ବାସୁଦେବପୁର : ଧାନ ଓ ମୀନର ଚାଷ ଅଞ୍ଚଳ କୁହାଯାଉଥିବା ବାସୁଦେବପୁରରେ ମଙ୍ଗଳବାର ରାତିରୁ ଲାଗିରହିଛି ଲଗାଣ ବର୍ଷା । ୨୦୨୪ ମସିହାରେ ନଦୀଘେରଦ ଅଞ୍ଚଳ କୁହାଯାଉଥିବା ଇରମ, ନୂଆଗାଁ, ପଢୁଆଁ, ଅଢୁଆଁ, ଜଗନ୍ନାଥପୁର, କୁମାରପୁର, ଆର୍ତ୍ତୁଂ, ସୁଦର୍ଶନପୁର ଆଦି ପଞ୍ଚାୟତରେ ନିଅଁଟିଆ ବର୍ଷା ପାଇଁ ଧାନ ଚାଷ ଆଗକୁ ଯାଇପାରିନଥିଲା । ଚଳିତ ବର୍ଷ ଶାରଦ ଚାଷ ପାଇଁ ଅଣ୍ଟା ଭିଡିଥିବା ଧାନ ଚାଷୀର ଧାନତଳି ଲଗାଣ ବର୍ଷାରେ ପଚିଯାଇ ନଷ୍ଟ ହେବା ପରେ ପୁଣିଥରେ ଧାନତଳି ହେବା ବେଳକୁ ନିଅଁଣ୍ଟିଆ ବର୍ଷା ପାଇଁ ଚାଷୀ ବରଷାଧାରାକୁ ଚାହିଁ ବସିଥିଲା । ଗତକାଲି ଠାରୁ ଲାଗି ରହିଥିବା ଲଗାଣ ବର୍ଷା ନଦୀଘେରଦ ଅଞ୍ଚଳରେ ଥିବା ଧାନଚାଷୀଙ୍କ ମନରେ ଆନନ୍ଦ ଲହରୀ ଖେଳାଇଥିବାବେଳେ ନଦୀକୂଳିଆ ଅଞ୍ଚଳବାସୀ ଏବେ ଆତଙ୍କିତ । ବାସୁଦେପୁର ମଧ୍ୟରେ କଞ୍ଚୁଡି,ଗମେଇ ଓ କାଂଶବାଂଶ ନଦୀ ପ୍ରବାହିତ ହେଉଛି । ଉପରମୁଣ୍ଡରେ ଲଗାଣ ବର୍ଷା ପାଇଁ ବାସୁଦେବପୁରର ତଳିଆ ଅଞ୍ଚଳ ତଥା ନଦୀକୂଳିଆ ପଞ୍ଚାୟତମାନଙ୍କରେ ବନ୍ୟା ସ୍ଥିତି ଦେଖାଦେଇଛି । ନଦୀ ଫୁଲିବା କାରଣରୁ ଲୁଙ୍ଗା, ଏଡତାଳ, ସୁଗୋ, ବିନାୟକପୁର, ଜଗନ୍ନାଥପ୍ରସାଦ, ବାଲିମେଦ, ଲକ୍ଷ୍ମୀଦାସପୁର,କରଞ୍ଜଆଡିଆ,ନାଇକାଣିଡିହ, ବିରସ, ବିଦେଇପୁର, ଗୋପବନ୍ଧୁନଗର, ବିନୋବାଭାବେ ନଗର ପ୍ରଭୃତି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ସେହିପରି ଜଳବିହୁନେ ଅଢୁଆଁ ଓ ସୁଦର୍ଶନପୁର ପଞ୍ଚାୟତରେ ହାହାକାର ପଡିଥିବା ବେଳେ ଗମେଇ ନଦୀ ଫୁଲିବା କାରଣରୁ ବନ୍ୟାସ୍ଥିତି ଦେଖାଯିବାର ଆଶଙ୍କା ରହିଛି । ଜିଲ୍ଲାରେ ୧୬୮ ମି.ମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ତର୍କ ରହିଛି ବୋଲି ଜିଲ୍ଲାପାଳ ଦିଲ୍ଲିପକୁମାର ରାଉତରାୟ ଜଣାଇଛନ୍ତି ।
Popular Categories



