ରାଜ୍ୟରେ ଭାଙ୍ଗିଲା ୧୪୪୩ ବେଆଇନ ମଦ ଭାଟି, ୧୯୫୭ ଜଣ ଗିରଫ
ଭୁବନେଶ୍ୱର : ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଚଢ଼ାଉ ଅଭିଯାନ ଆଜିବି ଜାରି ରହିଛି । ଦୀର୍ଘ ୧୫ ଦିନ ଧରି ଚାଲିଥିବା ଏହି ଚଢ଼ାଉ ସମଗ୍ର ରାଜ୍ୟରେ ଦୀର୍ଘତମ ତଥା ସର୍ବବୃହତ ଚଢ଼ାଉ ଅଭିଯାନ ବୋଲି ବିବେଚନା କରାଯାଉଛି । ଏହି କ୍ରମରେ ସମଗ୍ର ରାଜ୍ୟର ୧୪୪୩ଟି ବେଆଇନ ମଦ ଭାଟିକୁ ଭାଙ୍ଗି ନଷ୍ଟ କରାଯିବା ସହ ପାଖାପାଖି ୧୦ ଟିରୁ ଉର୍ଦ୍ଧ ଭାଟିକୁ ବୁଲଡୋଜର ଯୋଗେ ସମ୍ପୂର୍ଣ୍ଣ ରୂପେ ଧୂଳିସାତ କରାଯାଇଛି । ଏଥିମଧ୍ୟରୁ କେବଳ ରାଜଧାନୀର ୫୧ ଟି ବେଆଇନ ମଦ ଭାଟିକୁ ନଷ୍ଟ କରାଯାଇଛି ।
ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ବେଆଇନ ମଦ କାରବାର ନେଇ ୩୬୧୮ ଟି ମାମଲା ରୁଜୁ ହେବା ସହିତ ୧୫୧୯ ସ୍ଥାନରେ ଚଢ଼ାଉ କରାଯାଇ ୧୯୫୭ ଜଣକୁ ଗିରଫ କରାଯାଇଛି । ଏହି କ୍ରମରେ ୧ ଲକ୍ଷ ୮୩ ହଜାର ୬୬୯ ଲିଟର ବେଆଇନ ମଦ ଏବଂ ୧୭ ଲକ୍ଷ ୨୬ ହଜାର ୫୦୯ କେଜି ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି । ଏଥି ସହ ବେଆଇନ କାର୍ଯ୍ୟରେ ବ୍ୟବହୃତ ୧୮୩ ଟି ଗାଡିକୁ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଛି ।
Comments are closed.