ଜୟପୁର: ଜେଲରେ କଏଦୀମାନଙ୍କୁ ମିଳୁଛି ଭିଆଇପି ସୁବିଧା। ଏଥିପାଇଁ କଏଦୀଙ୍କ ପରିବାର ମାସକୁ ୮ ଲକ୍ଷ ଟଙ୍କା ଲାଞ୍ଚ ଆକାରରେ ପ୍ରଦାନ କରୁଛନ୍ତି। ଏପରି କି କଏଦୀଙ୍କ ପାଇଁ ଗୋଟିଏ ପ୍ୟାକେଟ ସିଗାରେଟ ପଠାଇବାକୁ ହେଲେ ଦେବାକୁ ପଡ଼ୁଛି ୧୨ରୁ ୧୫ ହଜାର ଟଙ୍କା। ରାଜସ୍ଥାନର ଆଜମେର ସେଣ୍ଟ୍ରାଲ ଜେଲରେ ଏଭଳି ଲାଞ୍ଚ କାରବାର ଚାଲିଥିବା ସାମ୍ନାକୁ ଆସିଛି। ଆଣ୍ଟି କରପ୍ସନ ବ୍ୟୁରୋ(ଏସିବି) ଏହା ଉପରୁ ପରଦା ଉଠାଇବା ସହିତ ଜଣେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଗିରଫ କରିଛି।
ଏସିବିର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଜେଲର ପ୍ରତି ବାରାକରେ ଏକ ସ୍ବତନ୍ତ୍ର ରୁମ୍ ରହିଛି। ୧ ନମ୍ବର ବାରାକରୁ ୧୫ ନମ୍ବର ବାରାକ ମଧ୍ୟରେ ଗୋଟିଏ ଗୋଟିଏ ଭିଆଇପି ରୁମ୍ ରହିଛି। ଚକ୍ରେ ସେଗୁଡ଼ିକୁ ଚିହ୍ନଟ କରାଯାଇଛି। ଏହି ସ୍ବତନ୍ତ୍ର ଭିଆଇପି ରୁମରେ ରହୁଥିବା କଏଦୀଙ୍କୁ ବିଭିନ୍ନ ସୁବିଧା ପ୍ରଦାନ କରାଯାଇଥାଏ। ରୁମ୍ ପରିଷ୍କାର ପରିଚ୍ଛନ୍ନ ଥିବାବେଳେ ସ୍ବତନ୍ତ୍ର ଖାଦ୍ୟ, ସଫାସୁତୁରା ପୋଷାକ ଦିଆଯାଇଥାଏ। ଏଥିପାଇଁ ଅନ୍ତେବାସୀଙ୍କ ପରିବାର ପକ୍ଷରୁ ମାସକୁ ୮ ଲକ୍ଷ ଟଙ୍କା ଭଡ଼ା ଆକାରରେ ଦିଆଯାଇଥାଏ। ଜେଲର କେତେଜଣ କର୍ମଚାରୀ ଦଲାଲ ସାଜି ଅନ୍ତେବାସୀଙ୍କ ପରିବାରଠାରୁ ଟଙ୍କା ସଂଗ୍ରହ କରିଥାନ୍ତି। ନଗଦ ଆକାରରେ ନଚେତ ଅନ୍ଲାଇନ ଜରିଆରେ ଟଙ୍କା ସଂଗ୍ରହ ହୋଇଥାଏ।
ବର୍ତ୍ତମାନ ସୁଦ୍ଧା ଏଭଳି ଅର୍ଥ କାରବାର ହୋଇଥିବା ୧୮ଟି ବ୍ୟାଙ୍କ ଆକାଉଣ୍ଟକୁ ଜବତ କରାଯାଇଛି। ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେବଳ ଏତିକି ନୁହେଁ, ଅନ୍ତେବାସୀଙ୍କ ସମ୍ପର୍କୀୟମାନେ ତମାଖୁ, ସିଗାରେଟ ଏବଂ ଅନ୍ୟାନ୍ୟ ଉତ୍ପାଦ ଅନ୍ତେବାସୀଙ୍କ ନିକଟରେ ପହଞ୍ଚାଇବାକୁ ବି ମୋଟା ଅଙ୍କର ଅର୍ଥ ଦେଇଥାନ୍ତି। ଗୋଟିଏ ପ୍ୟାକେଟ ସିଗାରେଟ ପାଇଁ ୧୨ରୁ ୧୫ ହଜାର ଏବଂ ଏକ ପ୍ୟାକେଟ ତମାଖୁ ପାଇଁ ୩୦୦ରୁ ୫୦୦ ଟଙ୍କା ଲାଞ୍ଚ ଦେଇଥାନ୍ତି। ଆଣ୍ଟି କରପ୍ସନ ବ୍ୟୁରୋ ଏହି ରାକେଟ୍ର ପର୍ଦ୍ଦାଫାଶ କରିଛି। ବର୍ତ୍ତମାନ ସୁଦ୍ଧା ରାକେଟରେ ସମ୍ପୃକ୍ତ ୧୨ ଜଣଙ୍କୁ ଗିରଫ କରାଯାଇ ସାରିଛି। ଗତ ସପ୍ତାହରେ ଜଣେ ପୂର୍ବତନ ଜେଲରଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପୂର୍ବତନ ଜେଲର ଯଶୱନ୍ତ ସିଂହ ଏବଂ ମଧ୍ୟସ୍ଥ ରାଜେନ୍ଦ୍ର ଚୌଧୁରୀ, ଅନୀଲ ଚୌଧୁରୀ ଏବଂ ସିତାରାମ।



