ଆଇଆଇଟି ବମ୍ବେର ପୂର୍ବତନ ଛାତ୍ର ଟ୍ୱିଟରର ନୂଆ ସିଇଓ

ନ୍ୟୁୟର୍କ: ଆଇଆଇଟି ବମ୍ବେର ପୂର୍ବତନ ଛାତ୍ର ପରାଗ ଅଗ୍ରୱାଲଙ୍କୁ ଆମେରିକୀୟ କମ୍ପାନୀ ଟ୍ୱିଟରର ନୂଆ ସିଇଓ ଭାବରେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ଏହି ସୋସିଆଲ ନେଟୱର୍କିଂ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଥିବା ଜ୍ୟାକ ଡୋର୍ସି ତାଙ୍କ ପଦବୀରୁ ଓହରି ଯିବା ପରେ ପରାଗଙ୍କୁ ଉକ୍ତ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ଟ୍ୱିଟରରେ ପରାଗଙ୍କର ୧୦ ବର୍ଷର ଅଭିଜ୍ଞତା ରହିଛି । ପରାଗଙ୍କୁ ସିଇଓ ଭାବରେ ନିଯୁକ୍ତି ବିଷୟ ଘୋଷଣା କରାଯିବା ପରେ ଷ୍ଟକ ବଜାରରେ ଟ୍ୱିଟରର ସେୟାର ମୂଲ୍ୟ ୧୦% ବୃଦ୍ଧି ପାଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ଡୋର୍ସି ୨୦୦୬ରେ ଟ୍ୱିଟରର ସହପ୍ରତିଷ୍ଠାତା ଥିଲେ । ଇତିମଧ୍ୟରେ ପରାଗ ଅଗ୍ରୱାଲ ଟ୍ୱିଟରର ସମସ୍ତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରି କହିଛନ୍ତି ଯେ କମ୍ପାନୀ ନିକଟରେ ଏହାର ନୂଆ ଆକାଂକ୍ଷିିତ ଲକ୍ଷ୍ୟ ସ୍ଥିର କରିଛି ଏବଂ ତାହା ହାସଲ କରିବାକୁ ଏହା ମଜଭୁତ ଓ ସଠିକ କୌଶଳ ଅବଲମ୍ବନ କରିବା ନେଇ ସେ ପୂର୍ଣ୍ଣ ଆଶାବାଦୀ ଅଛନ୍ତି । ସୂଚନାଯୋଗ୍ୟ ଯେ ବିଗତ ବର୍ଷଗୁଡିକରେ ଟ୍ୱିଟର ଅନେକ ସମାଲୋଚନାର ଶିକାର ହେବା ସହିତ ଏହାର ଦୈନନ୍ଦିନ ଭିତ୍ତିରେ ୨୧୧ ନିୟୁତରୁ ଅଧିକ ବ୍ୟବହାରକାରୀଙ୍କ ପାଇଁ ନୂଆ ବୈଶିଷ୍ଟ୍ୟ ପ୍ରଚଳନ କରିବାରେ ମନ୍ଥର ଗତିରେ ଅଗ୍ରସର ହେଉଥିବା ଅଭିଯୋଗ ହୋଇଆସୁଥିଲା । ସେଥିପାଇଁ ଏହା ତାହାର ପ୍ରତିଦ୍ୱନ୍ଦ୍ୱୀ ଇନଷ୍ଟାଗ୍ରାମ ଏବଂ ଟିକଟକ ନିକଟରେ ନିଜର ସ୍ଥିତି ଦୁର୍ବଳ ମନେ କରୁଥିଲା । ତେବେ ଡୋର୍ସିଙ୍କ ନେତୃତ୍ୱରେ ଏହା ଇମେଲ୍‍ ନ୍ୟୁଜଲେଟର ସେବା ରେଭ୍ୟୁ ଅଧିଗ୍ରହଣ କରିବା ସହିତ ସ୍ପେଶେସ୍‍ ନାମରେ ଏକ ନୂଆ ବୈଶିଷ୍ଟ୍ୟ ପ୍ରଚଳନ କରିଥିଲା, ଯାହା ବ୍ୟବହାରକାରୀଙ୍କୁ ସିଧା ଅଡିଓ କଥାବାର୍ତ୍ତା ଶୁଣିବା ସୁଯୋଗ ଯୋଗାଇ ଦେଉଥିଲା । ଏହାସତ୍ତ୍ୱେ ଟ୍ୱିଟରକୁ ଯେଉଁଭଳି ସଫଳତା ମିଳିବା କଥା ତାହା ମିଳିପାରିନଥିଲା । ପରାଗଙ୍କ ନେତୃତ୍ୱରେ ଟ୍ୱିଟର ଅଧିକ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚିବା ସହିତ ତାହାର ସ୍ଥିତି ସୁଦୃଢ କରିପାରିବ ବୋଲି ଡୋର୍ସି କହିଛନ୍ତି ।

kalyan agarbati

Comments are closed.