ମ ଦିନ ସକାଳୁ ଇଂଲଣ୍ଡ ଆଉ ୨ଟି ୱିକେଟ ହରାଇଥିଲା। ହେଲେ ଜୋସ୍ ବଟ୍ଲର ୨୦୭ ଓ କ୍ରିସ୍ ୱକ୍ସ ୯୭ଟି ବଲ୍ର ମୁକାବିଲା କରି ଦଳକୁ ପରାଜୟରୁ ବଞ୍ଚାଇବା ଆଶା ଦେଇଥିଲେ। ହେଲେ ଦୁହେଁ ଏପରି କରି ପାରିନଥିଲେ। ଓଲି ପୋପ୍ ପୁଣି ବିଫଳ ହୋଇ ୪ ରନ୍କରି ଆଉଟ ହୋଇଥିଲେ। ଅଭିଜ୍ଞ ବେନ୍ ଷ୍ଟୋକ୍ସ ୮୭ଟି ବଲ୍ର ମୁକାବିଲା କରି ୧୨ ରନ୍କରି ବିଦାୟ ନେଇଥିଲେ। ୧୦୫ ରନ୍ରେ ୬ଟି ୱିକେଟ ପଡ଼ିଯିବା ପରେ ଜୋସ୍ ବଟ୍ଲର ଓ କ୍ରିସ୍ ୱକ୍ସ ୩୧.୨ ଓଭର ବ୍ୟାଟିଂ କରିଥିଲେ ଏବଂ ୬୧ ରନ୍ ଯୋଡ଼ିଥିଲେ। ୱକ୍ସ ୭ଟି ଚୌକା ସହ ୪୪ ରନ୍ କରିଥିଲେ। ବଟ୍ଲର ଲଢ଼ୁଆ ବ୍ୟାଟିଂକରି ୪ ଘଣ୍ଟା ୧୮ ମିନିଟ ବ୍ୟାଟିଂକରି ୨୦୭ଟି ବଲ୍ର ମୁକାବିଲା କରି ୨୬ ରନ୍ କରିଥିଲେ। ବଟ୍ଲର ହିଟ୍ ୱିକେଟ ହେବା ପରେ ୧୯ଟି ବଲ୍ରେ ଇଂଲଣ୍ଡର ଶେଷ ୨ଟି ୱିକେଟ ପଡ଼ି ଯାଇଥିଲା। ଝାଏ ରିଚାର୍ଡସନ୍ ୪୨ ରନ୍ ଦେଇ ୫ଟି ଏବଂ ମିଚେଲ ଷ୍ଟାର୍କ ଓ ନାଥାନ୍ ଲାୟନ୍ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ। ମ୍ୟାଚ୍ରେ ଶତକ ଓ ଅର୍ଦ୍ଧଶତକ ହାସଲ କରିଥିବା ମାର୍ନସ ଲାବୁସେନ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଅଷ୍ଟ୍ରେଲିଆ ଟେଷ୍ଟ ଦଳକୁ ହାଜେଲ୍ଉଡ୍, କମିନ୍ସ ଫେରିଲେ
ଚଳିତମାସ ୨୬ରୁ ଆସେସ୍ ଟେଷ୍ଟ ଶୃଙ୍ଖଳାର ୩ୟ ଟେଷ୍ଟମ୍ୟାଚ୍ ମେଲ୍ବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ବର୍ତ୍ତମାନ ସୁଦ୍ଧା ଘରୋଇ ଅଷ୍ଟ୍ରେଲିଆ ସୁବିଧାଜନକ ସ୍ଥିତିରେ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ୨ଟିଯାକ ଟେଷ୍ଟମ୍ୟାଚ୍ ଜିତି ୫ ମ୍ୟାଚ୍ର ଶୃଙ୍ଖଳାରେ ୨-୦ରେ ଆଗୁଆ ରହିଛି। ସୋମବାର ଶୃଙ୍ଖଳାର ବାକି ୩ଟି ଟେଷ୍ଟମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଦଳକୁ ଦଳର ଦୁଇ ପ୍ରମୁଖ ଫାଷ୍ଟବୋଲର ଜୋସ୍ ହାଜେଲଉଡ୍ ଓ ପ୍ୟାଟ୍ କମିନ୍ସ ଫେରିଛନ୍ତି। ହାଜେଲଉଡ୍ ଆହତ ଥିବାରୁ ଆଡିଲେଡ୍ରେ ୨ୟ ଟେଷ୍ଟ ଖେଳିନଥିଲେ। କୋଭିଡ୍ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ଅଧିନାୟକ କମିନ୍ସ ୨ୟ ଟେଷ୍ଟ ଖେଳିନଥିଲେ। ଉଭୟଙ୍କ ସ୍ଥାନରେ ଝାଏ ରିଚାର୍ଡସନ୍ ଓ ମାଇକେଲ ନେସର ଖେଳିଥିଲେ। ରିଚାର୍ଡସନ୍ ଆଡିଲେଡ୍ରେ ୨ୟ ଇନିଂସରେ ୫ଟି ୱିକେଟ ନେଇ ଦଳକୁ ଜିତାଇଥିଲେ। ପ୍ରଥମ ଦୁଇଟି ଟେଷ୍ଟରେ ବିଫଳ ହୋଇଥିବା ଓପ୍ନର ମାର୍କସ ହାରିସ୍ ଘୋଷିତ ୧୫ ଜଣିଆ ଦଳରେ ଥିଲେ ହେଁ ଉସ୍ମାନ ଖାୱାଜାଙ୍କୁ ଅତିରିକ୍ତ ଓପ୍ନର ଭାବେ ଦଳରେ ସାମିଲ କରାଯାଇଛି। ଅଷ୍ଟ୍ରେଲିଆର ମୁଖ୍ୟ ସମସ୍ୟା ହେବ ମେଲ୍ବୋର୍ଣ୍ଣ ଟେଷ୍ଟ ପାଇଁ ୩ ପେସ୍ ବୋଲରଙ୍କୁ ବାଛିବା। କମିନ୍ସ ଓ ହାଜେଲ୍ଉଡ୍ ଖେଳିବା ନିଶ୍ଚିତ ହୋଇଥିବା ବେଳେ ବାମହାତି ଫାଷ୍ଟବୋଲର ମିଚେଲ ଷ୍ଟାର୍କଙ୍କୁ ବିଶ୍ରାମ ମିଳିପାରେ। ତେବେ ୩ୟ ପେସ୍ ବୋଲର ଭାବେ ଝାଏ ରିଚାର୍ଡସନ ଓ ମାଇକେଲ ନେସରଙ୍କ ମଧ୍ୟରୁ ଜଣେ ଖେଳିବେ। ନେସର ଅଧିକ ୱିକେଟ ପାଇନଥିଲେ ହେଁ ଭଲ ବୋଲିଂ କରିଥିଲେ। ୨୬ରୁ ମେଲ୍ବୋର୍ଣ୍ଣ ଟେଷ୍ଟ ଆରମ୍ଭ ହେବାକୁ ଥିବା ବେଳେ ଜାନୁଆରୀ ୫ରୁ ୪ର୍ଥ ଟେଷ୍ଟ ସିଡ୍ନୀରେ ଏବଂ ଜାନୁଆରୀ ୧୪ରୁ ୫ମ ଟେଷ୍ଟମ୍ୟାଚ୍ ହୋବାର୍ଟରେ ଖେଳାଯିବ।
ଅଷ୍ଟ୍ରେଲିଆ ଟେଷ୍ଟ ଦଳ: ପ୍ୟାଟ୍ କମିନ୍ସ (ଅଧିନାୟକ), ଡେଭିଡ୍ ୱାର୍ଣ୍ଣର, ଆଲେକ୍ସ କ୍ୟାରି, କାମେରନ୍ ଗ୍ରୀନ୍, ମାର୍କସ ହାରିସ୍, ଜୋସ୍ ହାଜେଲ୍ଉଡ୍, ଟ୍ରାଭିସ୍ ହେଡ୍, ଉସ୍ମାନ ଖାୱାଜା, ମାର୍ନସ ଲାବୁସେନ୍, ନାଥାନ୍ ଲାୟନ୍, ମାଇକେଲ ନେସର, ଝାଏ ରିଚାର୍ଡସନ, ଷ୍ଟିଭେନ୍ ସ୍ମିଥ୍, ମିଚେଲ ଷ୍ଟାର୍କ ଓ ମିଚେଲ ସ୍ବେପ୍ସନ।
Comments are closed.