କୋରାପୁଟ-ମାଲକାନଗିରି ସୀମାନ୍ତରେ ବାର୍ଷିକ ଶହେ କୋଟିର ଗଞ୍ଜେଇ ଚାଷ : ଚେର ନ ଓପାଡ଼ି ଡାଳ କାଟୁଛି ପୁଲିସ

ଲମତାପୁଟ : ଅବିଭକ୍ତ କୋରାପୁଟ ଜିଲା ମଲକାନଗିରି ଓ କୋରାପୁଟ ଜିଲା ସୀମାନ୍ତ ଅଞ୍ଚଳ ମାଓବାଦୀଙ୍କ ଅଭେଦ୍ୟ ଦୁର୍ଗ ହିସାବରେ ପରିଚିତ ଥିବାବେଳେ ଏହି ସବୁ ଅଞ୍ଚଳରେ ମାଓବାଦୀଙ୍କୁ ଢାଲ କରି ବ୍ୟାପକ ଗଞ୍ଜେଇ ଚାଷ ଚାଲିଛି। ଅର୍ଥାତ ଲାଲଗଡ଼ ଏବେ ଗ୍ରୀନ୍‍ କରିଡର ପାଲଟିଛି। ଏହି ସୀମାନ୍ତ ଅଞ୍ଚଳରେ ବାର୍ଷିକ ପାଖାପାଖି ଶହେ କୋଟି ଟଙ୍କାର ଗଞ୍ଜେଇ ଚାଷ ହେଉଥିବା ବେଳେ ପୁଲିସ ଓ ଅବକାରୀ ବିଭାଗ ଗଞ୍ଜେଇ ଚେର ନ ଉପାଡ଼ି କେବଳ ଡାଳ କାଟୁଥିବା ଅଭିଯୋଗ ହେଉଛି। ଗଞ୍ଜେଇ ଚାଷର ମୂଳୋତ୍ପାଟନ ନ କରି କେବଳ ରାସ୍ତାଘାଟରେ ଚଢ଼ଉ କରି ଜବତ କରାଯାଉଥିବାରୁ ଚାଷୀ ଏଭଳି ଭୟଙ୍କର ଅପରାଧରୁ ଦୂରେଇ ରହିବା ପରିବର୍ତ୍ତେ ପ୍ରୋତ୍ସାହିତ ହେଉଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ କୋରାପୁଟ-ମାଲକାନଗିରି ସୀମାନ୍ତ ଲମତାପୁଟ ଏବେ ଗଞ୍ଜେଇ ଚାଷୀଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଆକଳନ ଅନୁଯାୟୀ ଏହି ଅଞ୍ଚଳର ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଚାଷ ହେଉଥିବା ବେଳେ ଅବକାରୀ ବିଭାଗ, ପୁଲିସ ଏବଂ ପ୍ରଶାସନ ସବୁ ଜାଣି ମଧ୍ୟ ନୀରବତା ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି। ଦୁର୍ଗମ ଉପାନ୍ତ ଓ ମାଓପ୍ରବଣ ଅଞ୍ଚଳର ଆଳ ଦେଖାଇ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉ ନ ଥିବା ବେଳେ ପ୍ରଶାସନର ଏହି ନିଷ୍କ୍ରିୟତାର ସୁଯୋଗ ନେଇ ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଛତିଶଗଡ ପ୍ରଭୃତି ଅଞ୍ଚଳରୁ ଗଞ୍ଜେଇ ବ୍ୟବସାୟୀ ଆସି ଅଞ୍ଚଳବାସୀଙ୍କୁ ଗଞ୍ଜେଇ ଚାଷ ନିମନ୍ତେ ପ୍ରୋତ୍ସାହନ ଯୋଗାଇବା ସହ ଚାଷ ପାଇଁ ଅଗ୍ରୀମ ଅର୍ଥ ପ୍ରଦାନ କରି ଉନ୍ନତମାନର ବିହନ ଓ ସାର ଯୋଗାଇ ଦେଉଛନ୍ତି।

