ନୂଆଦିଲ୍ଲୀ : ଦେଶରେ ଅନେକ (ନ୍ୟୁଜ୍) ସମ୍ବାଦ ଚ୍ୟାନେଲ୍ ରହିଛି କିନ୍ତୁ ବିଶ୍ୱାସ ଯୋଗ୍ୟ ସମ୍ବାଦ ପାଇଁ ଲୋକମାନେ ଦୂରଦର୍ଶନର ସମ୍ବାଦ ଦେଖୁଛନ୍ତି । ଦୂରଦର୍ଶନ ବିଶ୍ୱାସ ଯୋଗ୍ୟ ସମ୍ବାଦ ପ୍ରସାରଣ କରିଥାଏ ଏବଂ ଅତିରଞ୍ଜିତ ସମ୍ବାଦ ପ୍ରସାରଣ କରିନଥାଏ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ।
ଏହି କାରଣରୁ କାଶ୍ମୀର ଓ ଦେଶର ଅନ୍ୟ ଅଞ୍ଚଳରେ ବିଭିନ୍ନ ଭାଷାର ସମ୍ବାଦ ଚ୍ୟାନେଲ୍ ଗୁଡ଼ିକରେ ପ୍ରସାରିତ ଅତିରଞ୍ଜିତ ସମ୍ବାଦକୁ
ଲୋକମାନେ ପସନ୍ଦ କରୁନାହାନ୍ତି ଏବଂ ଦୂରଦର୍ଶନ ସମ୍ବାଦ ଉପରେ ନିର୍ଭର କରୁଛନ୍ତି । ନୂଆଦିଲ୍ଲୀରେ ଦୂରଦର୍ଶନର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ଉଦବୋଧନ ଦେଇ ଶ୍ରୀ ଜାଭଡେକର କହିଛନ୍ତି, ୬୦ବର୍ଷ ପୂର୍ବେ ଟେଲିଭିଜନ୍ ଜରିଆରେ ଆରମ୍ଭ ହୋଇଥିବା ଦୂରଦର୍ଶନ ଚ୍ୟାନେଲ୍ ଏବେ ମୋବାଇଲ୍ ଫୋନ୍ଗୁଡ଼ିକ ଜରିଆରେ ଲୋକମାନଙ୍କ ପାଇଁ ଉପଲବ୍ଧ ହେଉଛି । ଏହି ଉତ୍ସବ ଅବସରରେ ଶ୍ରୀ ଜାଭଡେକର ଏକ ସ୍ମାରକୀ ଡାକଟିକେଟ୍ ଉନ୍ମୋଚନ କରିବା ସଙ୍ଗେ ସଙ୍ଗେ ଦୂରଦର୍ଶନର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ପୁସ୍ତିକା ମଧ୍ୟ ଉନ୍ମୋଚନ କରିଛନ୍ତି।



