ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସି ଅନ୍ତର୍ଗତ ଲାଦର ପାଲି ବନ୍ଧପଡ଼ା ପ୍ରାଥମିକ ବିଦ୍ୟାଳୟକୁ ଲାଗି ରହିଥିବା ଏକ ସରକାରୀ ଜାଗାରେ କୁଡିଆ ଘରେ ରହନ୍ତି ୬୪ ବର୍ଷର ଆଦିବାସୀ ବୃଦ୍ଧା ସାଇବାନି ବରିହା। ସ୍ୱାମୀ ପକ୍ଷାଘାତ ରୋଗୀ। ତାମିଲନାଡୁରେ ଦାଦନ ଖଟୁଛି ପୁଅ । ବୟସ ଥିବାବେଳେ ଦୁଃଖେ ସୁଖେ ଧାର କରଜ କରି ଚାରି ଝିଅଙ୍କୁ ବାହା କରାଇଲେ ସାଇବାନି। ଝିଅମାନଙ୍କ ବିବାହ ପାଇଁ ଆଣିଥିବା ଧାର ଟଙ୍କା ଶୁଝିବାରେ ବୟସ ଚାଲିଗଲାଣି। ସ୍ୱାମୀ କୁମର ଵରିହା (୮୦) ବିଛଣା ଧରିଛନ୍ତି। ସାଇବାନି ଏବେ ଏକା। ସ୍ଥାୟୀ ଘର ଖଣ୍ଡିଏ ବି ନାହିଁ। ସ୍ଵାମୀଙ୍କୁ ଛାଡି ସେ ମୂଲ ମଜୁରି ପାଇଁ ବି କୁଆଡେ ଯାଇପାରୁନାହାନ୍ତି। ଭତ୍ତା ପଇସାରେ ସେ ସ୍ଵାମୀଙ୍କ ଔଷଧ ଓ ତେଲ ଲୁଣ କରୁଛନ୍ତି । ବର୍ଷା ଦିନରେ ଘରେ ପାଣି ଗଳୁଥିଲେ ମଧ୍ୟ ମରାମତି କରିବା ପାଇଁ ମଧ୍ୟ ତାଙ୍କ ପାଖରେ ନା ଅର୍ଥ ଅଛି ନା ସାମର୍ଥ୍ୟ । ସରକାରୀ ଜାଗାରେ ଅସ୍ଥାୟୀ ଭାବରେ ରହୁଥିବା ଲୋକମାନଙ୍କ ପାଇଁ ସରକାର ଜାଗା ମିଶନରେ ସାମିଲ କରି ଜମି ପଟ୍ଟା ପ୍ରଦାନ କରୁଛନ୍ତି। ମୋ କୁଡ଼ିଆ ଯୋଜନା, ଇନ୍ଦିରା ଆବାସ ଆଦି କେତେ ଯୋଜନା ସାଇବାନିଙ୍କ ପାଇଁ ସବୁ ବାଟବଣା। କାଉନସିଲରଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ବାରସ୍ଥ ହୋଇଛନ୍ତି।କୌଣସି ସୂତ୍ରରୁ ଖବର ପାଇ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କ ପାଖକୁ ଯାଇ ପଚାରି ବୁଝି ଆସିଥିଲେ। ଇତି ମଧ୍ୟରେ ୫/୬ ମାସ ବିତିଗଲାଣି। କିନ୍ତୁ କେହି ହେଲେ ସାଇବାନିଙ୍କ ଦୁଃଖ ବୁଝି ନାହାନ୍ତି। ଆବାସ ଯୋଜନାରେ ଘର ଖଣ୍ଡିଏ ହେଲେ ହିଁ ଶୀତ ବର୍ଷାରୁ ରକ୍ଷା ପାଇ ପାରନ୍ତେ ସାଇବାନୀଙ୍କ ପରିବାର। ୮୦ ବର୍ଷୀୟ ରୋଗୀଣା ସ୍ୱାମୀଙ୍କୁ ମିଳୁନି ଭତ୍ତା କି ଚାଉଳ। ଜୀବନ ଯନ୍ତ୍ରଣା ନେଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ସାଇବାନୀ।
Popular Categories