prayash

ଅଞ୍ଚଳବାସୀ ଗଞ୍ଜେଇ ବ୍ୟବସାୟୀଙ୍କ ପ୍ରଲୋଭନରେ ପଡ଼ି ଏଭଳି ବେଆଇନ ଚାଷ ପ୍ରତି ବେଶ ଆକୃଷ୍ଟ ହେଉଛନ୍ତି। କମ୍‌ ପରିଶ୍ରମ ଏବଂ ଅଳ୍ପଦିନ ମଧ୍ୟରେ ଗଞ୍ଜେଇ ଅମଳ ହୋଇ ଲଭବାନ ହେଉଥିବାରୁ ଆଦିବାସୀ ନିଜର ପାରମ୍ପରିକ ଚାଷ ମାଣ୍ଡିଆ, ସୁଆ, ଧାନ ଆଦି ଚାଷ କରିବା ବଦଳରେ ଏବେ ଗଞ୍ଜେଇ ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି। କୋରାପୁଟ-ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ବାଲେଲ, ବାଦିଗଡ଼, ଗୋଡ଼ିହଞ୍ଜର, ଜାଲାପୁଟ, ବଡଡୁରାଲ, ମୁଦୁଲିପଡ଼ା, ପଣସପୁଟ, ଜଡ଼ାଆମ୍ବ, ଯନ୍ତ୍ରୀ ଆଦି ବିଭିନ୍ନ ପଞ୍ଚାୟତରେ ଏବେ ଶହ ଶହ ହେକ୍ଟର ଜମିରେ ଗଞ୍ଜେଇ ଚାଷ କରାଯାଉଛି। ଏହି ଅଞ୍ଚଳର ଜଳବାୟୁ ଶିଳାବତି ଗଞ୍ଜେଇ ଚାଷ ପାଇଁ ବେଶ ଅନୁକୂଳ ହେଉଥିବାରୁ ମାସକ ମଧ୍ୟରେ ଗଞ୍ଜେଇ ଗଛ ପରିପକ୍ୱ ହୋଇଥାଏ ଏବଂ ଏହାର ପତ୍ର ମାଧ୍ୟମରେ ଗଞ୍ଜେଇ ପ୍ରସ୍ତୁତି କରାଯାଇଥାଏ। ଅନ୍ୟପକ୍ଷରେ ପୁଲିସ କେବଳ କାଁ ଭାଁ ଗୋଟିଏ ଦୁଇଟି ଗାଡ଼ି ଜବତ କରି ଗଞ୍ଜେଇ ଚାଷକୁ ପ୍ରତିରୋଧ କରି ବେଆଇନ ଗଞ୍ଜେଇ ଚାଲାଣ ରୋକିବାରେ ସଫଳତା ହାସଲ କରୁଥିବା ଡିଣ୍ଡିମ ପିଟୁଛି। କୌଣସି ବ୍ୟବସାୟୀ ଯଦି ପୁଲିସକୁ ଅକ୍ତିଆର କରିପାରିଲେ ତା’ହେଲେ ସେ ପାର ହୋଇଥାନ୍ତି ନଚେତ ପୁଲିସ ହାତରେ ଧରାପଡ଼ୁଛନ୍ତି। କିଛିଦିନ ପୂୂର୍ବେ ମାଲକାନଗିରି ଜିଲାରେ ଚୋରା ଗଞ୍ଜେଇ ଚାଲାଣରେ ସହଯୋଗ କରୁଥିବା ଅଭିଯୋଗରେ ଜଣେ ଏସଆଇ ଗିରଫ ହୋଇଥିବା ବେଳେ ଖଇରପୁଟ ଥାନା ଅଧିକାରୀଙ୍କ ନାମରେ ମଧ୍ୟ ଏକ ମୋକଦ୍ଦମା ରୁଜୁ ହୋଇଥିଲା।

ସରକାର ଏବଂ ପ୍ରଶାସନ କେବଳ ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ରୋକିବାରେ ବ୍ୟସ୍ତ ଥିବାବେଳେ ଗଞ୍ଜେଇ ଚାଷୀ କିନ୍ତୁ ନଜର ଆଢ଼ୁଆଳରେ ରହିଯାଉଛନ୍ତି। ବେଆଇନ ଗଞ୍ଜେଇ ଚାଷ ରୋକିବା ନେଇ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଉ ନାହିଁ କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତ୍ତମାନଠାରୁ ଯଦି ଜିଲା ପ୍ରଶାସନ, ପୁଲିସ ଓ ଅବକାରୀ ବିଭାଗ ଗଞ୍ଜେଇ ଚାଷକୁ ରୋକିବାରେ କୌଣସି ପଦକ୍ଷେପ ନ ନିଅନ୍ତି ତା’ହେଲେ ଆଗାମୀଦିନରେ ଏହି ଅଞ୍ଚଳରୁ ପାରମ୍ପରିକ ଚାଷ ପଦ୍ଧତି ଦୂରେଇଯିବ ଓ ଅଞ୍ଚଳବାସୀ କେବଳ ଗଞ୍ଜେଇ ଚାଷୀ ପାଲଟିଯିବେ ବୋଲି ଆଶଙ୍କା ପ୍ରକାଶ ପାଉଛି। ବେଳ ଥାଉଁଣୁ ସରକାର ଗଞ୍ଜେଇ ଚାଷକୁ ମୂଳୋତ୍ପାଟନ କରି ଆଦିବାସୀଙ୍କୁ ଏହି ବେଆଇନ ଚାଷରୁ ନିବୃତ୍ତ ରହିବାକୁ ସଚେତନ କରାଇବା ସହ ପାରମ୍ପରିକ ଜୈବିକପଦ୍ଧତି ମାଧ୍ୟମରେ ଚାଷ ପ୍ରତି ଆକୃଷ୍ଟ କରିବା ଜରୁରୀ ବୋଲି ଚର୍ଚ୍ଚା ହେଉଛି। ଏନେଇ ନନ୍ଦପୁର ଏସଡିପିଓ ସଞ୍ଜୟକୁମାର ମହାପାତ୍ରଙ୍କ ପ୍ରତିକ୍ରିୟା ନେବାରୁ ଅବକାରୀ ବିଭାଗ, ପୁଲିସ ବିଭାଗ ଓ ଜଙ୍ଗଲ ବିଭାଗର ମିଳିତ ଅପରେସନ ଆରମ୍ଭ ହେବ। ସେହି ସମୟରେ ଗଞ୍ଜେଇ ଚାଷ ନଷ୍ଟ କରାଯିବ, ଗଞ୍ଜେଇ ଚାଷୀଙ୍କୁ ରୋକିବା ପାଇଁ ସେମାନଙ୍କ ଆର୍ଥିକ ଅବସ୍ଥା ଉପରେ ଅନୁଧ୍ୟାନ କରାଯିବା ସହ ସେମାନଙ୍କ ବିରୋଧରେ ବିଧିବଦ୍ଧ ଭାବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅବକାରୀ ଅଧିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କ ସହ ଯୋଗାଯୋଗ କରାଯିବାରୁ ଗଞ୍ଜେଇ ମୂଳୋତ୍ପାଟନ ନେଇ ଜିଲା ପ୍ରଶାସନ, ଆରକ୍ଷୀ ଅଧିକ୍ଷକ ଓ ଅବକାରୀ ବିଭାଗ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୁବଶୀଘ୍ର ଗଞ୍ଜେଇ ମୂଳୋତ୍ପାଟନ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.