www.samajalive.in
Friday, December 5, 2025
17.1 C
Bhubaneswar

ଏକଜିଟ ପେଲ ସତ୍ୟ ହେଲେ ପ୍ରଭାବିତ ହେବ “ବ୍ରାଣ୍ଡ ମୋଦୀ’

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ଏକଜିଟ ପୋଲକୁ ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହାକୁ ନେଇ ସମଗ୍ର ଦେଶର ରାଜନୀତି ଚଳଚଞ୍ଚଳ ହୋଇ ପଡ଼ିଛି। ଏକଜିଟ ପୋଲର ରିପୋର୍ଟକୁ ଭିତ୍ତି କରି ରାଜସ୍ଥାନର କଂଗ୍ରେସ ଶିବିରରେ ଉନ୍ମାଦନା ଦେଖାଦେଇଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ କଂଗ୍ରେସ ଆଗରେ ରହିଛି। ଯଦି ଏକଜିଟ ପୋଲର ଆକଳନ ସତ୍ୟ ପ୍ରମାଣିତ ହୁଏ ତେବେ ୨୦୧୯ସାଧାରଣ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ନିଶ୍ଚିତ। ଛତିଶଗଡ଼ରେ ଜିତିବ ବୋଲି ବିଜେପି ଯେଉଁ ପ୍ରଚାର କରୁଥିଲା ଏକଜିଟ ପୋଲ ସେଥିରେ ମଧ୍ୟ ପାଣି ପକାଇ ଦେଇଛି। ଛତିଶଗଡ଼ରେ କଂଗ୍ରେସଠାରୁ ବିଜେପି ଗୋଟିଏ ଆସନରେ ପଛେଇ ରହିଥିବା ରିପୋର୍ଟ ଦର୍ଶାଇଛି।
ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ କାର୍ଯ୍ୟକାରିତାକୁ ନେଇ ଏମିତିରେ ଦଳ ମଧ୍ୟରେ ଅସନ୍ତୋଷ ରହିଛି। ଦଳୀୟ ଟିକଟ ବଣ୍ଟନ ହେଉ କିମ୍ବା ପ୍ରଦେଶ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ହେଉ ବସୁନ୍ଧରାଙ୍କ ହସ୍ତକ୍ଷେପ ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା। ବସୁନ୍ଧରାଙ୍କ ଏଭଳି ନେତୃତ୍ୱ ଦଳର ବରିଷ୍ଠ ନେତା ମାନବେନ୍ଦ ସିଂହଙ୍କ ସମେତ ଏକାଧିକ ନେତାଙ୍କୁ କ୍ଷୁବ୍ଧ କରିଥିଲା। ଯଦି ରାଜସ୍ଥାନରେ ଦଳ ହାରିବ ତେବେ ନିଶ୍ଚିତ ଭାବେ ବସୁନ୍ଧରାଙ୍କ ଭାବମୂର୍ତ୍ତି ପ୍ରଭାବିତ ହେବ।
ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଆସିଲେ ସାମ୍ନାକୁ ଆସୁଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକାଧିକ ଲୋକ ଲୋଭନୀୟ ଯୋଜନାର ଘୋଷଣା ହେବାର ସମ୍ଭାବନା ରହିଛି। ସେଗୁଡ଼ିକ ମଧ୍ୟରୁ ଚାଷୀଙ୍କୁ ଋଣ ଛାଡ଼ ସବୁଠାରୁ ଆଗରେ ରହିଛି। ଚାଷୀଙ୍କୁ ଋଣ ଛାଡ଼ କରିବା ପାଇଁ ରାହୁଲ ଗାନ୍ଧି ଏକାଧିକ ନିର୍ବାଚନ ପ୍ରଚାର ମଞ୍ଚରେ ପୂର୍ବରୁ ଘୋଷଣା କରିଛନ୍ତି। ଯଦି ବାସ୍ତବରେ ଦଳ ଏସବୁ ପୂରଣ କରିଦିଏ ତେବେ ଏହାର ପ୍ରଭାବ ୨୦୧୯ସାଧାରଣ ନିର୍ବାଚନରେ ବିଜେପି ଉପରେ ପଡ଼ିବ।
