ଜୁନ୍‍ ୧୦ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ !

0

ଭୁବନେଶ୍ୱର/ନୂଆଦିଲ୍ଲୀ : ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍‍ ୧୦ ସୁଦ୍ଧା ଓଡ଼ିଶା ସ୍ପର୍ଷ କରିବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମ୍‍ଡି) ପୂର୍ବାନୁମାନ କରିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ କହିଛି। ମୌସୁମୀ ଆଗୁଆ ପହଞ୍ଚିବ ଏବଂ ସ୍ୱଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିଲା । ଏହି କ୍ରମରେ ମୌସୁମୀ ପ୍ରାୟ ସପ୍ତାହେ ପୂର୍ବରୁ କେରଳ ଛୁଇଁବ। ଜୁନ୍‍ ୧୦ ସୁଦ୍ଧା ମୌସୁମୀ ଓଡ଼ିଶାରେ ପହଞ୍ଚିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଡ.ଶରତ ଚନ୍ଦ୍ର ସାହୁ କହିଛନ୍ତି। ସେ କହିଛନ୍ତି ଯେ ଗତ ଶୁକ୍ରବାର ଦକ୍ଷିଣ ପଶ୍ଚିମ ମୌସୁମୀ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିଛି। ଫଳରେ ଶନିବାର ସକାଳୁ ଦକ୍ଷିଣ ପୂର୍ବ ବଙ୍ଗେପସାଗରରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି ଓ ଦକ୍ଷିଣ ପୂର୍ବ ବଙ୍ଗେପସାଗର ଆକାଶରେ ବାଦଲ ଖଣ୍ଡ ଭାସୁଥିବା ଦେଖାଯାଉଛି। ପାଗ ଅନୁକୂଳ ରହିଲେ ଜୁନ୍‍ ୧୦ ସୁଦ୍ଧା ମୌସୁମୀ ଓଡ଼ିଶାରେ ପହଞ୍ଚିବ। ଏଥିପାଇଁ ଲୋକଙ୍କୁ ଆଉ ମାତ୍ର ଦୁଇ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ। ଏହାପରେ ଲୋକଙ୍କୁ ପ୍ରଚଣ୍ଡ ରୌଦ୍ରତାପରୁ ଆଶ୍ୱସ୍ତି ମିଳିବ। ତେବେ ଓଡ଼ିଶାରେ ଜୁନ୍‍ ୩ରୁ ପ୍ରାକ୍‍ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହାବାଦ୍‍ ଉତ୍ତର-ପଶ୍ଚିମ କାଳବୈଶାଖୀ ଯୋଗୁଁ ମଧ୍ୟ ଓଡ଼ିଶାରେ ଜୁନ୍‍ ପ୍ରଥମ ସପ୍ତାହରେ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply