ଆଇସିସି ଟେଷ୍ଟ ମାନ୍ୟତା, ଜାଡ଼େଜା ୨ନଂ ଅଲ୍ରାଉଣ୍ଡର
![](https://samajalive.in/wp-content/uploads/2019/02/ravindra-jadeja.jpg)
ଦୁବାଇ: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ଘୋଷିତ ଟେଷ୍ଟ ଅଲ୍ରାଉଣ୍ଡର ତାଲିକାରେ ଭାରତର ରବୀନ୍ଦ୍ର ଜାଡ଼େଜା ୨ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି କ୍ରମରେ ବାମହାତି ସ୍ପିନର ଓ ତଳ ଅର୍ଡର ବ୍ୟାଟ୍ସମ୍ୟାନ୍ ଜାଡ଼େଜା ଇଂଲଣ୍ଡର ବରିଷ୍ଠ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ପଛରେ ପକାଇ ଦେଇଛନ୍ତି। ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜେସନ୍ ହୋଲ୍ଡର ଅଲ୍ରାଉଣ୍ଡର ତାଲିକାର ଶୀର୍ଷରେ ରହିଛନ୍ତି।
ଜାଡ଼େଜା ୩୮୬ ପଏଣ୍ଟ ପାଇଛନ୍ତି; ଯାହା ହୋଲ୍ଡରଙ୍କ ରାଙ୍କିଙ୍ଗ୍ ପଏଣ୍ଟଠାରୁ ୩୭ କମ୍। ଗତ ଆଇପିଏଲରେ ଆହତ ହୋଇଥିବା ଷ୍ଟୋକ୍ସ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍ ଖେଳୁନାହାନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆରେ ଆହତ ହୋଇଥିବା ଜାଡ଼େଜା ପରେ ଇଂଲଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍ ମଧ୍ୟ ଖେଳିନଥିଲେ। ହୋଲ୍ଡର, ଜାଡ଼େଜା ଓ ଷ୍ଟୋକ୍ସଙ୍କ ପଛକୁ ୪ର୍ଥ ସ୍ଥାନରେ ରହିଛନ୍ତି ଭାରତର ରବିଚନ୍ଦ୍ରନ୍ ଅଶ୍ୱିନ। ଇଂଲଣ୍ଡ ବିପକ୍ଷରେ ଉଭୟ ବ୍ୟାଟ୍ ଓ ବଲରେ ଚମତ୍କାର ପ୍ରଦର୍ଶନ କରି ଅଶ୍ୱିନ ଟେଷ୍ଟ ମାନ୍ୟତାରେ ଉପରକୁ ଉଠିଛନ୍ତି। ୫ମ ସ୍ଥାନରେ ସାକିବ୍ ଅଲ୍ ହାସନ୍, ୬ଷ୍ଠ ସ୍ଥାନରେ ନ୍ୟୁଜିଲାଣ୍ଡର କାଏଲ୍ ଜେମିସନ୍, ୭ମ ଓ ୮ମ ସ୍ଥାନରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କମିନ୍ସ, ୯ମ ସ୍ଥାନରେ ନ୍ୟୁଜିଲାଣ୍ଡର କଲିନ୍ ଡି ଗ୍ରାଣ୍ଡହୋମ୍ ଓ ୧୦ମ ସ୍ଥାନରେ ଇଂଲଣ୍ଡର କ୍ରିସ୍ ୱକ୍ସ ରହିଛନ୍ତି। ଦିନିକିଆ ବ୍ୟାଟିଂ ମାନ୍ୟତା ତାଲିକାରେ ଭାରତର ରୋହିତ ଶର୍ମା ନ୍ୟୁଜିଲାଣ୍ଡର ବାମହାତି ହେନ୍ରି ନିକୋଲ୍ସଙ୍କୁ ପଛରେ ପକାଇ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।
ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଶୀର୍ଷ-୧୦ରେ ୩ ଜଣ ଭାରତୀୟ ଅଛନ୍ତି। ଅଧିନାୟକ ବିରାଟ କୋହଲି ପୂର୍ବପରି ୫ମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଋଷଭ ପନ୍ତ୍ ଷଷ୍ଠ ଓ ରୋହିତ ୭ମ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମ୍ସନ ଶୀର୍ଷରେ ଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଓ ମାର୍ନସ ଲାବୁସେନ୍ ୨ୟ ଓ ୩ୟ ଏବଂ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ୪ର୍ଥ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୬ଟି ୱିକେଟ ନେଇଥିବା ନ୍ୟୁଜିଲାଣ୍ଡର ପେସ୍ ବୋଲର ଟିମ୍ ସାଉଦି ୩ଟି ସ୍ଥାନର ଉନ୍ନତି ଘଟାଇ ୩ୟ ସ୍ଥାନରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ପ୍ରଥମ ଓ ଭାରତର ରବିଚନ୍ଦ୍ରନ ଅଶ୍ୱିନ ୨ୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଜୋସ୍ ହାଜେଲଉଡ୍ ୪ର୍ଥ ଓ ନ୍ୟୁଜିଲାଣ୍ଡର ନିଲ୍ ୱାଗ୍ନର ୫ମ ସ୍ଥାନରେ ରହିଛନ୍ତି।
Comments are closed.