ସବୁଠାରୁ ଉଲ୍ଲେଖନୀୟ ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ସତ୍ୟ ପ୍ରମାଣିତ ହେଲେ ଦୀର୍ଘ ବର୍ଷ ଧରି ସଂଘର୍ଷ କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ରାଜନୈତିକ ଛବି ଉଜ୍ଜଳ ହେବ ଏଥିରେ ସନ୍ଦେହ ନାହିଁ। ହିନ୍ଦୀ ଭାଷୀ ରାଜ୍ୟରେ ଆଞ୍ଚଳିକ ଦଳଠାରୁ ଖରାପ ସ୍ଥିତିରେ ଥିବା କଂଗ୍ରେସ ନିଜ ସ୍ଥିତି ସୁଧାରି ପାରିବ। ୨୦୧୯ସାଧାରଣ ନିର୍ବାଚନରେ ରାହୁଲ ଅଧିକ ଆକ୍ରମଣାତ୍ମକ ଭାବେ ବିଜେପିର ସାମ୍ନା କରିବା ସହ କଂଗ୍ରେସ ପ୍ରତି ଲୋକଙ୍କ ଧାରଣାରେ ପରିବର୍ତ୍ତନ ହେବ ଏଥିରେ ସନ୍ଦେହ ନାହିଁ।
ଏହା ବ୍ୟତୀତ ଏକଜିଟ ପୋଲର ଆକଳନ ସତ୍ୟ ପ୍ରମାଣିତ ହେଲେ ସବୁଠାରୁ ବେଶୀ କ୍ଷତି “ମୋଦୀ ବ୍ରାଣ୍ଡ’ ଉପରେ ପଡ଼ିବ ଏଥିରେ ସନ୍ଦେହ ନାହିଁ। ଏହି ବ୍ରାଣ୍ଡକୁ ବ୍ୟବହାର କରି ବିଜେପି ୨୦୧୪ରୁ ନିଜ ବିଜୟ ପଥ ସଂମ୍ପ୍ରସାରିତ କରି ଆସିଛି। ଦଳକୁ ଭିନ୍ନ ଏକ ରଣନୀତି ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ବିଜେପିକୁ ହୁଏତ ମୋଦୀ ବ୍ରାଣ୍ଡ ପରିବର୍ତ୍ତେ ଭିନ୍ନ ରଣକୌଶଳ ଆପଣେଇବାକୁ ପଡ଼ିବ। ଏହା ଛଡ଼ା ପ୍ରମୁଖ ୩ଟି ରାଜ୍ୟରେ କଂଗ୍ରେସର ବିଜୟ ପରେ ଏକାଧିକ ଆଞ୍ଚଳିକ ଦଳ କଂଗ୍ରେସ ସହ ମେଣ୍ଟ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ସେହିପରି ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଓ ଅଜୀତ ଯୋଗୀଙ୍କ ଦଳକୁ ମେଣ୍ଟ ପାଇଁ ହୁଏତ କଂଗ୍ରେସ ନଚେତ ବିଜେପି ସହ ସାମିଲ ହେବାକୁ ପଡ଼ିବ।
ତେଲେଙ୍ଗାନା ରାଜନୀତିରେ ଟିଆରଏସ ବିଜୟୀ ହେବାକୁ ଯାଉଥିବା ସର୍ଭେରେ ଆକଳନ କରାଯାଇଛି। ଉକ୍ତ ରାଜ୍ୟରେ ବିଜେପିକୁ ଗୋଟିଏ ମାତ୍ର ଆସନ ମିଳି ନାହିଁ। ଅପରପକ୍ଷରେ ଟିଡିପି ସହ ମିଶି କଂଗ୍ରେସର ପ୍ରାକ୍‍ ନିର୍ବାଚନ ରଣନୀତି ଭୁଲ ଥିଲା ବୋଲି ପ୍ରମାଣିତ ହେଉଛି। ଏଭଳି ପରିସ୍ଥିତିରେ ମୋଦୀ ପ୍ରବାହ ଓ ମୋଦୀ ବ୍ରାଣ୍ଡକୁ ନେଇ ବିଜେପି ଯେଉଁ ପ୍ରଚାର ଲଚାଇଛି ତାହାର ପ୍ରଭାବକୁ ନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି।
ସେହିପରି ମିଜୋରମରେ ଏମଏନଏଫ ହାତରେ ସରକାର ହେବାର ଆକଳନ କରାଯାଉଛି। ଏହି ରାଜ୍ୟରେ ମଧ୍ୟ ବିଜେପିକୁ ଗୋଟିଏ ହେଲେ ଆସନ ମିଳି ନଥିବାବେଳେ କଂଗ୍ରେସର ଲୋକପ୍ରିୟତା ଉକ୍ତ ରାଜ୍ୟରେ କ୍ରମଶଃ କମୁଥିବା ସ୍ପଷ୍ଟ ପରିଲକ୍ଷୀତ ହେଉଛି। ତେଣୁ ଏକଜିଟି ପୋଲ ସତ୍ୟ ପ୍ରମାଣିତ ହେଲେ ୨୦୧୯ରେ ବିଜେପି ହୁଏତ ବ୍ରାଣ୍ଡ ବିଜେପିକୁ ପରିବର୍ତ୍ତିତ କରି ଅନ୍ୟ କୌଣସି ପ୍ରସଙ୍ଗକୁ ରାଜନୈତିକ ଅସ୍ତ୍ର ଭାବେ ଗ୍ରହଣ କରିବାର ସମ୍ଭାବନା ଦେଖା ଦେଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories